ନୂଆଦିଲ୍ଲୀ,୨୪/୧୨: ଭାରତୀୟ ପୁରୁଷ  ହକି ଦଳର ଅଧିନାୟକ ହର୍ମନପ୍ରୀତ ସିଂହ ଏବଂ  ପାରା ଆଥଲେଟ୍‌ ପ୍ରବୀଣ କୁମାର ଦେଶର ସର୍ବୋଚ୍ଚ  କ୍ରୀଡ଼ା ସମ୍ମାନ ‘ମେଜର ଧ୍ୟାନଚାନ୍ଦ ଖେଳ ରତ୍ନ’  ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି । ମାତ୍ର  ପ୍ୟାରିସ୍‌ ଅଲିମ୍ପିକ୍ସରେ ଡବଲ୍‌ ବ୍ରୋଞ୍ଜ ପଦକ ଜିତି  ଇତିହାସ ରଚିଥିବା ତାରକା ସୁଟର ମନୁ ଭାକରଙ୍କ  ନାମ ତାଲିକାରେ ସାମିଲ ନହେବା ସମସ୍ତଙ୍କୁ ଚକିତ  କରିଛି। ଅନ୍ୟ ପଟରେ ଅର୍ଜୁନ ପୁରସ୍କାର ପାଇଁ  ୩୦ଜଣଙ୍କ ନାମ ସୁପାରିସ୍‌ କରାଯାଇଛି । 

ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି  ଜଷ୍ଟିସ୍‌ ରାମସୁବ୍ରମଣ୍ୟନଙ୍କ ଅଧ୍ୟକ୍ଷତାରେ  ୧୨ଜଣିଆ ଚୟନ କମିଟି ‘ଖେଳରତ୍ନ’ ପୁରସ୍କାର ପାଇଁ ହର୍ମନପ୍ରୀତ ଓ ପ୍ରବୀଣଙ୍କ ନାମ ମନୋନୀତ  କରିଥିଲେ । ଗତ ପ୍ୟାରିସ୍‌ ଅଲିମ୍ପିକ୍ସରେ  ହର୍ମନପ୍ରୀତଙ୍କ ନେତୃତ୍ୱରେ ଭାରତୀୟ ଦଳ ବ୍ରୋଞ୍ଜ ପଦକ ହାସଲ କରିଥିଲା । ସେ ଦଳର  ସର୍ବାଧିକ ଗୋଲ୍‌ ସ୍କୋରର ସାବ୍ୟସ୍ତ ହୋଇଥିଲେ । ସେହିପରି ପାରା ଆଥଲେଟ ପ୍ରବୀଣ ପୁରୁଷ  ହାଇଜମ୍ପ ଟି-୬୪ ବର୍ଗରେ ଭାରତକୁ ସ୍ୱର୍ଣ୍ଣ  ପଦକ ଭେଟି ଦେଇଥିଲେ । ସେ ୨.୦୮ମିଟର  ଉଚ୍ଚ ଜମ୍ପ କରି ଏସୀୟ ରେକର୍ଡ଼ ସହ ସ୍ୱର୍ଣ୍ଣ ପଦକ  ଜିତିଥିଲେ । ଏହା ତାଙ୍କର ଦ୍ୱିତୀୟ ଅଲିମ୍ପିକ୍ସ  ପଦକ ରହିଥିଲା । ଗତ ଟୋକିଓ ଅଲିମ୍ପିକ୍ସରେ  ସେ ରୌପ୍ୟ ଜିତିଥିଲେ । 

