ଜମିବାଡିକୁ ନେଇ ବଡଭାଇଙ୍କୁ ହତ୍ୟା ଘଟଣା: ଅଭିଯୁକ୍ତ ଦୁଇ ସାନଭାଇଙ୍କୁ ଆଜୀବନ ଜେଲ

ନୂଆପଡ଼ା,୫।୧୨: ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଥାନା ନେହେନା ଗାଁରେ ଜମିବାଡିକୁ ନେଇ ବଡଭାଇଙ୍କୁ ହତ୍ୟା ଘଟଣାରେ ଅଭିଯୁକ୍ତ ଦୁଇ ଭାଇଙ୍କୁ କାରାଦଣ୍ତାଦେଶ ହୋଇଛି। ଦୁଇ ସାନଭାଇଙ୍କୁ ଜିଲ୍ଲା ଦୌରା ଓ ଦେୱାନୀ ଜଜ୍ ଆଜୀବନ କାରାଦଣ୍ତାଦେଶ ଶୁଣାଇଛନ୍ତି।
ଖଡ଼ିଆଳ ଥାନା ନେହେନା ଗାଁର ବଡଭାଇ ଗୌତମ ଟାହାଣି, ମଝିଆ ଭାଇ ନରୋତ୍ତମ ଟାହାଣି ଓ ସାନ ଭାଇ ଦେବାର୍ଚ୍ଚନ ଟାହାଣୀଙ୍କ ମଧ୍ୟରେ ଜମିବାଡିକୁ ନେଇ ବିବାଦ ଲାଗି ରହିଥିଲା। ଗତ ୨୦୧୪ ଜୁନ ୬ ତାରିଖ ସକାଳେ ବଡଭାଇ ଗୌତମ ଓ ତାଙ୍କ ପୁଅ ଓମପ୍ରକାଶ ହଲ ନଙ୍ଗଳ ଧରି ନିଜ ଜମିକୁ ଚାଷ କରିବାକୁ ଯାଇଥିଲେ। ସେଠାରେ ସାନଭାଇ ଦେବାର୍ଚ୍ଚନ ଓ ଗୌତମଙ୍କ ମଧ୍ୟରେ ଝଗଡା ହୋଇଥିଲା। ଏହିସମୟରେ ନରୋତ୍ତମ ଓ ଦେବାର୍ଚ୍ଚନ ଅତକିର୍ତ ଭାବେ ଗୌତମଙ୍କୁ କାଠ ଫାଳିଆରେ ଆକ୍ରମଣ କରିଥିଲେ। ଗୌତମଙ୍କ ପୁଅ ଓମପ୍ରକାଶ ଚିତ୍କାର କରିବାରୁ ଅଭିଯୁକ୍ତ ଦୁଇ ଭାଇ ଫେରାର ହୋଇଥିଲେ।
ପରିବାର ଲୋକେ ଗୌତମଙ୍କୁ ଗୁରୁତର ଅବସ୍ଥାରେ ଖଡ଼ିଆଳ ଉପଖଣ୍ତ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ହେଲେ ସେଠାରେ ଗୌତମଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ପୂର୍ବାହ୍ନରେ ଗୌତମଙ୍କ ଶଳା ପଞ୍ଚା ବାଗ ଖଡ଼ିଆଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏନେଇ ଖଡ଼ିଆଳ ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ଅଭିଯୁକ୍ତ ଦୁଇ ଭାଇକୁ ଗିରଫ କରି କୋର୍ଟ ଚାଳାଣ କରିଥିଲେ। ନୂଆପଡ଼ା ଜିଲ୍ଲା ଦୌରା ଓ ଦେୱାନୀ କୋଟରେ ମାମଲା ବିଚାରଧିନ ରହିଥିଲା।
ଆଜି ୧୯ ଜଣ ସାକ୍ଷୀ ଓ ୧୫ଟି ଦସ୍ତାବିଜକୁ ଭିତ୍ତି କରି ଜିଲ୍ଲା ଦୌରା ଓ ଦେୱାନୀ ଜଜ୍ ସଂଗ୍ରାମୀ କେଶରୀ ପଟ୍ଟନାୟକ ରାୟ ଶୁଣାଣି କରିଛନ୍ତି। ଏହି ମାମଲାରେ ସମସ୍ତ ସାକ୍ଷ ପ୍ରମାଣକୁ ଭିତ୍ତି କରି ଅଭିଯୁକ୍ତ ଦୁଇ ଭାଇଙ୍କୁ ଆଜୀବନ କାରାଦଣ୍ତରେ ଦଣ୍ତିତ କରିବା ସହ ୧୦ ହଜାର ଟଙ୍କା ଜରିମାନା କରିଛନ୍ତି କୋର୍ଟ। ଜରିମାନା ଅନାଦେୟ ହେଲେ ଆହୁରି ୬ ମାସ କାରାଦଣ୍ତ ଭୋଗିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସରକାରୀ ଓକିଲ ଭାବେ ମୃତକଙ୍କ ପକ୍ଷରୁ କ୍ୟାଡର ପିପି ବେଣୁଲାଲ ପ୍ରଧାନ ମାମଲାର ପରିଚାଳନା କରିଥିଲେ।