ପ୍ରମୂଖ ଖବର

Pahalgam Attack: ୧୭ ବର୍ଷ ଭାରତରେ ରହି ରାସନ କାର୍ଡ ପାଇବା ସହ ଭୋଟ ବି ଦେଇଥିଲେ; ପହଲଗାମ ଆକ୍ରମଣ ପରେ ଦେଶଛାଡ଼ିଲେ ପାକିସ୍ତାନୀ ନାଗରିକ

Published By : Bijay Swain | May 1, 2025 12:18 AM

Image courtesy: indiatoday

ନୂଆଦିଲ୍ଲୀ: ଜମ୍ମୁ ଓ କାଶ୍ମୀରର ପହଲଗାମରେ ୨୬ ଜଣଙ୍କ ଜୀବନ ନେଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଭାରତ ସରକାର ପାକିସ୍ତାନ ୫୦୦ ପାକିସ୍ତାନୀ ନାଗରିକଙ୍କ ପାଇଁ ଜାରି କରିଥିବା ଭିସା ବାତିଲ କରି ଦେଶ ଛାଡ଼ିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ପ୍ରକ୍ରିୟାରେ ଅଟାରୀ ବର୍ଡର ଦେଇ ପାକିସ୍ତାନକୁ ଫେରୁଥିବା ଜଣେ ପାକିସ୍ତାନୀ ନାଗରିକ ଓସାମାଙ୍କ କାହାଣୀ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଓସାମା ଦାବି କରିଛନ୍ତି ଯେ ସେ ଗତ ୧୭ ବର୍ଷ ଧରି ଭାରତରେ ରହୁଛନ୍ତି। କେବଳ ଏତିକି ନୁହେଁ ତାଙ୍କର ଆଧାର କାର୍ଡ, ଭୋଟର ଆଇଡି ଏବଂ ରାସନ କାର୍ଡ ମଧ୍ୟ ରହିଛି ଏବଂ ସେ ଭାରତୀୟ ନିର୍ବାଚନରେ ଅଂଶ ଗ୍ରହଣ କରି ଭୋଟ ମଧ୍ୟ ଦେଇଛନ୍ତି।

୨୦୦୮ ମସିହାରେ ବୈଧ ପାସପୋର୍ଟ ଓ ଭିସା ସହ ଓସାମା ଭାରତକୁ ଆସିଥିଲେ। ଜମ୍ମୁ ଓ କାଶ୍ମୀରର ଉରୀରେ ସେ ରହିବା ସହ ନିକଟସ୍ଥ ଅଞ୍ଚଳରେ କାମ ମଧ୍ୟ କରୁଥିଲେ। ଆଜି ପାକିସ୍ତାନ ଫେରିବା ଅବସରରେ ସେ କହିଛନ୍ତି ଯେ, “ଆମେ ବୈଧ ଭାବେ ଆସିଥିଲୁ। ଆମର ଭିସା ନିୟମିତ ଭାବେ ନବୀକରଣ ହେଉଥିଲା। ଆଧାର, ଭୋଟର ଆଇଡି, ରାସନ କାର୍ଡ ସବୁ ଏଠାରେ ହିଁ ତିଆରି ହୋଇଛି। ମୁଁ ଭୋଟ ମଧ୍ୟ ଦେଇଛି। ମୋର ଦଶମ ଓ ଦ୍ୱାଦଶ ଶ୍ରେଣୀ ଶିକ୍ଷା ଏଠାରେ ହିଁ ସମ୍ପୂର୍ଣ୍ଣ ହୋଇଛି। ଏବେ ମୁଁ ପାକିସ୍ତାନ ଯାଇ କ’ଣ କରିବି?” ବର୍ତ୍ତମାନ ସେ ସ୍ନାତକ ଡିଗ୍ରୀ କରୁଛନ୍ତି ଏବଂ ପରୀକ୍ଷା ପରେ ସରକାରୀ ଚାକିରି ପାଇଁ ଇଣ୍ଟରଭ୍ୟୁ ଦେବାକୁ ଯୋଜନା କରୁଥିଲେ।

ଓସାମା ସରକାରଙ୍କୁ ଅନୁରୋଧ କରିଛନ୍ତି ଯେ ଯେଉଁମାନେ ଦୀର୍ଘ ବର୍ଷ ଧରି ଭାରତରେ ରହୁଛନ୍ତି, ସେମାନଙ୍କ ପାଇଁ ମାନବୀୟ ନୀତି ବିଚାର କରାଯାଉ। ସେ କହିଛନ୍ତି, “ଆମେ ଏଠାରେ ଆମ ଜୀବନ କଟାଇଛୁ। ଦୟାକରି ଆମକୁ କିଛି ସମୟ ଦିଅନ୍ତୁ ଓ ଏହା ଉପରେ ବିଚାର କରନ୍ତୁ।”

ଓସାମା ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ତୀବ୍ର ନିନ୍ଦା କରିଛନ୍ତି। ସେ କହିଛନ୍ତି, “ପହଲଗାମରେ ଯାହା ହୋଇଛି, ତାହା ଲଜ୍ଜାଜନକ। ଧର୍ମକୁ ପରେ ହେଲେ ମାନବୀୟତା ପ୍ରଥମେ।” ସେ ଏହା ମଧ୍ୟ କହିଛନ୍ତି ଯେ କାଶ୍ମୀରୀ ଓ ଭାରତୀୟ ଏକତ୍ରିତ ହୋଇ ଏହି ଘଟଣାର ନିନ୍ଦା କରୁଛନ୍ତି।

