ନୂଆଦିଲ୍ଲୀ,୨୧/୦୬; ଆମେରିକା ଓ ଇରାନ ମଧ୍ୟରେ ଶାନ୍ତି ବୁଝାମଣା ସ୍ୱାକ୍ଷର ହେବା ପରେ ମଧ୍ୟପ୍ରାଚ୍ୟ ଶାନ୍ତ ପଡ଼ିଥିଲା । ଏହାପରେ ଇସ୍ରାଏଲ୍ ଓ ହିଜବୁଲ୍ଲା ମଧ୍ୟରେ ବି ଯୁଦ୍ଧବିରତି ହୋଇଥିଲା । ଫଳରେ ସମଗ୍ର ବିଶ୍ୱ ଆଶ୍ୱସ୍ତ ହୋଇଥିଲା । ଶୁକ୍ରବାର ହିଁ ଏହି ଯୁଦ୍ଧବିରତି ହୋଇଥିଲା । କିନ୍ତୁ ଏହାର ୮ ଘଣ୍ଟା ପରେ ଲେବାନନ ଉପରେ ପ୍ରଚଣ୍ଡ ଆକ୍ରମଣ ଆରମ୍ଭ କରିଦେଇଛି ଇସ୍ରାଏଲ୍ । ଇସ୍ରାଏଲ୍ ପକ୍ଷରୁ ଦକ୍ଷିଣ ଲେବାନନରେ ଭୀଷଣ ଡ୍ରୋନ ଏବଂ ତୋପ ମାଡ଼ କରାଯିବା ଯୋଗୁ ୩୨ ଜଣଙ୍କ ମୃତ୍ୟୁ ଘଟିଛି । ଇସ୍ରାଏଲୀ ସେନା (ଆଇଡିଏଫ୍) ନବାତିୟେହ ଅଞ୍ଚଳରେ ଏହି ହମଲା କରିଛି । ହିଜବୁଲ୍ଲାକୁ ଟାର୍ଗେଟ ଆଳରେ ଏହା ଜନବସତି ଉପରେ ଜୋରଦାର ଆକ୍ରମଣ କରିଛି । ଏହାକୁ ନେଇ ପୁଣି ଚିନ୍ତା ଘାରିଛି ।
ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ କହିଛନ୍ତି, ଆମେ ନିଜ ସୁରକ୍ଷା ସହିତ କୌଣସି ସାଲିସ କରିବୁ ନାହିଁ । ବରଂ ଏହାକୁ ଆମେ ସର୍ବାଧିକ ପ୍ରାଥମିକତା ଦେବୁ । ଇସ୍ରାଏଲୀ ସେନା ଗାଜା ଓ ଲେବାନନ ଉପରେ ସାମରିକ ଅଭିଯାନ ଜାରି ରଖିବ । ଗାଜାରେ ହମାସ ଏବଂ ଲେବାନନରେ ହିଜବୁଲ୍ଲା ପଟୁ ବିପଦ ଥିବାରୁ ନେତନ୍ୟାହୁ ଆକ୍ରମଣ ଜାରି ରଖିବା କଥା କହିଛନ୍ତି । ଲେବାନନର ବେସାମରିକ ପ୍ରତିରକ୍ଷା ଏଜେନ୍ସି କହିଛି, ନବାତିୟେହ ଜିଲ୍ଲାରେ ଶନିବାର ବଡ଼ଧରଣର ଆକ୍ରମଣ ହୋଇଛି । ଯୁଦ୍ଧବିରତିର ମାତ୍ର କେଇ ଘଣ୍ଟା ପରେ ଏହି ହମଲା କରାଯାଇଛି । କଫାର ରେମାନ ଗ୍ରାମରେ ହୋଇଥିବା ହମଲାରେ ଜଣେ ସୈନ୍ୟ ପ୍ରାଣ ହରାଇଛନ୍ତି । ଟାୟର ଜିଲ୍ଲାରେ ବି ପ୍ରଚଣ୍ଡ ଆକ୍ରମଣ ହୋଇଛି । ଏଥିରେ ବାରିଶ ଗ୍ରାମରେ ଗୋଟିଏ ପରିବାରର ୪ ଜଣ ସଦସ୍ୟଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ଜଣେ ବ୍ୟକ୍ତି ଏବଂ ତାଙ୍କ ପତ୍ନୀ ଏବଂ ଦୁଇଟି ସନ୍ତାନ ରହିଛନ୍ତି ।
ଏହା ବି ପଢନ୍ତୁ...Israel and Hezbollah ceasefire: ଇସ୍ରାଏଲ-ହିଜ୍ବୁଲ୍ଲା ଯୁଦ୍ଧବିରତି; ନେତାନ୍ୟାହୁଙ୍କୁ କିପରି ମନାଇଲେ ଆମେରିକା-କାତାର ?
ଲେବାନନ ସେନା କହିଛି, ଇସ୍ରାଏଲ୍ କରିଥିବା ଆକ୍ରମଣ ଯୋଗୁ ଅସ୍ଥିରତି ବଢିବ । ସେମାନେ ଯୁଦ୍ଧବିରତି ପାଇଁ ସହମତି ହେବା ପରେ ଏଭଳି ଆକ୍ରମଣ କରିଛନ୍ତି । ପୂର୍ବରୁ ସେମାନେ ଅନେକ ଥର ଯୁଦ୍ଧବିରତି ଉଲ୍ଲଘଂନ କରିଛନ୍ତି । ଏଥରେ ଆମେରିକା ମଧ୍ୟସ୍ଥତାରେ ଯୁଦ୍ଧବିରତି ହୋଇଥିଲେ ବି ସେମାନେ ପାଳନ କରିନାହାନ୍ତି । ଏଭଳି ସ୍ଥିତିରେ ଆସନ୍ତା ୨୩ ଓ ୨୫ରେ ତାରିଖରେ ୱାସିଂଟନ ଡିସିରେ ଇସ୍ରାଏଲ ଏବଂ ଲେବାନନ ମଧ୍ୟରେ ସାନି ଆଲୋଚନା ହେବା ନେଇ ଆମେରିକା ବିଦେଶ ବିଭାଗ ପକ୍ଷରୁ କୁହାଯାଇଛି ।