ବର୍ତ୍ତମାନ ସମୟରେ ପ୍ରତ୍ୟେକ ପରିବାରରେ "ପାରିବାରିକ କଳହ' ଏକ ସାଧାରଣ ଘଟଣା ଭାବରେ ଉଭା ହୋଇଛି । ଅନେକ ସମୟରେ ଯାହା ଏକ ଉଗ୍ର ଓ ଉତ୍କଟ ସମସ୍ୟାରେ ରୂପାନ୍ତରିତ ହୋଇ ବିଭିନ୍ନ ଗଣମାଧ୍ୟମର ଶିରୋନାମା ପାଲଟୁଛି । ଉକ୍ତ କଳହର ଅନେକ ପ୍ରକାର ମଧ୍ୟରୁ ସ୍ୱାମୀ-ସ୍ତ୍ରୀ ମଧ୍ୟରେ ଘଟୁଥିବା କଳହ ଟିକିଏ ଭିନ୍ନ! ଯାହାକି ପ୍ରତ୍ୟକ ଦିନ ପ୍ରତିଟି କାର୍ଯ୍ୟକଳାପ ଓ ଦୈନନ୍ଦିନ ଦରକାରିତାକୁ ନେଇ ପ୍ରାୟ ସମସ୍ତ ପରିବାରରେ ମୁଣ୍ଡ ଟେକିଥାଏ । ଏହାର ବିଭିନ୍ନ କାରଣ ମଧ୍ୟରୁ ଅର୍ଥ ଉପାର୍ଜନ ତଥା ଆୟ ଏବଂ ସାଧାରଣ ଚଳଣି ମଧ୍ୟରେ ଅନ୍ତର୍ଭୁକ୍ତ ପ୍ରତିଟି ଛୋଟ ଛୋଟ କାର୍ଯ୍ୟକଳାପ ଓ ଆବଶ୍ୟକତାଗୁଡ଼ିକର ସଠିକ୍ ନିର୍ବାହ ତଥା ସମ୍ପାଦନ ପ୍ରମୁଖ ଅଟନ୍ତି । ଦେଖାଯାଏ, ଯଦି ପରିବାରର ଆବଶ୍ୟକତାକୁ ଠିକ୍ରେ ପୂରଣ କରିପାରୁଥିବା ହିସାବରେ ଟଙ୍କା ରୋଜଗାର ନହୁଏ, ତେବେ ପରିବାର ମଧ୍ୟରେ ବିଶେଷ କରି ସ୍ୱାମୀ-ସ୍ତ୍ରୀ ମଧ୍ୟରେ ବିଭିନ୍ନ ପ୍ରକାର ମତଭେଦ ସୃଷ୍ଟିହୋଇ ଅନେକ ବିଶୃଙ୍ଖଳାର ସୂତ୍ରପାତ ହୋଇଥାଏ । ଯାହାକି ପରବର୍ତ୍ତୀ ମୁହୂର୍ତ୍ତରେ ସମ୍ପର୍କର ନିବିଡ଼ତା ଓ ଆଧାରକୁ ପ୍ରଭାବିତ ଏବଂ ଆଘାତ କରିଥାଏ ।
ଦ୍ୱିତୀୟତଃ, ଗୋଟିଏ ପରିବାର ଚାଲିବା ନିମନ୍ତେ ଏଥିରେ ବିଭିନ୍ନ ପ୍ରକାର ଦାୟିତ୍ୱ ଏବଂ କର୍ତ୍ତବ୍ୟ ବିଭିନ୍ନ ରୂପରେ ଦୈନନ୍ଦିନ ଭାବରେ ଅନ୍ତର୍ନିହିତ ରହିଥାଏ, ଯାହାକୁ ପରିବାରର ପ୍ରତିଟି ସଦସ୍ୟ ନିଜ ଉପରେ ନ୍ୟସ୍ତ ଥିବା ଉକ୍ତ ଦାୟିତ୍ୱ ଓ କର୍ତ୍ତବ୍ୟକୁ ଠିକ୍ଭାବରେ ସମ୍ପାଦନ କରିବା ବିଧେୟ । ଯଦି ଉକ୍ତ କର୍ତ୍ତବ୍ୟ ସମ୍ପାଦନରେ କିଛି ଅବହେଳା ପରିଲକ୍ଷିତ ହୁଏ, ତେବେ ତାହାଦ୍ୱାରା ପରିବାର ମଧ୍ୟରେ ବିଶୃଙ୍ଖଳା ସୃଷ୍ଟିହୁଏ । ଆଜିର ସମୟରେ ଯାହାକି ଅନେକ ସମ୍ପର୍କ ଭାଙ୍ଗିବାର ଏକ ବଡ କାରକ ସାଜିଛି । ସୃଷ୍ଟି ଓ ସ୍ରଷ୍ଟାଙ୍କର ନିୟମକୁ ଆଧାର କରି ମନୁଷ୍ୟକୁ ପୁରୁଷ ଓ ସ୍ତ୍ରୀ ଦୁଇଭାଗରେ ବିଭକ୍ତ କରାଯାଇଛି । ସେହି ଅନୁସାରେ ଗୋଟିଏ ପରିବାରର ଦାୟିତ୍ୱ ଓ କର୍ତ୍ତବ୍ୟକୁ ସାଧାରଣତଃ ଦୁଇଭାଗରେ ବିଭକ୍ତ କରାଯାଇଥାଏ ଏବଂ ପରିବାର ମଧ୍ୟରେ ଜଣେ ସ୍ତ୍ରୀ ଓ ପୁରୁଷ ନିଜ ପାଇଁ ଉଦ୍ଦିଷ୍ଟ ଥିବା କାର୍ଯ୍ୟଗୁଡ଼ିକୁ ନିର୍ବାହ ଓ ସମ୍ପାଦିତ କରିଥାନ୍ତି । ସର୍ବପ୍ରଥମେ ଜଣେ ପୁରୁଷ କୌଣସି ଏକ ବୃତ୍ତିକୁ ଗ୍ରହଣ କରି ଚାକିରି, ସେବା ପ୍ରଦାନ ଅଥବା କୌଣସି ଏକ ବ୍ୟବସାୟ ମାଧ୍ୟମରେ ଅର୍ଥ ଉପାର୍ଜନ କରିଥାଏ, ଯାହାକି ଜଣେ ପୁରୁଷର ପ୍ରମୁଖ ଏବଂ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଅଟେ । ଏତଦ୍ବ୍ୟତୀତ, ବିଭିନ୍ନ କଠିନ କାର୍ଯ୍ୟ ତଥା ଯେଉଁ କାର୍ଯ୍ୟ ବାହ୍ୟକାରକ ଦ୍ୱାରା ପ୍ରଭାବିତ ହୋଇଥାଏ ସେସବୁକୁ ଜଣେ ପୁରୁଷ ବହନ କରିଥାନ୍ତି । ସେଥିମଧ୍ୟରୁ ବଜାରରୁ ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟ କ୍ରୟ, ମନୋରଞ୍ଜନ ଉଦ୍ଦେଶ୍ୟରେ ବାହ୍ୟ ଭ୍ରମଣ, ଚିକିତ୍ସା ନିମନ୍ତେ ବଇଦଙ୍କର ପରାମର୍ଶ, ଛୋଟ ପିଲାମାନଙ୍କର ବିଭିନ୍ନ ବାହ୍ୟ ଦରକାରିତାକୁ ପୂରଣ ଆଦି ପ୍ରମୁଖ ଅଟେ ।
ଅପରପକ୍ଷରେ, ଜଣେ ସ୍ତ୍ରୀ ଗୋଟିଏ ଘର ଓ ପରିବାରର ଆନ୍ତଃ-ପରିଚାଳନାକୁ ସଂପୂର୍ଣ୍ଣ ଭାବରେ ଦେଖିଥାନ୍ତି । ତାହା ଘର ଠାକୁରପୂଜା ଠାରୁ ଆରମ୍ଭକରି ଦୈନିକ ଖାଦ୍ୟପଦାର୍ଥ ପ୍ରସ୍ତୁତି, ଘରର ପ୍ରତିଟି ଆସବାବପତ୍ର ଓ ଜିନିଷର ବ୍ୟବହାର, ଛୋଟପିଲା ଏବଂ ଗୁରୁଜନ ତଥା ବୟୋଜ୍ୟେଷ୍ଠ ସଦସ୍ୟଙ୍କର ସ୍ୱତନ୍ତ୍ର ଯତ୍ନ ନେବା ଆଦି ଦାୟିତ୍ୱ ଏବଂ କର୍ତ୍ତବ୍ୟକୁ ସଠିକ୍ ସମ୍ପାଦିତ କରିଥାନ୍ତି । କିନ୍ତୁ ଆଜିର ମହଙ୍ଗା ସମୟରେ ସାଧାରଣ ଜୀବନ ନିର୍ବାହ ମୂଲ୍ୟରେ ଅନେକ ବୃଦ୍ଧିହେବା ସହ ମନୁଷ୍ୟର ଆଶା, ଲକ୍ଷ୍ୟ ଓ ଅଭିଳାଷ ମଧ୍ୟ ବଢ଼ିଚାଲିଛି! ଯାହାଦ୍ୱାରା ଗୋଟିଏ ପରିବାରରେ କେବଳ ଜଣେ ପୁରୁଷର ଅର୍ଥ ରୋଜଗାରରେ ସେସବୁକୁ ବାସ୍ତବିକ ଭାବରେ ପୂରଣ କରିବା ବଡ଼ କଷ୍ଟକର ବ୍ୟାପାର ହୋଇପଡ଼ିଛି, ଯାହାକି ଅନେକ ପରିବାର ମଧ୍ୟରେ ବିଶୃଙ୍ଖଳା ସୃଷ୍ଟିର ଏକ ପ୍ରମୁଖ କାରଣ ସାଜିଛି! ଏଣୁ ଉଭୟ ସହର ଏବଂ ଗ୍ରାମାଞ୍ଚଳରେ ଗୋଟିଏ ପରିବାରରେ ନାରୀମାନେ ଆଜି ନିଜକୁ ସବଳ, ସ୍ୱାବଲମ୍ବୀ ଓ ଆତ୍ମନିର୍ଭରଶୀଳ କରିବା ଉଦ୍ଦେଶ୍ୟରେ କୌଣସି ରୋଜଗାର ପନ୍ଥାକୁ ଅନ୍ୱେଷେଣ କରି ଘର ମଧ୍ୟରୁ ବାହାରକୁ ଗୋଡ଼ କାଢ଼ିଛନ୍ତି । ତାହା ସରକାରୀ ବା ବେସରକାରୀ ସଂସ୍ଥାରେ କିଛି ବେତନରେ ଗୋଟିଏ ଚାକିରି ହେଉ ଅବା ନିଜର ପ୍ରଚେଷ୍ଟା କିମ୍ବା ସରକାରଙ୍କର ବିଭିନ୍ନ ଯୋଜନା ଭିତ୍ତିରେ ସ୍ୱୟଂସହାୟକ ଗୋଷ୍ଠୀ ମାଧ୍ୟମରେ କୁଟିର ଶିଳ୍ପ ଓ ଛୋଟ ବ୍ୟବସାୟ ମାଧ୍ୟମରେ ଅର୍ଥ ରୋଜଗାର କରି ନିଜେ ଆତ୍ମନିର୍ଭରଶୀଳ ହେବା ସହ, ସ୍ୱାମୀର ଆର୍ଥିକ କାନ୍ଧକୁ ଏକ ସହାୟତା ଓ ସହଯୋଗ ପ୍ରଦାନ କରିବା