ଭୁବନେଶ୍ୱର ୩୧/୧୨: ଠକ ହାଇପ୍ରୋଫାଇଲ୍ ମହିଳା ହର୍ଷପ୍ରିୟା ମିଶ୍ର ଓରଫ ହଂସିକା ଓ ତାଙ୍କ ସହଯୋଗୀ ଅନିଲ୍ ମହାନ୍ତି ଓରଫ ପପୁଙ୍କୁ ରିମାଣ୍ଡରେ ଆଣିବ କମିଶନରେଟ୍ ପୋଲିସ। ରିମାଣ୍ଡରେ ଆଣି ଅଧିକ ଖୋଳତାଡ଼ କରିବାକୁ ଯୋଜନା କରାଯାଇଛି। ତେଣୁ ଆଜି ଦୁଇ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣିବାକୁ ଆବେଦନ କରିବ ଇନଫୋସିଟ୍ ଥାନା ପୋଲିସ । ରିମାଣ୍ଡରେ ଆଣି ପଚରାଉଚରା କରିବା ସହ ଆଉ କେଉଁ ବଡ଼ବଡ଼ିଆଙ୍କୁ ଜାଲରେ ଫସାଇଛନ୍ତି ସତ ଓଗାଲିବ।
ସୂଚନା ଅନୁଯାଇ, ଶହେ କୋଟିର ଡିଲ୍ ଫାଇନାଲ୍ ହେଲେ ୨୦% ଦେବେ ବୋଲି କହିଥିଲେ ଜଣେ ଶିଳ୍ପପତି । ଡିଲ୍ ଫାଇନାଲ୍ ହେଲା ପରେ ସଂପୃକ୍ତ ଶିଳ୍ପପତି ଟଙ୍କା ଦେଇ ନଥିଲେ । କମିଶନ ନ ମିଳିବରୁ ଉକ୍ତ ଶିଳ୍ପପତିଙ୍କୁ ବଦନାମ କରିଦେବେ ବୋଲି ଧମକ ଦେଇ ବ୍ଲାକ୍ମେଲିଂ କରିଥିଲେ କଳାହାଣ୍ଡି ଜିଲ୍ଲାର ବ୍ୟବସାୟୀ ହର୍ଷପ୍ରିୟା ମିଶ୍ର ଓରଫ ହଂସିକା ଓ ତାଙ୍କ ସହଯୋଗୀ ଅନିଲ୍ ମହାନ୍ତି ଓରଫ ପପୁ । ଏନେଇ ଇନଫୋସିଟି ଥାନାରେ ଅଭିଯୋଗ ହେଲା ପରେ ପୁଲିସ୍ ଘଟଣାର ତଦନ୍ତ କରି ୨ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏବେ ଦୁଇ ଠକଙ୍କୁ ରିମାଣ୍ଡରେ ଆଣିବାକୁ ଯୋଜନା କରିଛି ନଫୋସିଟ୍ ଥାନା ପୋଲିସ।
ପୂରା ଘଟଣା
ଏମିତି ପଟିଆ ଅଞ୍ଚଳର ଜଣେ ଶିଳ୍ପପତିଙ୍କର ଏକ ଏନ୍ଜିଓ ସଂସ୍ଥା ରହିଛି । ଉକ୍ତ ସଂସ୍ଥାର ମୁଖିଆଙ୍କ ସହ ହଂସିକାଙ୍କର ଭଲ ସମ୍ପର୍କ ଥିଲା। ଏନ୍ଜିଓ ସଂସ୍ଥାକୁ ୫୦ କୋଟି ଅନୁଦାନ କରାଇ ଦେବାକୁ କହିଥିଲେ ହଂସିକା । ଶିଳ୍ପପତି ଜଣଙ୍କ ପ୍ରଥମେ ବିଶ୍ୱାସ କରି ନଥିଲେ । ହଂସିକା ବିଶ୍ୱାସ ଜନ୍ମାଇବା ପାଇଁ ନିଜକୁ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପି.କେ ମିଶ୍ରଙ୍କ ଧର୍ମ ଝିଅ ବୋଲି ପରିଚୟ ଦେବା ସହ ପିଏମ୍ଓରେ ତାଙ୍କର ଭଲ ପ୍ରଭାବ ଥିବା କହିଥିଲେ । ଖାଲି ସେତିକି ନୁହେଁ ମୁଖ୍ୟଶାସନ ସଚିବଙ୍କ ସହ ତାଙ୍କର ଅତି ଭଲ ସମ୍ପର୍କ ବୋଲି କହି କିଛି ନକଲି ଫଟୋ ଦେଖାଇଥିଲେ । ଏ ସବୁ ଦେଖି ଶିଳ୍ପପତି ବିଶ୍ୱାସ କରି ଯାଇଥିଲେ । ୫୦ କୋଟି ଅନୁଦାନ ଲୋଭରେ ଶିଳ୍ପପତି ହଂସିକାକୁ କିଛି ଟଙ୍କା ଅଗ୍ରୀମ ଦେଇଥିଲେ । ହଂସିକା ସହ ରହୁଥିଲେ ତାଙ୍କ ପୁରୁଷ ବନ୍ଧୁ ଅନିଲ୍ । ସେ ମଧ୍ୟ ନିଜକୁ ବ୍ୟବସାୟୀ ବୋଲି କହୁଥିଲେ ।
