ନୂଆଦିଲ୍ଲୀ, ୦୮/୧୦ : ହରିୟାଣାରେ ମ୍ୟାଜିକ୍ ନମ୍ଵର ଟପିଲା ବିଜେପି। କଂଗ୍ରେସକୁ ମାତ୍ ଦେଇ ବିଜେପି ମ୍ୟାଜିକ୍ ନମ୍ଵର ଛୁଇଁଛି। ଭାରତୀୟ ଜନତା ପାର୍ଟି ହରିୟାଣାରେ ଲଗାତର ତୃତୀୟ ଥର ସରକାର କରିବ ବୋଲି ସମ୍ଭାବନା ଉଜ୍ଜ୍ଵଳ ହୋଇଛି। ହରିୟାଣା ବିଧାନସଭା ନିର୍ବାଚନ ପାଇଁ ଭୋଟ୍ ଗଣତି ଜାରି ରହିଛି। ପ୍ରାରମ୍ଭିକ ଟ୍ରେଣ୍ଡ୍‌ରେ ରାଜ୍ୟରେ କଂଗ୍ରେସ ଆଗରେ ରହିଥିବା ବେଳେ ଏବେ ଟ୍ରେଣ୍ଡ୍ ବଦଳିଛି। ଦ୍ଵିତୀୟ ପର୍ଯ୍ୟାୟ ଭୋଟ୍ ଗଣତିରେ କଂଗ୍ରେସକୁ ମାତ୍ ଦେଇ ବିଜେପି ମ୍ୟାଜିକ୍ ନମ୍ଵର ଟପିଛି। ଶତାରୂଢ ଭାରତୀୟ ଜନତା ପାର୍ଟି ୪୯ଟି ସିଟ୍‌ରେ ଆଗୁଆ ରହିଛି। ସେହିପରି କଂଗ୍ରେସ ୩୪ଟି ସିଟ୍‌ରେ ଆଗରେ ରହିଛି। ଏତଦ୍ ବ୍ୟତୀତ ଅନ୍ୟ ଦଳ ଗୁଡ଼ିକ ୭ଟି ସିଟ୍‌ରେ ଆଗରେ ରହିଛନ୍ତି। ତେବେ ଆଗକୁ ଟ୍ରେଣ୍ଡ୍ ବଦଳିପାରେ ବୋଲି ଅନୁମାନ କରାଯାଉଛି। 

ସୂଚନାନୁଯାୟୀ, ଗତ ୫ ତାରିଖରେ ହରିୟାଣାର ୯୦ ସିଟ୍‌ରେ ଗୋଟିଏ ପର୍ଯ୍ୟାୟରେ ନିର୍ବାଚନ ହୋଇଥିଲା। ମତଦାନ ହାର ୬୭.୯ ପ୍ରତିଶତ ରହିଥିଲା। ଚଳିତ ନିର୍ବାଚନରେ ୧୦୧ ମହିଳା ଓ ୪୬୪ ସ୍ଵାଧୀନ ପ୍ରାର୍ଥୀଙ୍କ ସମେତ ୧୦୩୧ ପ୍ରାର୍ଥୀ ସେମାନଙ୍କ ଭାଗ୍ୟ ପରୀକ୍ଷା କରିଛନ୍ତି। ପ୍ରମୁଖ ପ୍ରାର୍ଥୀଙ୍କ ମଧ୍ୟରେ ମୁଖ୍ୟମନ୍ତ୍ରୀ ନାୟବ ସିଂହ ସୈନି, ବିରୋଧୀ ଦଳ ନେତା ଭୁପେନ୍ଦ୍ର ସିଂହ ହୁଦା, ଆଇଏନ୍‌ଏଲ୍‌ଡି ନେତା ଅଭୟ ଚୌତାଲା, ଜେଜେପିର ଦୁଶ୍ୟନ୍ତ ଚୌତାଲା, ବିଜେପିର ଅନିଲ ବିଜ୍ ଓ କଂଗ୍ରେସର ଭିନେଶ ଫୋଗଟ ରହିଛନ୍ତି। ଇସିଆଇ ଅନୁସାରେ, ଲାଡୱା ସିଟ୍‌ରେ ୧୬ରୁ ୩ ରାଉଣ୍ଡ୍ ମତଗଣନା ସରିଛି। ଏହି ସିଟ୍‌ରେ ମୁଖ୍ୟମନ୍ତ୍ରୀ ନାୟବ ସିଂହ ସୈନି ୩ ହଜାର ଭୋଟ୍‌ରେ ଆଗୁଆ ଅଛନ୍ତି। ତାଙ୍କ ପଛକୁ କଂଗ୍ରେସର ମେୱା ସିଂହ ରହିଛନ୍ତି। ସେହିପରି ସାମ୍ପଲା କିଲୋଇ ସିଟ୍‌ରେ ପୂର୍ବତନ ସିଏମ୍ ତଥା ବିରୋଧୀ ଦଳ ନେତା ଭୁପେନ୍ଦ୍ର ସିଂହ ହୁଦା ୨୫ ହଜାର ଭୋଟ୍‌ରେ ଆଗରେ ରହିଛନ୍ତି। ଦ୍ଵିତୀୟ ସ୍ଥାନରେ ବିଜେପିର ମଞ୍ଜୁ ହୁଦା ରହିଛନ୍ତି। 

ଏତଦ୍ ବ୍ୟତୀତ ରାଜ୍ୟର ସବୁଠୁ ବଡ଼ ସିଟ୍ ବାଦଶାହପୁରରେ ବିଜେପିର ଦବଦବା ନଜର ଆସିଛି। ଏହି ସିଟ୍‌ରେ ବରିଷ୍ଠ ନେତା ନରବୀର ସିଂହ ୧୦ ହଜାର ଭୋଟ୍‌ରେ ଆଗୁଆ ରହିଛନ୍ତି। ଦ୍ଵିତୀୟ ସ୍ଥାନରେ କଂଗ୍ରେସ ପ୍ରାର୍ଥୀ ବର୍ଦ୍ଧନ ଯାଦବ ରହିଛନ୍ତି।