ନୂଆଦିଲ୍ଲୀ - ହରିଶ ରାଣାଙ୍କ ଇଚ୍ଛାମୃତ୍ୟୁ ପାଇଁ ଏମ୍ସରେ ପ୍ରକ୍ରିୟା ଆରମ୍ଭ କରି ଦିଆ ଯାଇଛି। ଗତ ୧୩ ବର୍ଷ ଧରି ମୁତ୍ୟୁ ସ୍ଥିତିରେ ପଡ଼ିରହି ଥିବା ଗାଜିଆବାଦର ୩୨ ବର୍ଷିୟ ହରିଶ ରାଣାଙ୍କୁ ଟ୍ୟୁବ୍ ଦ୍ୱାରା ଖାଦ୍ୟ ଦେବା ବନ୍ଦ କରି ଦିଆ ଯାଇଛି। ମଙ୍ଗଳବାର ପାଣି ଦେବା ମଧ୍ୟ ବନ୍ଦ କରି ଦିଆ ଯିବ। ଏହିପରି ସେ ଧିରେ ଧିରେ ଏହି ଦୁନିଆରୁ ବିଦାୟ ନେବେ। ଜୀବନର ଅନ୍ତିମ କ୍ଷଣରେ ହରିଶଙ୍କୁ କୌଣସି ଶାରୀରିକ ଯନ୍ତ୍ରଣା ଯେମିତି ନହୁଏ , ଏଥିପାଇଁ ଏମ୍ସର ଡାକ୍ତର ପେଲିଏଟିଭ୍ କେୟାର ଦେଇଛନ୍ତି। ଏହା ଦେଶରେ ଇଚ୍ଛାମୃତ୍ୟୁର ପ୍ରଥମ ମାମଲା।

ହରିଶ ହଷ୍ଟେଲର ଚତୁର୍ଥ ମହଲାରୁ ଖସି ପଡ଼ି ଥିଲେ -

ଉଲ୍ଲେଖନୀୟ ଯେ ୧୩ ବର୍ଷ ପୂର୍ବେ, ଚଣ୍ଡିଗଡ଼ର ପଞ୍ଜାବ ବିଶ୍ୱବିଦ୍ୟାଳୟରେ ପଢ଼ୁଥିବା ସମୟରେ, ହରିଶ ତାଙ୍କ ହଷ୍ଟେଲର ଚତୁର୍ଥ ମହଲାରୁ ଖସି ପଡ଼ି ଗୁରୁତର ହୋଇଥିଲେ। ସେବେଠାରୁ ସେ କୋମାରେ ଅଛନ୍ତି। ତାଙ୍କ ବାପା ମା ଏତେ ବର୍ଷ ଧରି ତାଙ୍କର ଯତ୍ନ ନେଉଛନ୍ତି। କୃତ୍ରିମ ପୋଷଣ ପାଇଁ ତାଙ୍କ ପେଟରେ ଏକ ଟ୍ୟୁବ୍ ଭର୍ତ୍ତି କରାଯାଇଛି।

ସୁପ୍ରିମକୋର୍ଟ ଦେଲେ ଇଚ୍ଛାମୃତ୍ୟୁକୁ ମଞ୍ଜୁରୀ -

ତାଙ୍କୁ ଏହି ଟ୍ୟୁବ୍ ମାଧ୍ୟମରେ ବହୁତ ସମୟ ଧରି ଖାଇବା ଓ ପାଣି ଦିଆଯାଇଥିଲା । ଶ୍ଵାସନଳୀରେ ଏକ ଟ୍ୟୁବ୍ ମଧ୍ୟ ଲାଗିଛି। ଏହା ବ୍ୟତୀତ ଏକ କ୍ୟାଥେଟର ମଧ୍ୟ ଲାଗିଛି। ୧୧ ମାର୍ଚ୍ଚରେ, ସୁପ୍ରିମକୋର୍ଟ ହରିଶଙ୍କୁ ନିଷ୍କ୍ରିୟ ଇଚ୍ଛାମୃତ୍ୟୁର ଅନୁମତି ପ୍ରଦାନ କରିଥିଲେ। ଯାହା ଅନୁସାରେ ତାଙ୍କର ଜୀବନ ରକ୍ଷକ ସପୋର୍ଟକୁ ପର୍ଯ୍ୟାୟକ୍ରମେ ଅପସାରଣ କରିବାକୁ ସ୍ୱୀକୃତି ଦିଆଯାଇଛି।