ବର୍ତ୍ତମାନ ସେମାନଙ୍କର ବଡ଼ ଉଦ୍ଦେଶ୍ୟ ସାଜିଛି । ଏହା ଅତ୍ୟନ୍ତ ଖୁସିର ବିଷୟ ଓ ସକାରାତ୍ମକ କାର୍ଯ୍ୟ ଅଟେ । କିନ୍ତୁ ଏହା ଘର ତଥା ପରିବାର ପାଇଁ ଜଣେ ମହିଳାଙ୍କ ପ୍ରତି ଉଦ୍ଦିଷ୍ଟ ଥିବା ଦାୟିତ୍ୱ ଓ କର୍ତ୍ତବ୍ୟ ସମ୍ପାଦନକୁ ଅନେକ ସମୟ ଓ କ୍ଷେତ୍ରରେ ପ୍ରଭାବିତ କରିଛି ଏବଂ ଉକ୍ତ କାର୍ଯ୍ୟ ସମ୍ପାଦନରେ ଅନେକ ଅବହେଳା ପରିଲକ୍ଷିତ ହେଉଛି । ତେବେ ଗୋଟିଏ ଦିବସର ସୀମିତ ସମୟ ସୀମା ମଧ୍ୟରେ ଏହିପରି ଘଟିବା ସ୍ୱାଭାବିକ ଅଟେ । କିନ୍ତୁ ପରବର୍ତ୍ତୀ ମୁହୂର୍ତ୍ତରେ ଏକ ଭୁଲ୍ ବୁଝାମଣା ସହ ତାହା ଏକ ପାରିବାରିକ ବିଶୃଙ୍ଖଳା ଓ କଳହରେ ରୂପାନ୍ତରିତ ହେବାର ଅନେକ ଘଟଣା ପ୍ରତ୍ୟହ ନଜରକୁ ଆସୁଛି ।
ପୁରାଣ ଅନୁସାରେ, ଗୋଟିଏ ଜୀବ ସମାଜ ତଥା ସମଗ୍ର ସୃଷ୍ଟିର ପରିକଳ୍ପନା, ସର୍ଜନା, ଉତ୍ପତ୍ତି ଏବଂ ଏହାର ପାଳନ ନିମନ୍ତେ ଭଗବାନ ଶଙ୍କର ତଥା ଆଦିଶକ୍ତିଙ୍କୁ ଅର୍ଦ୍ଧନାରୀଶ୍ୱର ବେଶ ଧରିବାକୁ ପଡ଼ିଥିଲା । ଉକ୍ତ ଅବତାର ମହିଳା ଏବଂ ପୁରୁଷର ଚରିତ୍ର ଓ ସେମାନଙ୍କର ଭୂମିକାକୁ ସମାନତାର ସନ୍ଦେଶ ଦେଇଥାଏ । ସମାଜ, ପରିବାର ଏବଂ ଜୀବନ ନିର୍ବାହରେ ଯେତିକି ମହତ୍ତ୍ୱ ଗୋଟିଏ ପୁରୁଷ ଚରିତ୍ରର ଅଛି, ସେତିକି ସ୍ତ୍ରୀର ମଧ୍ୟ ରହିଛି । ଜଣେ ଅନ୍ୟ ଜଣଙ୍କ ବିନା ଅସମ୍ପୂର୍ଣ୍ଣ ଅଟନ୍ତି । ଶାସ୍ତ୍ରରେ ଯାହା ବର୍ଣ୍ଣନା କରାଯାଇଛି "ସେ ହିଁ ନାରୀ, ସେ ହିଁ ପୁରୁଷ' । ସଂସାରରେ ପ୍ରତିଟି ଦାୟିତ୍ୱ ଏବଂ କର୍ତ୍ତବ୍ୟକୁ ସଠିକ୍ ସମ୍ପାଦନ କରିବା ନିମନ୍ତେ ପ୍ରତିଟି ଜୀବକୁ କେବେ ନାରୀ ତ' କେବେ ପୁଣି