ନୂଆଦିଲ୍ଲୀ,୨୧/୦୬; ଲେବାନନ ଉପରେ ଇସ୍ରାଏଲ୍ ବାରମ୍ବାର ଆକ୍ରମଣକୁ ନେଇ ଶନିବାର କଠୋର ଆଭିମୁଖ୍ୟ ଆପଣାଇଛି ଇରାନ୍ । ଏଥିପାଇଁ ଆମେରିକାକୁ ସିଧାସଳଖ ଦାୟୀ କରି ପୁଣି ହୋର୍ମୁଜ ପ୍ରଣାଳୀକୁ ବନ୍ଦ କରିଦେଇଛି । ଇରାନର ଜଏଣ୍ଟ ମିଲିଟାରି କମାଣ୍ଡ ହୋର୍ମୁଜ ବନ୍ଦ ନେଇ ଘୋଷଣା କରିବା ପରେ ସମଗ୍ର ବିଶ୍ୱକୁ ଝଟକା ଲାଗିଛି । ଆମେରିକା-ଇରାନ ମଧ୍ୟରେ ହୋଇଥିବା ସଦ୍ୟ ଶାନ୍ତି ବୁଝାମଣା ଉପରେ ବି ସଙ୍କଟ ସୃଷ୍ଟି ହୋଇଛି । ଇରାନ ହୋର୍ମୁଜ ବନ୍ଦ ନେଇ ଘୋଷଣା କରିବା ପୂର୍ବରୁ ଶନିବାର ମୋଟ ୫୫ ବାଣିଜ୍ୟିକ ଜାହାଜ ଏହି ଜଳମାର୍ଗ ଅତିକ୍ରମ କରିଥିଲା । ଏହାଦ୍ୱାରା ବୃହତ ମାତ୍ରାର ସାମଗ୍ରୀ ଏବଂ ୧.୭ କୋଟିରୁ ଅଧିକ ବ୍ୟାରେଲ୍ ତୈଳ ବିଶ୍ୱ ବଜାରରେ ପହଞ୍ଚିଛି ।
ଆମେରିକାର ସେଣ୍ଟ୍ରାଲ କମାଣ୍ଡ ହିଁ ଏହି ସୂଚନା ଦେଇଛି । ବଡ଼ କଥା ହେଉଛି ଆଜି ୯୪ କ୍ରୁ ସଦସ୍ୟ ସହ ଭାରତୀୟ ପତାକା ଲାଗିଥିବା ୩ଟି ତୈଳ ଟ୍ୟାଙ୍କର ସୁରକ୍ଷିତ ଭାବେ ହୋର୍ମୁଜ ପାର୍ କରିଛି । ଏଥିରେ ୮.୬ ଲକ୍ଷ ମେଟ୍ରିକ ଟନ ତୈଳ ରହିଛି । ଜାହାଜ ଚଳାଚଳ ସଂଖ୍ୟା ଧୀରେ ଧୀରେ ବଢ଼ୁଥିବା ବେଳେ ହୋର୍ମୁଜକୁ ପୁଣି ଇରାନ ବନ୍ଦ କରିଦେଇଛି । ହୋର୍ମୁଜ ଜଳମାର୍ଗ ଦେଇ କୌଣସି ଜାହାଜ ଅତିକ୍ରମ କଲେ ସୁରକ୍ଷା ଗ୍ୟାରେଣ୍ଟି ଦେଇହେବ ନାହିଁ ବୋଲି ଇରାନର ରିଭଲ୍ୟୁସନାରି ଗାର୍ଡ (ଆଇଆରଜିସି) ଚେତାବନୀ ଦେଇଛି । ଆଇଆରଜିସି କହିଛି, ପ୍ରଥମ ପଦକ୍ଷେପ ସ୍ୱରୂପ ଏବେ କେବଳ ହୋର୍ମୁଜକୁ ବନ୍ଦ କରାଯାଇଛି ।
ଏହାସତ୍ତେ୍ୱ ଯଦି ଲେବାନନ ଉପରେ ଇସ୍ରାଏଲ୍ର ଆକ୍ରମଣ ନ ଥମେ, ତେବେ ଆହୁରି ବଡ଼ ପଦକ୍ଷେପ ଗ୍ରହଣ କରିବୁ । ଆମେରିକା ହିଁ ସର୍ତ୍ତ ଉଲ୍ଲଂଘନ କରିଥିବା ଇରାନ ଅଭିଯୋଗ କରିଛି । ଇରାନର ବିଦେଶ ମନ୍ତ୍ରଣାଳୟ ମୁଖପାତ୍ର ଇସମାଇଲ ବଘାଇ କହିଛନ୍ତି, ଆମେ ନିଜର ସମସ୍ତ ଦାୟିତ୍ୱ ପୂରଣ କରିଛୁ । କିନ୍ତୁ ଲେବାନନ ଉପରେ ଇସ୍ରାଏଲ୍ର ଆକ୍ରମଣକୁ ରୋକିବାରେ ଆମେରିକା ବିଫଳ ହୋଇଛି । ଲେବାନନରେ ଯୁଦ୍ଧବିରତି ଉଲ୍ଲଂଘନ ତମାମ ଶାନ୍ତି ବୁଝାମଣାକୁ ସଙ୍କଟରେ ପକାଇ ଦେଇଛି । ଇରାନ ବର୍ତ୍ତମାନ ଆମେରିକା ସହିତ ଆଲୋଚନା ଲାଗି ସ୍ୱିଜରଲାଣ୍ଡକୁ ନିଜର ପ୍ରତିନିଧି ମଣ୍ଡଳୀ ପଠାଉଛି । ଲେବାନନ ଉପରେ ହମଲା ବନ୍ଦ ପାଇଁ ଆମେ ପୁନର୍ବାର ଦାବି କରିବୁ । ଯଦି ଏହା ପୂରଣ ନ ହୁଏ, ତେବେ ଇରାନ ବି ସମାନ ପ୍ରକାର ପଦକ୍ଷେପ ଗ୍ରହଣ କରିବ । ଗତ ୧୭ ତାରିଖ ରାତିରେ ଆମେରିକା ଓ ଇରାନ ମଧ୍ୟରେ ଶାନ୍ତି ବୁଝାମଣା ସ୍ୱାକ୍ଷର ହୋଇଥିଲା । ଏଥିରେ ହୋର୍ମୁଜକୁ ଖୋଲିବା ଏବଂ ଲେବାନନରେ ଆକ୍ରମଣ ବନ୍ଦ ନେଇ ପ୍ରମୁଖ ସର୍ତ୍ତ ରହିଥିଲା । ଏଥିସହ ଆଗାମୀ ୬୦ ଦିନ ମଧ୍ୟରେ ଶାନ୍ତି ଆଲୋଚନା ଆଗକୁ ବଢ଼ାଇ ଚୂଡ଼ାନ୍ତ ରାଜିନାମା କରାଇବାକୁ କଥା ଛିଣ୍ଡିଥିଲା । ଶାନ୍ତି ବୁଝାମଣା ସ୍ୱାକ୍ଷର ପରେ ବି ଲେବାନନ ଉପରେ ଆକ୍ରମଣ ଜାରି ରଖିଥିଲା ଇସ୍ରାଏଲ୍ ।
ଏହା ବି ପଢନ୍ତୁ...War: ଇରାନ୍ ଯୁଦ୍ଧ ସରିଲା...ତାଇୱାନରେ ଯୁଦ୍ଧ ପାଇଁ ପ୍ରସ୍ତୁତି ଆରମ୍ଭ ! ଦ୍ୱୀପକୁ ଚାରିପାଖରୁ ଘେରିଲା ଚୀନ୍
ଅନ୍ୟପକ୍ଷରେ ଆମେରିକା-ଇରାନ ଶାନ୍ତି ବୁଝାମଣାକୁ କାଏମ ରଖିବା ଲାଗି ବିଭିନ୍ନ ଦେଶ ଉଦ୍ୟମ ଆରମ୍ଭ କରିଛନ୍ତି । ଅନେକ ଦେଶର ଦୂତାବାସ ଅଧିକାରୀ ଶନିବାର ସ୍ୱିଜରଲାଣ୍ଡରେ ବୈଠକ ଜାରି ରଖିଛନ୍ତି । ସ୍ୱିସ୍ ବିଦେଶ ମନ୍ତ୍ରଣାଳୟ ମୁତାବକ, ଦେଶର ଲ୍ୟୁସର୍ନ ସହରସ୍ଥିତ ବର୍ଗେନଷ୍ଟକ୍ ରିସର୍ଟରେ ବିଭିନ୍ନ ଦେଶ ପକ୍ଷରୁ କୂଟନୈତିକ ଆଲୋଚନା ଆରମ୍ଭ ହୋଇଛି । ତେବେ ବୈଠକର ଏଜେଣ୍ଡା ବାବଦରେ ସୂଚନା ମିଳିନାହିଁ । ଇତିମଧ୍ୟରେ ପାକ୍ ଗୃହମନ୍ତ୍ରୀ ମୋହସିନ ନକଭି ଶନିବାର ଇରାନ ଗସ୍ତ କରିଛନ୍ତି । ସେପଟେ ୨୮ ଲକ୍ଷ କୋଟିର କ୍ଷତିପୂରଣ ପାଇଁ ଇରାନ ନିଜ ଜିଦ୍ରେ ଅଟଳ ରହିଛି । କିନ୍ତୁ ଉପସାଗରୀୟ ଦେଶଗୁଡ଼ିକ ରାଜି ହେଉନାହାନ୍ତି । ଟ୍ରମ୍ପ୍ ବି ଇରାନକୁ କୌଣସି ଅର୍ଥ ଦିଆଯିବ ନାହିଁ ବୋଲି ରୋକ୍ଠୋକ୍ କହି ଦେଇଛନ୍ତି । ତେଣୁ ଏହାକୁ ନେଇ କେଁ ରହିଛି । ସେହିଭଳି ଇସ୍ରାଏଲ୍ ଉପରେ ବି ବିଶ୍ୱର ନଜର ରହିଛି । ଏହା ଲେବାନନ ଉପରେ ଆକ୍ରମଣ ବନ୍ଦ ନ କଲେ, ପୂର୍ବ ସ୍ଥିତି ଫେରିବା ଆଶଙ୍କା ଦେଖାଦେଇଛି ।