ଓସାମାଙ୍କ ସହ ଅନ୍ୟ କେତେଜଣ ପାକିସ୍ତାନୀ ନାଗରିକ ମଧ୍ୟ ଅଟାରୀ ସୀମାନ୍ତ ଦେଇ ପାକିସ୍ତାନ ଫେରିଛନ୍ତି। ପାରଭୀନ ଅଖତାର, ଯିଏ ୪୦ ବର୍ଷ ଧରି ଭାରତରେ ରହି ଆସୁଥିଲେ, ସେ ଏନେଇ କହିଛନ୍ତି ଯେ, “ମୋର ତିନି ସନ୍ତାନ ଏଠାରେ ପଢ଼ିଛନ୍ତି। ଆମେ କ’ଣ ଅପରାଧ କରିଛୁ ଯେ ଆମକୁ ଏଭଳି କଠୋର ଶାସ୍ତି ମିଳୁଛି?” ଅନ୍ୟ ଜଣେ ମହିଳା ରଷଦା, ଯିଏ ୩୫ ବର୍ଷ ଧରି ଭାରତରେ ରହୁଥିଲେ ଓ ଜଣେ ଭାରତୀୟ ନାଗରିକଙ୍କୁ ବିବାହ କରିଛନ୍ତି, ସେ କହିଛନ୍ତି ଯେ ତାଙ୍କୁ ରାତି ୯:୩୦ରେ ସୀମାନ୍ତ ପାର କରିବାକୁ ସୁଚନା ଦିଆଯାଇଥିଲା। ସେ ଭାରତୀୟ ନାଗରିକତ୍ୱ ପାଇଁ ଆବେଦନ କରିଥିଲେ, କିନ୍ତୁ ଏ ପର୍ଯ୍ୟନ୍ତ ଯାଏଁ ଏନେଇ କୌଣସି ଉତ୍ତର ମିଳି ନାହିଁ।

ପହଲଗାମ ଆକ୍ରମଣ ପରେ ଭାରତ ସରକାର ପାକିସ୍ତାନ ବକ୍ଷୋପରେ କଠୋର ପଦକ୍ଷେପ ଗ୍ରହଣ କରିଛନ୍ତି। ୨୭ ଏପ୍ରିଲଠାରୁ ପାକିସ୍ତାନୀ ନାଗରିକଙ୍କ ପାଇଁ ଜାରି ସମସ୍ତ ଭିସା (ଦୀର୍ଘମିଆଦୀ, କୂଟନୈତିକ ଓ ଆଧିକାରିକ ଭିସା ବ୍ୟତୀତ) ବାତିଲ କରାଯାଇଛି। ପାକିସ୍ତାନୀ ନାଗରିକଙ୍କୁ ୪୮ ଘଣ୍ଟା ମଧ୍ୟରେ ଦେଶ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି। ଅନ୍ୟଥା ସେମାନଙ୍କୁ ଗିରଫ ଓ ୩ ବର୍ଷ ଜେଲ ଦଣ୍ଡ ସହ ଜୋରିମାନା ମଧ୍ୟ ହୋଇପାରେ। ଅଟାରୀ-ବାଘା ବର୍ଡର ବନ୍ଦ କରାଯିବା ସହ ସିନ୍ଧୁ ଜଳ ଚୁକ୍ତିକୁ ସ୍ଥଗିତ ରଖାଯାଇଛି। ତେବେ, କେରଳର କୋଝିକୋଡ଼ରେ ରହୁଥିବା ତିନି ପାକିସ୍ତାନୀ ନାଗରିକଙ୍କୁ ଜାରି ହୋଇଥିବା ଦେଶଛାଡ଼ ନୋଟିସ ପ୍ରତ୍ୟାହାର କରାଯାଇଛି। କାରଣ ସେମାନଙ୍କର ଦୀର୍ଘମିଆଦୀ ଭିସା ରହିଛି ଏବଂ ନବୀକରଣ ପାଇଁ ଆବେଦନ ଗୃହ ମନ୍ତ୍ରଣାଳୟ ନିକଟରେ ବିଚାରାଧୀନ ରହିଛି।

ଓସାମାଙ୍କ ମାମଲା ସାମ୍ନାକୁ ଆସିବା ପରେ ସାମାଜିକ ଗଣମାଧ୍ୟମରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି। ଅନେକ ଏହାକୁ ଜାତୀୟ ସୁରକ୍ଷା ପାଇଁ ଚିନ୍ତାର ବିଷୟ ବୋଲି କହିଛନ୍ତି। କିପରି ଜଣେ ବିଦେଶୀ ନାଗରିକ ଏତେ ଗୁରୁତ୍ୱପୂର୍ଣ୍ଣ ଦଲିଲ ପାଇ ଭୋଟ ଦେଇପାରିଲେ ଏହାକୁ ନେଇ ସମସ୍ତେ ପ୍ରଶ୍ନ କରିଚାଲିଛନ୍ତି। ରାଜନୈତିକ ଦଳମାନେ ମଧ୍ୟ ଏହି ଘଟଣାକୁ ନେଇ ସରକାରଙ୍କୁ ଘେରିବା ଆରମ୍ଭ କରିଦେଇଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.