ନୂଆଦିଲ୍ଲୀ,୩୦/୧୧: ସଫା ଦାନ୍ତ ପାଇଁ ଭଲ ବ୍ରସର ବ୍ୟବହାର ଉପରେ ଗୁରୁତ୍ବ ଦେବା ଦରକାର । ଅନେକ ସମୟରେ ଦେଖିବାକୁ ମିଳେ କେହି କେହି ଗୋଟିଏ ବ୍ରସକୁ ଅନେକ ଦିନ ଧରି ବ୍ୟବହାର କରିଥାନ୍ତି । ଯାହାର କୁପ୍ରଭାବ ପଡିଥାଏ । ଦାନ୍ତ ସଫା ପାଇଁ ଉଦ୍ଦିଷ୍ଟ ବ୍ରସକୁ ଠିକ୍ ସମୟରେ ପରିବର୍ତ୍ତନ ନ କଲେ ଏହା ଦାନ୍ତ ପାଇଁ କ୍ଷତିକାରକ ହୋଇଥାଏ । ତେବେ ଗୋଟିଏ ବ୍ରସକୁ ବର୍ଷ ବର୍ଷ ଧରି ବ୍ୟବହାର କଣ ଅସୁବିଧା ହୁଏ ଆସନ୍ତୁ ଜାଣିବା ।
ଦାନ୍ତ ଘଷିବାକୁ ଗୋଟିଏ ବ୍ରସକୁ ଅଧିକ ଦିନ ବ୍ୟବହାର କରିବା ଦ୍ବାରା ଏହାର କୁପ୍ରଭାବ ଦାନ୍ତ ଉପରେ ପଡିଥାଏ । ବ୍ରସ ଯେତେ ଯେତେ ପୁରୁଣା ହୁଏ ତାହା ଜୀବାଣୁର ଘର ହୋଇଯାଏ । ଯାହା ଅନେକ ଦାନ୍ତ ସମସ୍ୟାକୁ ଆମନ୍ତ୍ରଣ କରିଥାଏ । ପୁରୁଣା ବ୍ରସରେ ଜମିଥିବା ଜୀବାଣୁ ମୁଖ ସଂକ୍ରମଣର କାରଣ ହୋଇଥାଏ । ଠିକ୍ ସମୟରେ ବ୍ରସ୍ ନ ବଦଳାଇଲେ ମାଢି ଫୁଲିବା ସହିତ ସଂକ୍ରମଣ ହେବା ଆଶଙ୍କା ବଢିଥାଏ । ଘୋରି ହୋଇଥିବା ବ୍ରସରେ ଦାନ୍ତ ଭଲରେ ସଫା ହୋଇନଥାଏ । ଫଳରେ କ୍ୟାଭିଟି ସମସ୍ୟା ଦେଖାଦିଏ ।
ଦନ୍ତ ଚିକିତ୍ସକଙ୍କ ଅନୁସାରେ, ପ୍ରତି ତିନିମାସରେ ବ୍ରସ୍ ବଦଳାଇବା ଆବଶ୍ୟକ । ଏହା ଦ୍ବାରା ଦାନ୍ତ ସଫା ରହିବା ସହ ମାଢୀ ଦୃଢ ହୋଇଥାଏ । ବ୍ରସ୍ କିଣିବା ସମୟରେ ଏହା ଯେପରି ହାତରେ ଭଲ ଭାବେ ଧରି ହେଉଥିବ ଏବଂ ପାଟିର କୋଣ ଅନୁକୋଣ ସଫା କରିପାରୁଥିବ ସେଥିପ୍ରତି ଗୁରୁତ୍ବ ଦିଅନ୍ତୁ ।