ଖରାଦିନେ ଯଦି ଏକ ଗ୍ଲାସ୍ ଲେମ୍ବୁ ପାଣି ମିଳିଯାଏ, ତେବେ ଖରା ଗରମରୁ ତ୍ରାହି ସହିତ ଶରୀରକୁ କିଛି ଭିଟାମିନ୍ ଓ ମିନେରାଲ ମଧ୍ୟ ମିଳିଥାଏ । ଏହା କେବଳ ଶରୀରକୁ ସତେଜତା ପ୍ରଦାନ କରିନଥାଏ ବରଂ ଏହା ସ୍ବାଦିଷ୍ଟ ଓ ଶରୀର ପାଇଁ ଆବଶ୍ୟକ ପୋଷକ ତତ୍ତ୍ବରେ ମଧ୍ୟ ପରିପୂର୍ଣ୍ଣ କରିଥାଏ।ଲେମ୍ୱୁ ପାଣି ଶରୀରକୁ ସତେଜତା ପ୍ରଦାନ କରିବା ସହିତ ଜଳୀୟ ଅଂଶ ବଢାଇବାରେ ସାହାଯ୍ୟ କରିଥାଏ । ଲେମ୍ବୁରେ ଭିଟାମିନ ସି ଓ ଆଣ୍ଟିଅକ୍ସିଡାଣ୍ଟର ପରିମାଣ ଅଧିକ ରହିଥାଏ । ଏହା ସହିତ ଏଥିରେ କମ୍ ପରିମାଣର ଫୋଲେଟ୍, ପୋଟାସିୟମ୍ ଓ ଭିଟାମିନ ବି ମିଶି ରହିଥାଏ । 

ଲେମ୍ବୁ ପାଣିର ଉପକାରିତା:

ହଜମ ପ୍ରକ୍ରିୟାରେ ଉନ୍ନତି: ଖାଇବା ଆଗରୁ ଏକ ଗ୍ଲାସ୍ ଲେମ୍ବୁ ପାଣି ପିଇବା ଦ୍ବାରା ପାଚନ ପ୍ରକ୍ରିୟାରେ ଯଥେଷ୍ଟ ଉନ୍ନତି ଆସିଥାଏ । ଲେମ୍ବୁ ପାଚନ ରସ କ୍ଷରