ମୁମ୍ବାଇ ୨୯/୧୨: ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରା ଦୀର୍ଘ ବର୍ଷ ହେଲା ଭାରତୀୟ ସିନେମାକୁ କମ୍‌ବ୍ୟାକ୍‌ କରିବାକୁ ଅପେକ୍ଷା କରିଛନ୍ତି । ଫରହାନ୍‌ ଅଖତରଙ୍କ ଫିଲ୍ମ ‘ଜି ଲେ ଜରା’ ଜରିଆରେ ତାଙ୍କର ସେହି ଅପେକ୍ଷାର ଅନ୍ତ ହେବାର ଥିଲା । କିନ୍ତୁ ସେହି ଫିଲ୍ମ ପ୍ରାୟ ବନ୍ଦ ହେବା ଅବସ୍ଥାରେ । ଇତିମଧ୍ୟରେ ସେ ଏସ୍‌ ଏସ୍‌ ରାଜମୌଲିଙ୍କ ଅପକମିଂ ତେଲଗୁ ଫିଲ୍ମ ସାଇନ୍‌ କରିଥିବା ସାମ୍ନାକୁ ଆସିଛି । ସେହି ଫିଲ୍ମ ଆଫ୍ରିକୀୟ ଜଙ୍ଗଲ ଆଡ୍‌ଭେଞ୍ଚର ଉପରେ ଆଧାରିତ ହେବ । ସେଥିରେ ପ୍ରିୟଙ୍କାଙ୍କ ବିପକ୍ଷରେ ମହେଶ ବାବୁ ସ୍କ୍ରିନ୍‌ ସେୟାର କରିବେ । ମହେଶଙ୍କୁ ଜଣେ ଗବେଷକଙ୍କ ଭୂମିକାରେ ଦେଖିବାକୁ ମିଳିବ । ପ୍ରିୟଙ୍କା ଏଥିରେ କିଛି ଆକ୍ସନ୍‌ ଦୃଶ୍ୟରେ ବି ନଜର ଆସିବେ ।

ଫିଲ୍ମର ସ୍କ୍ରିପ୍ଟ ପ୍ରସ୍ତୁତ ହୋଇସାରିଥିବାବେଳେ ଆସନ୍ତାବର୍ଷ ଦେଶୀ ଗାର୍ଲ ଏହାର ସୁଟିଂ ଆରମ୍ଭ କରିବେ । ଭାରତ ବ୍ୟତୀତ ଆମେରିକା ଓ ଆଫ୍ରିକାର ଜଙ୍ଗଲରେ ଏହାର ସୁଟିଂ କରାଯିବ । ୨୦୨୭ରେ ଫିଲ୍ମଟି ରିଲିଜ୍‌ ହୋଇପାରେ । ଫିଲ୍ମର ଶୀର୍ଷକ ଚୂଡ଼ାନ୍ତ ହୋଇନାହିଁ । ତେବେ ତାହା ହିନ୍ଦୀ, ତାମିଲ, ମାଲାୟଲମ୍‌ ଓ କନ୍ନଡ଼ ଭାଷାରେ ବି ରିଲିଜ୍‌ ହେବ । ରାଜମୌଲି ଏହି ଫିଲ୍ମ ଲାଗି ଜଣେ ଏମିତି ଅଭିନେତ୍ରୀଙ୍କ ସନ୍ଧାନରେ ରହିଥିଲେ ଯାହାଙ୍କର ବୈଶ୍ୱିକ ସ୍ତରରେ ପରିଚୟ ଥିବ । ଗତ ୫-୬ ମାସ ହେଲା ସେ ଅନେକ ଥର ପ୍ରିୟଙ୍କାଙ୍କ ସହିତ ସାକ୍ଷାତ କରିବା ପରେ ଶେଷରେ ତାଙ୍କର ନାମକୁ ଚୂଡାନ୍ତ କରାଯାଇଛି । ପ୍ରିୟଙ୍କାଙ୍କୁ ଶେଷ ଥର ଲାଗି ବଡ଼ ପରଦାରେ ‘ଦ ସ୍କାଇ ଇଜ୍‌ ପିଙ୍କ୍‌’(୨୦୧୯)ରେ ଦେଖିବାକୁ ମିଳିଥିଲା । ଏହାପରେ ସେ ନେଟ୍‌ଫ୍ଲିକ୍ସର ଫିଲ୍ମ ‘ଦ ହ୍ୱାଇଟ୍‌ ଟାଇଗର’(୨୦୨୧)ରେ ନଜର ଆସିଥିଲେ ।