ନୂଆଦିଲ୍ଲୀ ୨୧/୦୬: ବିଶ୍ୱ ତାଙ୍କୁ ଆମେରିକା ରାଷ୍ଟ୍ରପତି, ଅରବପତି ବ୍ୟବସାୟୀ ଓ ବିଶ୍ୱ ରାଜନୀତିର ସବୁଠୁ ଚର୍ଚ୍ଚିତ ଚେହେରା ଭାବେ ଜାଣେ । କିନ୍ତୁ ହ୍ୱାଇଟ୍ ହାଉସ୍ର ରୁଦ୍ଧ ଦ୍ୱାର ପଛରେ ଡୋନାଲ୍ଡ ଟ୍ରମ୍ପ୍ଙ୍କ ଜୀବନ କେମିତି? ସେ ଶୟନକକ୍ଷରେ କେମିତି ରହନ୍ତି? ତାଙ୍କର ଦୈନନ୍ଦିନ ଅଭ୍ୟାସ ସବୁ କ’ଣ? ଏକ ନୂଆ ପୁସ୍ତକରେ ଏ ସବୁ ପ୍ରଶ୍ନର ଉତ୍ତର ରହିଛି । ଏହାକୁ ପଢ଼ି ଲୋକେ କେବଳ ଚକିତ ହେଉନାହାନ୍ତି, ମଜା ମଧ୍ୟ ନେଉଛନ୍ତି ।
ପୁସ୍ତକରେ ଉଲ୍ଲେଖ ହୋଇଛି, ଟ୍ରମ୍ପ୍ ରାତିରେ ଚିପ୍ସ ଖାଆନ୍ତି । ଏହା ପରେ ଖୋଳ ଓ ଖାଲି ଡବା ଚଟାଣରେ ଫିଙ୍ଗିଦିଅନ୍ତି । ସ୍ନାନାଗାରରେ କାର୍ପେଟ୍ ବିଛାଇଥାନ୍ତି ଏବଂ ହ୍ୱାଇଟ୍ ହାଉସ୍ ବଖରାଗୁଡ଼ିକର ସାଜସଜା ମଧ୍ୟ ନିଜ ଇଚ୍ଛା ଅନୁସାରେ ବଦଳାନ୍ତି । ଏହି ଦାବି ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚିତ ହୋଇଛି ।
ଦ ଡେଲି ବିଷ୍ଟ୍ର ରିପୋର୍ଟ ଅନୁସାରେ, ହ୍ୱାଇଟ୍ ହାଉସ୍ ସମ୍ବାଦିକ ମ୍ୟାଗି ହାବରମ୍ୟାନ୍ ଓ ଜୋନାଥନ ସ୍ୱାନ୍ଙ୍କ ଆଗାମୀ ପୁସ୍ତକ ‘ରିଜିମ୍ ଚେଞ୍ଜ: ଇନ୍ସାଇଡ୍ ଦ ଇମ୍ପିରିୟଲ ପ୍ରେସିଡେନ୍ସି ଅଫ୍ ଡୋନାଲ୍ଡ ଟ୍ରମ୍ପ୍’ରେ ଟ୍ରମ୍ପ୍ଙ୍କ ବ୍ୟକ୍ତିଗତ ଅଭ୍ୟାସ ସମ୍ପର୍କରେ ବର୍ଣ୍ଣନା ହୋଇଛି । ପୁସ୍ତକ ଅନୁସାରେ, ଟ୍ରମ୍ପ୍ ବିଳମ୍ବିତ ରାତିରେ ପ୍ରାୟତଃ ଆଳୁ ଚିପ୍ସ, ଆଇସ୍କ୍ରିମ୍ ଆଦି ଖାଆନ୍ତି । ସକାଳେ କର୍ମଚାରୀଙ୍କୁ ତାଙ୍କ କୋଠରୀରେ ଖାଲି ଚିପ୍ସ ପ୍ୟାକେଟ୍, ଷ୍ଟାର୍ବକ୍ସର ଖୋଳ ଓ ଆଇସ୍କ୍ରିମ୍ ଡବା ମିଳେ । ବେଳେବେଳେ ଏଗୁଡ଼ିକ ଡଷ୍ଟବିନ୍ରେ ମିଳେ ଏବଂ ଅନେକ ସମୟରେ ସିଧା ଚଟାଣରେ ପଡ଼ିଥାଏ ।