କିଛି ମାସ ତଳେ ଶିଳ୍ପପତିଙ୍କର ଏନ୍ଜିଓ ସଂସ୍ଥାକୁ ଟଙ୍କା ମିଳି ଯାଇଥିଲା । ହେଲେ ପ୍ରତିଶ୍ରୁତି ମୁତାବକ ହଂସିକାଙ୍କ ଯେଉଁ ୨୦% କମିଶନ ପାଇବାର ଥିଲା ତାହା ଦେଇ ନଥିଲେ ଶିଳ୍ପପତି । ଯାହାକୁ ନେଇ ବିଭିନ୍ନ ସମୟରେ ଉଭୟଙ୍କ ମଧ୍ୟରେ ବିବାଦ ଦେଖା ଦେଇଥିଲା । ହଂସିକା ଓ ଅନିଲ୍ ଗତ ସପ୍ତହରେ ଶିଳ୍ପପତିଙ୍କ ଅଫିସ୍କୁ ଯାଇ ତାଙ୍କୁ ଭେଟିବାକୁ ଜିଦ୍ ଧରିଥିଲେ । ସେ ନଥିବା ଜାଣି ଅଫିସ୍ ଭିତରେ ବିଭିନ୍ନ ପ୍ରକାର ଧମକଚମକ ଦେଇଥିଲେ । ଅନିଲ୍ ଅଫିସ୍ ଭିତରେ ଭଙ୍ଗାରୁଜା କରିଥିଲେ । ଅଫିସ୍ର କର୍ମଚାରୀ ଏନେଇ ଇନ୍ଫୋସିଟି ଥାନାରେ ଅଭିଯୋଗ କରିଥିଲେ । ପୁଲିସ୍ ମାମଲା (୬୧୧/୨୪) ରୁଜୁ କରି ଉଭୟଙ୍କ ବିରୋଧରେ ବିଏନ୍ଏସ୍ ଦଫା ୩୨୯(୩), ୩୧୯ (୨), ୩୧୮ ଓ ୩(୫) ଲଗାଇଥିଲା ।
ଘଟଣାର ତଦନ୍ତ କରି ପୁଲିସ୍ ଜାଣିବାକୁ ପାଇଥିଲା ଅନିଲଙ୍କ ନାଁରେ ୨ଟି କମ୍ପାନୀ ରେଜିଷ୍ଟ୍ରେସନ୍ ହୋଇଛି । ଅନିଲ୍ଙ୍କର ପଟିଆ ଅଞ୍ଚଳରେ ଏକ ଅଫିସ୍ ଅଛି । ପୁଲିସ ପ୍ରଥମେ ସେଠାରେ ଚଢ଼ଉ କରି ଫେଲ୍ ମାରିଥିଲେ । ତା’ପରେ ଜାଣିବାକୁ ପାଇଥିଲା ହଂସିକା ଓ ଅନିଲ୍ ଏକ ଆପାର୍ଟମେଣ୍ଟରେ ରହୁଛନ୍ତି । ପୁଲିସ୍ ରବିବାର ରାତିରେ ସେଠାରେ ଚଢ଼ଉ କରି ୨ ଜଣଙ୍କୁ ଗିରଫ କରିଥିଲା । ସୋମବାର ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି । ହଂସିକାଙ୍କ ମୋବାଇଲ୍ ଯାଞ୍ଚ ସମୟରେ ପୁଲିସ ବହୁ ସାଂଘାତିକ ତଥ୍ୟ ପାଇଛି । ବ୍ୟବସାୟୀ, ନେତା, ଅଫିସରଙ୍କ ସହ ତାଙ୍କର ଅଶ୍ଳୀଳ ଫଟୋ ମଧ୍ୟ ରହିଛି । ଯାହାକୁ ନେଇ ପୁଲିସ୍ ତାଜୁବ ହୋଇଛି । ସବୁ ଠାରୁ ବଡ଼ କଥା ହେଲା ଗତ ୨୪ ତାରିଖ ଦିନ ସେ ଗଲ୍ଫ୍ କ୍ଲବ୍ରେ ପାର୍ଟି ଦେଇଥିଲେ । ଏକାଧିକ ବିଧାୟକ ସେଠାକୁ ଯାଇ ହଂସିକାଙ୍କ ସହ ଡ୍ୟାନ୍ସ କରିଥିଲେ । ସୁନା ବ୍ୟବସାୟୀ, ଅଫିସର, ବିଲ୍ଡର, ନେତାମାନେ ମଧ୍ୟ ସେ ପାର୍ଟିକୁ ଯାଇଥିଲେ । ପୁଲିସ୍ କହିଛି, ଅନିଲ୍ ଓ ହଂସିକାଙ୍କ ବିରୋଧରେ ଅଭିଯୋଗେ ବଢ଼ିବ । ଆମେ ତାଙ୍କୁ ରିମାଣ୍ଡରେ ଆଣିବାକୁ ଯୋଜନା କରିଛୁ ।