ଡାକ୍ତରମାନଙ୍କ ଏକ କମିଟି ଗଠନ ହୋଇଛି –

ଏହି ନିର୍ଦ୍ଦେଶ ପରେ, ଏମ୍ସରେ ଡାକ୍ତରଙ୍କର ଏକ କମିଟି ଗଠନ କରାଯାଇଛି। ଯେଉଁଥିରେ ପାଲିଏଟିଭ୍ କେୟାର ବିଶେଷଜ୍ଞ ବ୍ୟତୀତ ବିଭିନ୍ନ ବିଭାଗର ଡାକ୍ତର ସାମିଲ ଅଛନ୍ତି। ମାର୍ଚ୍ଚ ୧୪ ତାରିଖ ସକାଳେ, ହରିଶଙ୍କୁ ଆମ୍ବୁଲାନ୍ସ ଯୋଗେ ଏମ୍ସକୁ ଅଣାଯାଇ IRCH (ଇନଷ୍ଟିଚ୍ୟୁଟ୍ ରୋଟାରୀ କ୍ୟାନସର ହସ୍ପିଟାଲ)ର ପାଲିଏଟିଭ୍ କେୟାର ୱାର୍ଡରେ ଭର୍ତ୍ତି କରାଯାଇ ଥିଲା।

ଇଚ୍ଛାମୃତ୍ୟୁ ପାଇଁ ପୂର୍ବରୁ ପ୍ରୋଟୋକଲ -

ସୋମବାର, କମିଟିରେ ଥିବା ଡାକ୍ତରମାନଙ୍କ ବୈଠକ ହୋଇଥିଲା। ଯେଉଁଥିରେ ଇଚ୍ଛାମୃତ୍ୟୁ ପ୍ରକ୍ରିୟା ଉପରେ ଆଲୋଚନା ହୋଇଥିଲା। ଜଣେ ବରିଷ୍ଠ ଡାକ୍ତର କହିଥିଲେ ଯେ ଏମ୍ସରେ ପୂର୍ବରୁ ନିଷ୍କ୍ରିୟ ଇଚ୍ଛାମୃତ୍ୟୁ ପାଇଁ ଏକ ପ୍ରୋଟୋକଲ ଅଛି, ଯାହାକୁ ଭାରତୀୟ ଚିକିତ୍ସା ଗବେଷଣା ପରିଷଦ (ICMR) ଦ୍ବାରା ଅନୁମୋଦିତ କରାଯାଇଛି।

ମଙ୍ଗଳବାର ପାଣି ମଧ୍ୟ ଦିଆଯିବ ନାହିଁ -

ହରିଶଙ୍କୁ କୌଣସି ଅକ୍ସିଜେନ ସପୋର୍ଟ ଦିଆଯିବ ନାହିଁ। ତାଙ୍କୁ କେବଳ ଏକ ଟ୍ୟୁବ୍ ମାଧ୍ଯମରେ ଖାଦ୍ୟ ଦିଆଯାଉ ଥିଲା । ଏହି ଟ୍ୟୁବରେ ଏବେ ଖାଦ୍ୟ ଦେବା ବନ୍ଦ କରିଦିଆ ଯାଇଛି। ମଙ୍ଗଳବାର ପାଣି ଦେବା ବନ୍ଦ କରିବା ପରେ, ଟ୍ୟୁବକୁ କ୍ୟାପ୍ ଲଗାଇ ବନ୍ଦ କରି ଦିଆଯିବ।

ଜୀବନ ତ୍ୟାଗ କରିବାକୁ ଲାଗିବ ଅନେକ ଦିନ -

ଏମ୍ସର ଜଣେ ବରିଷ୍ଠ ଡାକ୍ତର କହିଛନ୍ତି ଯେ, ଖାଦ୍ୟ ଏବଂ ପାଣି ବନ୍ଦ ହେବା ପରେ ହାରାହାରି ଜଣେ ବ୍ୟକ୍ତି ଦଶ ଦିନ ବଞ୍ଚି ପାରିବ, କିନ୍ତୁ ଏହା ଶାରୀରିକ କ୍ଷମତା ଉପରେ ନିର୍ଭର କରେ । କିଛି ଲୋକ ବିନା ଖାଦ୍ୟ ଓ ପାଣିରେ ଦୁଇ ସପ୍ତାହ ପର୍ଯ୍ୟନ୍ତ ବଞ୍ଚି ପାରିବ। ହରିଶଙ୍କ ଇଚ୍ଛାମୃତ୍ୟୁ ପରେ, ସୁପ୍ରିମକୋର୍ଟରେ ଏକ ରିପୋର୍ଟ ଏମ୍ସ ଦ୍ୱାରା ଦାଖଲ କରାଯିବା।