ପ୍ୟାରିସ୍‌ ଅଲିମ୍ପିକ୍ସରେ ୨ଟି ବ୍ରୋଞ୍ଜ ପଦକ  ଜିତିଥିବା ମନୁ ‘ଖେଳରତ୍ନ’ ପୁରସ୍କାର ତାଲିକାରେ  ସ୍ଥାନ ନପାଇବା କ୍ରୀଡ଼ାପ୍ରେମୀଙ୍କୁ ମର୍ମାହତ କରିଛି ।  ସେ ଏହି ପୁରସ୍କାର ପାଇଁ ଆବେଦନ କରିନଥିବା  କ୍ରୀଡ଼ାମନ୍ତ୍ରଣାଳୟର ଜଣେ ଅଧିକାରୀ ସଫେଇ  ଦେଇଛି । ମାତ୍ର ମନୁଙ୍କ ପରିବାର ଏହାକୁ ଖଣ୍ଡନ  କରିଛନ୍ତି । ସେ ଏହି ପୁରସ୍କାର ଆବେଦନ  କରିଥିଲେ ବୋଲି ସ୍ପଷ୍ଟ କରିଛନ୍ତି । ନିକଟରେ ମନୁ  ସୋସିଆଲ୍‌ ମିଡିଆରେ ଲେଖିଥିଲେ, ମୁଁ ‘ଖେଳରତ୍ନ’  ପୁରସ୍କାର ପାଇବାକୁ ହକ୍‌ଦାର କି ନାହିଁ? ଏହାକୁ  ନେଇ ସୋସିଆଲ୍‌ ମିଡିଆ ଅନୁଗାମୀମାନେ ତାଙ୍କୁ ସମାଲୋଚନା କରିଥିଲେ । ଫଳରେ ସେ  ନିଜ ପୋଷ୍ଟକୁ ଡିଲିଟ୍‌ କରି ଦେଇଥିଲେ । ମନୁ  ଗତ ପ୍ୟାରିସ୍‌ ଅଲିମ୍ପିକ୍ସରେ ବ୍ୟକ୍ତିଗତ ମହିଳା  ଏୟାର ପିସ୍ତଲ (୧୦ମିଟର) ଏବଂ ମିକ୍ସଡ୍‌ ଟିମ୍‌  (ସରବଜୋତ ସିଂହଙ୍କୁ ସାଥୀ କରି)ରେ ବ୍ରୋଞ୍ଜ  ପଦକ ଜିତିଥିଲେ । 

ଭାରତୀୟ ଜାତୀୟ ରାଇଫଲ  ଆସୋସିଏସନ୍‌(ଏନ୍‌ଆରଏଆଇ) ମନୁଙ୍କ ନାମ  ସୁପାରିସ କରିବା ପାଇଁ ପ୍ରୟାସ ଆରମ୍ଭ କରିଛି ।  ଆସୋସିଏସନ୍‌ର ସଭାପତି କଳିକେଶ ନାରାୟଣ  ସିଂହଦେଓ ମନୁଙ୍କ ନାମ ସାମିଲ କରିବା ପାଇଁ କ୍ରୀଡ଼ା  ମନ୍ତ୍ରାଳୟକୁ ପତ୍ର ଲେଖିଥିବା ଜଣାଇଛନ୍ତି । ସେ  କହିଛନ୍ତି, ଆମେ କ୍ରୀଡ଼ା ମନ୍ତ୍ରାଳୟ ସହ ଯୋଗଯୋଗ  କରିଛୁ । ତାଙ୍କ ନାମ ସାମିଲ କରିବା ପାଇଁ ଆମେ  ଲିଖିତ ଭାବେ ଜଣାଇଛୁ । 

ଗତ ବର୍ଷ ଭାରତୀୟ ପେସ୍‌ ବୋଲର  ମହମ୍ମଦ ସାମି ଅର୍ଜୁନ ପୁରସ୍କାର ପାଇଁ ଆବେଦନ  କରିନଥିଲେ । ମାତ୍ର ବିସିସିଆଇର ହସ୍ତକ୍ଷେପ ପରେ  ତାଙ୍କୁ ପୁରସ୍କାର ତାଲିକାରେ ସାମିଲ କରାଯାଇଥିଲା ।  ଜାତୀୟ କ୍ରୀଡ଼ା ଦିବସ ପୁରସ୍କାର କମିଟି ସୋ  ମୋଟୋ କଗ୍ନିଜେନ୍ସ ନିୟମରେ ସାମିଙ୍କୁ ତାଲିକାଭୁକ୍ତ  କରିଥିଲେ । ମନୁଙ୍କ କ୍ଷେତ୍ରରେ କମିଟି ଏହି ନିୟମ  ଆପଣେଇବା ଆଶା କରାଯାଉଛି ।