ନୂଆଦିଲ୍ଲୀ,୨୧/୬ : ଭାରତୀୟ ମହିଳା କ୍ରିକେଟ ଟିମର ଅଧିନାୟକ ହରମନପ୍ରୀତ କୌର ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚରେ ଇତିହାସ ରଚିଛନ୍ତି । ସେ ଏଭଳି ସଂଖ୍ୟା ପର୍ଯ୍ୟନ୍ତ ପହଞ୍ଚିଛନ୍ତି ଯେଉଁଠାରେ ପୂର୍ବରୁ କୌଣସି ପୁରୁଷ କିମ୍ବା ମହିଳା କ୍ରିକେଟର ପହଞ୍ଚି ନାହାନ୍ତି । ଆଇସିସି ମହିଳା ବିଶ୍ବକପ୍ ୨୦୨୬ର ୧୮ତମ ମ୍ୟାଚ୍ ମଞ୍ଚେଷ୍ଟରରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଛି । ଯାହା ହରମନଙ୍କ ୨୦୦ତମ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଅଟେ ।

ହରମନପ୍ରୀତ କୌର ୨୦୦ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିବା ବିଶ୍ବର ପ୍ରଥମ କ୍ରିକେଟର ହୋଇଯାଇଛନ୍ତି । ପ୍ରକାଶ ଯେ, କେବେ କୌଣସି ପୁରୁଷ କ୍ରିକେଟର ବି ୨୦୦ମ୍ୟାଚ୍ ଖେଳିବାର ରେକର୍ଡ଼ କରିନାହାନ୍ତି । ପୁରୁଷ କ୍ରିକେଟରେ ସବୁଠାରୁ ଅଧିକ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ ଖେଳିବାର ରେକର୍ଡ଼ ପାଲ ଷ୍ଟାର୍ଲିଂଙ୍କ ନାଁରେ ରହିଛି । ଯିଏ ୧୬୩ମ୍ୟାଚ୍ ଖେଳିଛନ୍ତି । ଭାରତ ଲାଗି ସବୁଠାରୁ ଅଧିକ ମ୍ୟାଚ୍ ରୋହିତ ଶର୍ମା ଖେଳିଛନ୍ତି । ଯିଏ ଓଭେରାଲ ଲିଷ୍ଟରେ ଦ୍ବିତୀୟ ନମ୍ବରରେ ଅଛନ୍ତି ଏବଂ ଟି-୨୦ରୁ ସନ୍ନ୍ୟାସ ନେଇ ସାରିଛନ୍ତି । ରୋହିତ ନିଜ କ୍ୟାରିୟରରେ ୧୫୯ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି ।

ମହିଳା ବିଶ୍ବକପରେ ଭାରତ ବନାମ ଦକ୍ଷିଣ ଆଫ୍ରିକା ମ୍ୟାଚ୍ ପୂର୍ବରୁ ଉପଅଧିନାୟକ ସ୍ମୃତି ମନ୍ଧାନା ଏବଂ ମୁଖ୍ୟ କୋଚ୍ ଅମୋଲ୍ ମଜୁମଦାର ହରମନପ୍ରୀତ କୌରଙ୍କୁ ପୂରା ଟିମ୍ ହସ୍ତାକ୍ଷର ଥିବା ଏକ ଖାସ୍ ’୨୦୦’ ନମ୍ବରର ଜର୍ସି ଏବଂ କ୍ୟାପ୍ ଦେଇଛନ୍ତି ।