.ହୃଦୟ ଜିତିଲେ ହାର୍ଦ୍ଦିକ ପାଣ୍ଡ୍ୟା
.ତାଙ୍କ ବ୍ୟାଟରୁ ଛକା କ୍ୟାମେରା ପର୍ସନଙ୍କ ହାତରେ ବାଜିଲା
.ଆହତଙ୍କ ହାତରେ ICE ପ୍ୟାକ୍ ଲଗାଇଲେ ପାଣ୍ଡ୍ୟା
ନୂଆଦିଲ୍ଲୀ,୨୦/୧୨: ବାରବାଟୀ ପରି ଅହମ୍ମଦାବାଦରେ ବି ହିରୋ ସାଜିଲେ ହାର୍ଦ୍ଦିକ ପାଣ୍ଡ୍ୟା । ପଡିଆରେ ପରାକ୍ରମ ଦେଖାଇଲେ ପାୱାରଫୁଲ ପାଣ୍ଡ୍ୟା । ଦ.ଆଫ୍ରିକା ବିପକ୍ଷ ୫ମ ଟି-ଟ୍ୱେଣ୍ଟିରେ ଦମଦାର ପାଳି ଖେଳି ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥିଲେ ହାର୍ଦ୍ଦିକ । ଭାରତୀୟ ଷ୍ଟାର କ୍ରିକେଟ୍ ହାର୍ଦ୍ଦିକ ପାଣ୍ଡ୍ୟା ତାଙ୍କ ସ୍ୱାଗ ପାଇଁ ବେଶ୍ ଜଣାଶୁଣା । ପଡିଆ ଭିତରେ ହେଉ କି ବାହାରେ ତାଙ୍କ ଷ୍ଟାଇଲ ନିଆରା । ପଞ୍ଚମ ଟି-ଟ୍ୱେଣ୍ଟିରେ ହାର୍ଦ୍ଦିକ ୨୫ ବଲରେ ୬୩ ରନର ପାଳି ଖେଳିଥିଲେ । ଏହା ସହିତ ତାଙ୍କ ନାମରେ ଗୋଟିଏ ୱିକେଟ ବି ରହିଛି । ତେବେ ବାରବାଟୀ ପରି ଅହମ୍ମଦାବାଦରେ ବି ପାଣ୍ଡ୍ୟାଙ୍କ ବଲ ଜଣଙ୍କ ଦେହରେ ବାଜିଛି । ୬୩ ରନର ପାଳି ଖେଳିଥିବା ହାର୍ଦ୍ଦିକଙ୍କ ବ୍ୟାଟରୁ ଏକ ଛକା ଯାଇ ଜଣେ କ୍ୟାମେରା ପର୍ସନଙ୍କ ବାମ ହାତରେ ଠାଏ କରି ବାଜିଥିଲା । ସମସ୍ତେ କାବା ହୋଇଯାଇଥିଲେ । ମ୍ୟାଚ୍ ଶେଷ ହେବା ପରେ ପାଣ୍ଡ୍ୟା କ୍ୟାମେରାମ୍ୟାନଙ୍କ ପାଖକୁ ଯାଇ ହାତ ଅବସ୍ଥା ପଚାରିବା ସହିତ ICE ପ୍ୟାକ ଲଗାଇଥିଲେ । କ୍ୟାମେରା ପର୍ସନଙ୍କୁ ଆଲିଙ୍ଗନ ବି କରିଥିଲେ । ଯାହା ସମସ୍ତଙ୍କ ହୃଦୟକୁ ଛୁଇଁଥିଲା । ପାଣ୍ଡ୍ୟାଙ୍କ ଏହି ବ୍ୟବହାର ଦର୍ଶକଙ୍କ ମନକୁ ଛୁଇଁଛି । ଯାହାକୁ ବେଶ୍ ତାରିଫ କରୁଛନ୍ତି ପ୍ରଶଂସକ ।
ପଞ୍ଚମ ତଥା ଅନ୍ତିମ ଟି-ଟ୍ୱେଣ୍ଟିରେ ଭାରତ ୩୦ ରନ୍ ଦକ୍ଷିଣ ଆଫ୍ରିକାକୁ ହରାଇଛି । ୩-୧ରେ ଶୃଙ୍ଖଳା କବଜା କରିଛି ଟିମ୍ ଇଣ୍ଡିଆ । ହାର୍ଦ୍ଦିକ ପାଣ୍ଡ୍ୟା ପ୍ଲେୟାର ଅଫ ଦି ମ୍ୟାଚ ହୋଇଥିଲେ । ପ୍ରଥମ ବ୍ୟାଟିଂ କରି ଭାରତ ୫ ୱିକେଟ ହରାଇ ୨୩୧ ରନ୍ କରିଥିଲା । ୨୩୧ରନର ଟାର୍ଗେଟ ପିଛା କରି ଭ୍ରମଣକାରୀ ଦକ୍ଷଣ ଆଫ୍ରିକା ୮ ୱିକେଟ ହରାଇ ୨୦୧ ରନ୍ କରିବାରେ ସକ୍ଷମ ହୋଇଥିଲା
କହି ରଖୁଛୁ କି, ବାଟବାଟୀରେ ଖେଳାଯାଇଥିଲା ପ୍ରଥମ ଟି-ଟ୍ୱେଣ୍ଟି ମୁକାବିଲା । ମ୍ୟାଚ ଆରମ୍ଭ ପୂର୍ବରୁ ପଡିଆରେ ଅଭ୍ୟାସ କରୁଥିଲେ ହାର୍ଦ୍ଦିକ । ନେଟରୁ ପୁଲ୍ ସଟ୍ ଖେଳିବାବେଳେ ତାଙ୍କ ବ୍ୟାଟରୁ ବଲ୍ ଜାଲ ଟପି ବିସିସିଆଇ ବକ୍ସରେ ବସିଥିବା ଜଣେ ଫ୍ୟାନ୍ସଙ୍କ ମୁହଁରେ ବାଜି ଥିଲା । ତାଙ୍କ ପାଟିରୁ ରକ୍ତ ବାହାରିଥିଲା । ଏହା ପରେ ତୁରନ୍ତ ପାଣ୍ଡ୍ୟା ଅଭ୍ୟାସ୍ ବନ୍ଦ କରି ତାଙ୍କ ପାଖକୁ ଯାଇ ଠିକ୍ ଅଛନ୍ତି କି ନାହିଁ ବୋଲି ପଚାରି ବୁଝିଥିଲେ । ପ୍ରଥମ ଟି-ଟ୍ୱେଣ୍ଟିକୁ ୧୦୧ରନ୍ରେ ଜିତିଥିଲା ଭାରତ ।