ସେତିକି ନୁହେଁ, ପୁସ୍ତକରେ ଦାବି କରାଯାଇଛି ଯେ କର୍ମଚାରୀଙ୍କୁ ଟ୍ରମ୍ପ୍ ଫିଙ୍ଗୁଥିବା ଅଳିଆ ଉପରେ ନଜର ରଖିବାକୁ ପଡ଼େ, କାରଣ ଟ୍ରମ୍ପ୍ ବେଳେବେଳେ ହ୍ୱାଇଟ୍ ହାଉସ୍ର ରୁପା ବାସନକୁ ମଧ୍ୟ ଭୁଲରେ ଡଷ୍ଟବିନ୍ରେ ଫିଙ୍ଗିଦିଅନ୍ତି । ଟ୍ରମ୍ପ୍ଙ୍କ ସ୍ନାନାଗାରକୁ ନେଇ ପୁସ୍ତକରେ ମଜାଦାର କଥା ଉଲ୍ଲେଖ ହୋଇଛି । ଲେଖକଙ୍କ ଅନୁସାରେ, ସ୍ନାନାଗାରରେ ଟ୍ରମ୍ପ୍ କାର୍ପେଟ୍ ଖୁବ୍ ପସନ୍ଦ କରନ୍ତି । ପୁସ୍ତକରେ ଆହୁରି ଦାବି ହୋଇଛି, ଟ୍ରମ୍ପ୍ ଓ ତାଙ୍କ ପତ୍ନୀ ମେଲାନିଆ ଟ୍ରମ୍ପ୍ ଗୋଟିଏ ଶୟନକକ୍ଷରେ ରହନ୍ତି ନାହିଁ ।
ଆହୁରି ପଢ଼ନ୍ତୁ...ଟ୍ରମ୍ପ ଜଣେ 'ଶସ୍ତା, ଅଶ୍ଳୀଳ ଏବଂ ଅସଭ୍ୟ ବ୍ୟକ୍ତି', ଜର୍ଜିଆ ମେଲୋନିଙ୍କୁ ନେଇ ମନ୍ତବ୍ୟ ଉପରେ ଜାଭେଦ ଅଖତରଙ୍କ ସମାଲୋଚନା
ରିପୋର୍ଟ ଅନୁସାରେ, ମେଲାନିଆ ମୁଖ୍ୟ ଶୟନକକ୍ଷରେ ରହନ୍ତି ଏବଂ ଟ୍ରମ୍ପ୍ ପାଖ କୋଠରୀକୁ ଶୟନକକ୍ଷ କରିଛନ୍ତି । ଏହି କୋଠରୀକୁ ହ୍ୱାଇଟ୍ ହାଉସ୍ ନକ୍ସାରେ ଲିଭିଂ ରୁମ୍ ରୂପେ ଦର୍ଶାଯାଇଛି । ଆଉ ଏକ ମଜାଦାର କଥା ପୁସ୍ତକରେ ଉଲ୍ଲେଖ ହୋଇଛି । ହ୍ୱାଇଟ୍ ହାଉସ୍କୁ ଫେରିବା ପରେ ପରେ ସାଜସଜା ନିଶା ଟ୍ରମ୍ପ୍ଙ୍କୁ ଏମିତି ଘାରିଥିଲା ଯେ ଆଖପାଖରେ ଥିବା ବସ୍ତୁ ଉଠାଇ ସେ ନିଜ କୋଠରୀକୁ ନେଇଯାଉଥିଲେ । ଅନେକ ସମୟରେ ନିଜ ପସନ୍ଦ ହିସାବରେ ସେ କୋଠରୀକୁ ସଜାଉଥିଲେ । ଘରସଜାକୁ ନେଇ ଅନେକ ଥର ଟ୍ରମ୍ପ୍ ଓ ମେଲାନିଆଙ୍କ ମଧ୍ୟରେ ମତଭେଦ ମଧ୍ୟ ହୋଇଛି । ହ୍ୱାଇଟ୍ ହାଉସ୍ ତରଫରୁ ଏହି ଦାବି ଉପରେ କୌଣସି ପ୍ରତିକ୍ରିୟା ଆସିନାହିଁ ।