ଭୁବନେଶ୍ବର: ବିଦାୟ ନେଇଛି ବର୍ଷ ୨୦୨୪ । କ୍ୟାଲେଣ୍ଡରରେ ଯୋଡ଼ି ହୋଇଛି ଆଉ ଏକ ନୂଆ ମସିହା ୨୦୨୫ । ସାଙ୍ଗରେ ନୂଆ ଆଶା ଉଦ୍ଦୀପନା ନେଇ ଆସିଛି ନୂଆବର୍ଷ । ବିଦାୟୀ ବର୍ଷର ଘାତ ପ୍ରତିଘାତକୁ ଭୁଲି ନୂଆବର୍ଷକୁ ଧୁମଧାମରେ ପାଳନ କରାଯାଇଛି । ଦେଶସାରା ସବୁଠି ଉତ୍ସବ ଏବଂ ଉଲ୍ଲାସର ମାହୋଲ । ବିଭିନ୍ନ ସ୍ଥାନରେ ବାଣ ଫୁଟାଇ ନୂଆ ବର୍ଷକୁ ସ୍ୱାଗତ କରାଯାଇଛି । ଜିରୋ ନାଇଟ୍ ପାଇଁ ରଙ୍ଗୀନ ହୋଇଛି ଦେଶର ବିଭିନ୍ନ ସହର । ଭାରତ ସମେତ ସାରା ବିଶ୍ବରେ ନବବର୍ଷ ପାଳନକୁ ନେଇ ଦେଖାଦେଇଛି ଅହେତୁକ ଉତ୍ସାହ । ଦେଶର ହୋଟେଲ ଗୁଡିକରେ ମଧ୍ୟ ନାଚଗୀତ ସାଙ୍ଗକୁ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି ।

ଜାନୁଆରୀ ୧, ୨୦୨୫ । ତାରିଖ ସହ ବର୍ଷ ବି ବଦଳିଛି । ଆଉ ତା ସହ ବଦଳିଯାଇଛି କେତେ ଲୋକଙ୍କ ସ୍ବପ୍ନର ପରିଭାଷା । ପୁରୁଣା ବର୍ଷରେ ଯାହା କିଛି କରିପାରି ନାହାନ୍ତି ତାହା ପୂରଣ କରିବାକୁ ସଂଚାର ହୋଇଛି ନୂଆ ଆଶା । ୨୪ରେ ନହେଲା ନାହିଁ ୨୫ରେ ପୂରଣ ହେବ ସ୍ବପ୍ନ, ପୁଣି ମନ-ମସ୍ତିଷ୍କରେ ଖେଳିଯିବ ଶିହରଣ । ଖୁସିରେ ଝୁମିଉଠିବ ପରିବାର, ଫେରିଆସିବ ଶାନ୍ତି । ଆଶା ଓ ଆଂକାକ୍ଷାଙ୍କୁ ଚରିତାର୍ଥ କରିବାରେ ୨୦୨୫ ନେଇପାରେ ପ୍ରମୁଖ ଭୂମିକା । ସବୁ ଦୁଃଖକୁ ଭୁଲି ପୁଣି ଥରେ ଚାଲିବାକୁ ବାଟ ଦେଖାଇବ ୨୦୨୫ ।
କ୍ୟାଲେଣ୍ଡର ବଦଳିଗଲେ ଯେ ଭାଗ୍ୟ ବଦଳିଯିବ ସେ କଥା ଭାବିବା ହୁଏତ ଭୁଲ ହୋଇଯାଇପାରେ । କିନ୍ତୁ ସୁକର୍ମ କରି ଯେ ଭାଗ୍ୟକୁ ପରିବର୍ତ୍ତନ କରାଯାଇପାରେ ଏଥିରେ ସନ୍ଦେହ ନାହିଁ । ମନ ଖୁସି ଥିଲେ, ମନରେ ନୂଆ ଉତ୍ସାହ ଏବଂ ପ୍ରେରଣା ନୂଆ ମାର୍ଗ ଦେଖାଇବ । ବିଦାୟୀ ବର୍ଷରେ କ’ଣ ହରେଇଛି, କେତେ ବିଫଳ ହୋଇଛି ଭୁଲିଯାଇ, ନୂଆ ଲକ୍ଷ୍ୟ, ନୂଆ ସ୍ଵପ୍ନ, ନୂଆ ଆଶା ରଖି କାର୍ଯ୍ୟ କରିବାକୁ ହେବ । ପୁରୁଣା ବର୍ଷରେ ନହେଲା ନାହିଁ, ଏ ବର୍ଷ ୨୦୨୫ ନିହାତି ସ୍ୱପ୍ନ ପୂରଣ କରିବି ବୋଲି ବିଶ୍ୱାସ ରଖିବା ଜରୁରି । ନୂଆବର୍ଷରେ କିଛି ହେଉ ବା ନହେଉ, ଏକ ନୂଆ ପ୍ରୟାସର ତ ଆରମ୍ଭ ହୋଇପାରିବ ।

ନୂଆବର୍ଷ ୨୦୨୫ ଆପଣଙ୍କ ଜୀବନରେ ଭରିଦେଉ ଖୁସି ଓ ଉନ୍ମାଦନା । ହସଖୁସିରେ ଝୁମିଉଠୁ ଆପଣଙ୍କ ପରିବାର । ପୂର୍ବରୁ ସ୍ଥିରୀକୃତ କାର୍ଯ୍ୟ ପୂରଣ ଦିଗରେ ୨୦୨୫ ସହାୟକ ହେଉ । ଭଗବାନଙ୍କ କୃପା ପ୍ରତିଟି ପରିବାର ଉପରେ ରହୁ । ଭାରତ ସମେତ ଓଡ଼ିଶାର ଅଧିକରୁ ଅଧିକ ଉନ୍ନତି ହେଉ, ଲୋକଙ୍କ ଜୀବନରେ ଦୁଃଖ ଅପସରି ଯାଇ ସୁଖର ବୃଷ୍ଟି ହେଉ । ଏହା ହିଁ ସାଢ଼େ ଚାରି କୋଟି ଓଡ଼ିଆଙ୍କ ଆରାଧ୍ୟ ଦେବତା ପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା । ଶେଷରେ, ନବବର୍ଷ ୨୦୨୫ରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ।