ଦିଗପହଣ୍ଡି,୨୬/୧୨: ଗଛରେ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା ବିବାହିତ ପ୍ରେମୀ ଯୁଗଳଙ୍କ ମୃତଦେହ । ମୃତ ପ୍ରେମୀ ଯୁଗଳମାନେ ହେଲେ ପାଟପୁର ଥାନା ପାଟପୁର ଗ୍ରାମର ସନ୍ତୋଷ ସାହୁଙ୍କ ସ୍ତ୍ରୀ ସୁମିତ୍ରା ସାହୁ ଓ ପୁରୁଷ ଜଣକ ହେଲେ ପାଟପୁର ଥାନା ରାଧାଦେଈପୁର ଗ୍ରାମର ସିମାଞ୍ଚଳ ସାହୁଙ୍କ ପୁଅ ରାଜେନ୍ଦ୍ର ସାହୁ । ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସଦର ଥାନା ଅଲାରିଗଡ ଗ୍ରାମ ନିକଟ ପାହାଡ ଉପରୁ ବିବାହିତ ପ୍ରେମୀ ଯୁଗଳଙ୍କ ମୃତଦେହ ଉଦ୍ଧାର କରାଯାଇଛି ।
ସୂଚନା ମୁତାବକ, ସନ୍ତୋଷ ସାହୁଙ୍କ ସ୍ତ୍ରୀ ସୁମିତ୍ରା ସାହୁ ଓ ସିମାଞ୍ଚଳ ସାହୁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଉଭୟଙ୍କ ୩ଟି ଛୁଆ ମଧ୍ୟ ଅଛନ୍ତି । ଉଭୟ ଡିସେମ୍ୱର ୧୯ ତାରିଖରୁ ନିଖୋଜ ଥିଲେ । ଏନେଇ ପାଟପୁର ଥାନାରେ ଅଭିଯୋଗ ହୋଇଥିଲା । ତେବେ ଗୁରୁବାର ବ୍ରହ୍ମପୁର ସଦର ଥାନା ଅଲାରିଗଡ ଗ୍ରାମ ନିକଟ ପାହାଡ ଉପରୁ ବିବାହିତ ପ୍ରେମୀ ଯୁଗଳଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ପାଇଥିଲେ ଗାଁଲୋକେ । ଏହା ଦେଖି ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚିଛି । ସେଠାରେ ପହଞ୍ଚି ମୃତଦେହ ଦ୍ୱୟ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ପୋଲିସ । ଏହା ସହ ଘଟଣାର ତଦନ୍ତ ଚଳାଇଛି ପୋଲିସ ।