ପୁରୁଷ ହେବାକୁ ପଡ଼ିବ । ତେବେ ସଂସାର ରଥ ଠିକ୍ରେ ଏବଂ ଉଚିତ ମାର୍ଗରେ ଚାଲିପାରିବ ଓ ନିଜର ଲକ୍ଷ୍ୟସ୍ଥଳରେ ପହଞ୍ଚି ପାରିବ । ତେବେ ଉପରୋକ୍ତ ବର୍ଣ୍ଣିତ ସମସ୍ୟାର ଏକ ସମାଧାନ ଉଦ୍ଦେଶ୍ୟରେ, ଆଜିର ସମୟରେ ଜଣେ ପୁରୁଷକୁ ଅର୍ଦ୍ଧନାରୀ ଏବଂ ଗୋଟିଏ ନାରୀକୁ ଅର୍ଦ୍ଧପୁରୁଷ ହେବାକୁ ପଡ଼ିବ । ମହଙ୍ଗା ସମୟର ବିଭିନ୍ନ ଦରକାରିତାକୁ ପୂରଣ କରିବା ନିମନ୍ତେ ଜଣେ ସ୍ତ୍ରୀକୁ ରୋଜଗାର କରି ସ୍ୱାମୀକୁ ଆର୍ଥିକ ସହାୟତା ଦେବା ସହ ଘର ବାହାରର କିଛି କାର୍ଯ୍ୟ ମଧ୍ୟ ସମ୍ପାଦନ କରିବାକୁ ହେବ ।
ଅପରପକ୍ଷରେ, ଜଣେ ପୁରୁଷଙ୍କୁ ମଧ୍ୟ ନିଜର ଅହଂଭାବକୁ ପରିତ୍ୟାଗ କରି ଗୋଟିଏ ସ୍ତ୍ରୀ ପାଇଁ ଉଦ୍ଦିଷ୍ଟ ଥିବା ଘର ଭିତରର ବିଭିନ୍ନ କାର୍ଯ୍ୟ, ଦାୟିତ୍ୱ ଏବଂ କର୍ତ୍ତବ୍ୟ ସବୁକୁ ଠିକ୍ ନିର୍ବାହ ଓ ସମ୍ପାଦନ କରିବା ନିମନ୍ତେ ଏକ ସହାୟତା ଓ ସହଯାଗର ହାତ ବଢ଼ାଇବାକୁ ହେବ । ଏଥିପାଇଁ କେବଳ ଏକ ସକାରାତ୍ମକ ମନସ୍ତତ୍ତ୍ୱ ଓ ଅପୋସ ବୁଝାମଣାର ଆବଶ୍ୟକତା ରହିଛି । ତେବେ ଗୋଟିଏ ପରିବାର ଚଳିବା ତଥା ଚାଲିବା ନିମନ୍ତେ ଉଦ୍ଦିଷ୍ଟ ପ୍ରତ୍ୟେକ କାର୍ଯ୍ୟ ଓ ଦାୟିତ୍ୱ ସଠିକ୍ ଢଙ୍ଗରେ ସମ୍ପାଦିତ ହୋଇ ଏଥିରେ ଅନେକ ସମନ୍ୱୟ ଓ ସନ୍ତୁଳନ ଆସିପାରିବ । ଉକ୍ତ ସହଭାଗିତା ଦ୍ୱାରା ସ୍ୱାମୀ-ସ୍ତ୍ରୀ’ର ସମ୍ପର୍କ ମଧ୍ୟରେ ଆନ୍ତରିକତା ବଢ଼ିବା ସହ ନିବିଡ଼ ଓ ମଧୁର ହେବ । ପ୍ରତ୍ୟେକଙ୍କ ମନ, ହୃଦୟରେ ଉଭୟଙ୍କ ପାଇଁ ସମ୍ମାନ, ଆଦର ଓ ଦୁର୍ବଳତା ସୃଷ୍ଟିହେବ ଏବଂ ତାହା ଆଗାମୀ ଦିନରେ ସଂପର୍କକୁ ମଜବୁତ କରି ଗଢ଼ିତୋଳିବ ।