ଭୁବନେଶ୍ବର ୭/୨: ତଳସୀ ଗଣନାଟ୍ୟ ମାଲିକଙ୍କ ବଢ଼ିଲା ଅଢ଼ୁଆ। ମାଲିକ ଅନନ୍ତ ନାରାୟଣ ଧଳ ଓରଫ ନାଣ୍ଡୁ ବାବୁଙ୍କ ନାଁରେ FIR । ଖଣ୍ଡଗିରି ଥାନାର ଏତଲା ଦେଲା ହରେକୃଷ୍ଣ ମହତାବ ସାଂସ୍କୃତିକ ପରିଷଦ। ଏହା ଛଡ଼ା ଅଭିନେତା ଅଭିନେତ୍ରୀ ସାଇ-ପାୟଲଙ୍କ ନାଁରେ ମଧ୍ୟ ଅଭିଯୋଗ ହୋଇଛି। ଆର୍ଥିକ କ୍ଷତି ଓ ବଦନାମ ସହିବା ଅସହ୍ୟ ହେବାରୁ ହରେକୃଷ୍ଣ ମହତାବ ସାଂସ୍କୃତିକ ପରିଷଦ ପକ୍ଷରୁ ତିନି ଜଣଙ୍କ ନାଁରେ ଅଲଗା ଅଲଗା କେସ୍ କରିଛି ।
ସୂଚନା ଅନୁଯାୟୀ, ଶୁକ୍ରବାର ରାତିରେ ନାଣ୍ଡୁ ବାବୁଙ୍କ ନାଁରେ ଏତଲା ହୋଇଥିବା ବେଳେ ଶନିବାର ସାଇ ସତ୍ୟଜିତ୍ ଏବଂ ପାୟଲଙ୍କ ନାଁରେ କେସ୍ କରିଛି କମିଟି । ତୁଳସୀ ଗଣନାଟ୍ୟର ମାଲିକ ଓ ଅଭିନେତା ସତ୍ୟଙ୍କ ବିବାଦ ଯୋଗୁଁ ମହତାବ କମିଟି ୩ ଦିନ ହେଲା ପ୍ରବଳ କ୍ଷତି ସହୁଛି । କାରଣ ସାଇ-ପାୟଲ ମଞ୍ଚକୁ ନ ଉଠିବା ଯୋଗୁଁ ଦର୍ଶକ ‘ଏଇ ବୋଧେ ଶେଷ ଦେଖା’ ନାଟକରୁ ମୁହଁ ଫେରେଇ ନେଉଛନ୍ତି । ତେଣୁ ଟିକେଟ୍ ବିକ୍ରି ବହୁ ମାତ୍ରାରେ କମିଛି । ପ୍ରଚାର ଗାଡ଼ି ମଧ୍ୟ ବୁଲୁନାହିଁ । କିନ୍ତୁ ଯାତ୍ରା ପାର୍ଟି ଓ ଯାତ୍ରା ପେଣ୍ଡାଲ ଭିତରେ ହେଉଥିବା ଚୁକ୍ତି ଅନୁଯାୟୀ ଚୁକ୍ତି ଅର୍ଥ ଦେବାକୁ ପଡ଼ିଥାଏ । ତେଣୁ ଲସ୍ ଲସ୍ ଡବଲ୍ ଲସ୍ ହେବା ପରେ ହରେକୃଷ୍ଣ ମହତାବ ସାଂସ୍କୃତିକ ପରିଷଦ ଖଣ୍ଡଗିରି ଥାନାରେ ଏତଲା ଦେଇଛି । ତେବେ ବିବାଦ ଭିତରେ ଆଜି ବହୁ ବିଳମ୍ବରେ ଟିକେଟ୍ କାଉଣ୍ଟର ଖୋଲିଥିଲା । ଅନ୍ତିମ ଦିନରେ ନାଟକ ପ୍ରଦର୍ଶିତ ହେବ ନା ନାହିଁ ? ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଅନ୍ୟପଟେ ନାଟକ ପରିବେଷଣ ବେଳେ ସାପ ଧରି ଷ୍ଟେଜକୁ ଯାଇଥିଲେ ଅଭିନେତା ସାଇ ସତ୍ୟଜିତ୍ । କମିଟି ପକ୍ଷରୁ ସାପ ଧରି ଷ୍ଟେଜକୁ ନଯିବାକୁ ବାରଣ କରାଯାଇଥିଲା । ତେଣୁ କମିଟି ପକ୍ଷରୁ ପାତ୍ରପଡ଼ା ରେଞ୍ଜ ଅଫିସ୍ରେ ବି କେସ୍ କରିଛି କମିଟି । ସେପଟେ ଅଭିନେତା ସାଇ ସତ୍ୟଜିତ ପଣ୍ଡା ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ସେଠାରେ ତାଙ୍କ ଚିକିତ୍ସା ଜାରି ରହିଥିବା ସୂଚନା ମିଳିଛି।
ଏହି ଖବରଟିକୁ ପଢନ୍ତୁ- ମଞ୍ଚ ଚଢ଼ିଲେନି ସାଇ-ପାୟଲ, ବଢ଼ିଲା ବିବାଦ: ହାଇକୋର୍ଟରେ ମକଦ୍ଦମା କରିବେ ତୁଳସୀ ମାଲିକ