ସ୍ପଷ୍ଟ ଦିବାଲୋକରେ ଗୁଳିକାଣ୍ଡ…
ମୁଖା ପିନ୍ଧି ଆସିଥିଲେ ଅଜଣା ବାଇକ ଆରୋହୀ…
କିଛି ସମୟ ପାଇଁ ରାଜପଥ ସୁନ୍ସାନ…
ନୂଆଦିଲ୍ଲୀ : ଉତ୍ତରାଖଣ୍ଡର ହରିଦ୍ୱାର ଜିଲ୍ଲାର ଲକସର ଅଞ୍ଚଳରେ ସ୍ପଷ୍ଟ ଦିବାଲୋକରେ ଏକ ଗୁଳିକାଣ୍ଡ ଘଟଣା ଘଟିଛି। ଏହି ଘଟଣା ସମଗ୍ର ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଛି। ଲକସର ଫ୍ଲାଏଓଭର ଉପରେ ଜଣେ କୁଖ୍ୟାତ ଅପରାଧୀଙ୍କୁ କୋର୍ଟରେ ହାଜର ପାଇଁ ନିଆଯାଉଥିବା ବେଳେ ତାଙ୍କୁ ଗୁଳି କରାଯାଇଛି। ଅଜଣା ବାଇକ୍ ଆରୋହୀ ଆକ୍ରମଣକାରୀ ମାନେ ତାଙ୍କୁ ଗୁଳି ଚଳାଇଥିଲେ। ଏହି ଆକ୍ରମଣରେ ଅପରାଧୀ ଏବଂ ସୁରକ୍ଷା ପାଇଁ ନିୟୋଜିତ ଦୁଇ ପୋଲିସ କନେଷ୍ଟବଳ ଆହତ ହୋଇଛନ୍ତି। ଏହି ଘଟଣା ଅଞ୍ଚଳରେ ଆତଙ୍କର ବାତାବରଣ ସୃଷ୍ଟି କରିଛି ।
ରିପୋର୍ଟ ଅନୁଯାୟୀ, କୁଖ୍ୟାତ ଅପରାଧୀ ବିନୟ ତ୍ୟାଗୀଙ୍କୁ ରୁରକି ଜେଲରୁ ଲକସର କୋର୍ଟକୁ ଏକ ସ୍ୱତନ୍ତ୍ର ଗାଡ଼ିରେ କୋର୍ଟରେ ହାଜର ପାଇଁ ଅଣାଯାଉଥିଲା। ଗାଡ଼ିଟି ଲକସର ଫ୍ଲାଏଓଭର ନିକଟରେ ପହଞ୍ଚିବା ମାତ୍ରେ ଦୁଇଜଣ ବାଇକ ଆରୋହୀ ହଠାତ୍ ଗୁଳି ଚଳାଇଥିଲେ। ଆକ୍ରମଣକାରୀ ମାନେ ସିଧାସଳଖ ବିନୟ ତ୍ୟାଗୀଙ୍କୁ ଟାର୍ଗେଟ କରିଥିଲେ । ଆଉ ତାଙ୍କ ଉପରକୁ ଅନେକ ରାଉଣ୍ଡ ଗୁଳି ମଧ୍ୟ ଚଳାଇଥିଲେ ।
ଗୁଳିମାଡ ସମୟରେ ସୁରକ୍ଷା ପାଇଁ ନିୟୋଜିତ ଦୁଇ ପୋଲିସ କନେଷ୍ଟବଳ ମଧ୍ୟ ଆହତ ହୋଇଥିଲେ। ଆହତ ତିନି ଜଣଙ୍କୁ ତୁରନ୍ତ ଚିକିତ୍ସା ପାଇଁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, ଯେଉଁଠାରେ ସେମାନଙ୍କର ବର୍ତ୍ତମାନ ଚିକିତ୍ସା ଚାଲିଛି। ପୋଲିସ ସୂତ୍ର ଅନୁଯାୟୀ, ସମସ୍ତ ଆହତଙ୍କ ଅବସ୍ଥା ବର୍ତ୍ତମାନ ସ୍ଥିର ଅଛି।
ତେବେ ଦିନ ଦ୍ୱିପ୍ରହରରେ ରାଜପଥରେ ଏହି ଅବାଧ ଗୁଳିଚାଳନା ଆତଙ୍କ ସୃଷ୍ଟି କରିଥିଲା। ଗୁଳିର ଶବ୍ଦରେ ପଥଚାରୀ ମାନେ ପଳାଇ ଯାଇଥିଲେ ଏବଂ ରାଜପଥରେ ଯାତାୟାତ କିଛି ସମୟ ପାଇଁ ବାଧାପ୍ରାପ୍ତ ହୋଇଥିଲା। ଘଟଣା ପରେ ଅପରାଧୀ ମାନେ ଘଟଣାସ୍ଥଳରୁ ଖସିଯିବାରେ ସଫଳ ହୋଇଥିଲେ, ଯାହା ପୋଲିସର ସୁରକ୍ଷା ବ୍ୟବସ୍ଥା ଉପରେ ଗମ୍ଭୀର ପ୍ରଶ୍ନ ଉଠାଇଥିଲା।
ସୋସିଆଲ ମିଡିଆରେ ଭିଡିଓ ଭାଇରାଲ...
ଏହି ସମୟରେ, ଘଟଣାର ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ସ୍ପଷ୍ଟ ଭାବରେ ଦେଖାଯାଉଛି ଯେ ଅପରାଧୀ ମାନେ ରାସ୍ତାରେ ଦୌଡ଼ୁଛନ୍ତି, ଅସ୍ତ୍ରଶସ୍ତ୍ର ଧରି ଗୁଳି ଚଳାଇ ପଳାଇ ଯାଉଛନ୍ତି। ଏହି ଭିଡିଓ ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ ହେଉଛି, ଯାହା ଲୋକଙ୍କ ମଧ୍ୟରେ କ୍ରୋଧ ଏବଂ ଭୟ ସୃଷ୍ଟି କରୁଛି। ଘଟଣା ପରେ ତୁରନ୍ତ ପୋଲିସ ସମଗ୍ର ଅଞ୍ଚଳକୁ ଘେରାବନ୍ଦୀ କରି ଅପରାଧୀଙ୍କ ସନ୍ଧାନକୁ ଜୋରଦାର କରିଛି। ନିକଟସ୍ଥ ସିସି କ୍ୟାମେରାରୁ ଫୁଟେଜ୍ ଯାଞ୍ଚ କରାଯାଉଛି, ଏବଂ ରାଜପଥ ଏବଂ ସୀମାନ୍ତ ଅଞ୍ଚଳରେ ମଧ୍ୟ ଅବରୋଧ କରାଯାଇଛି।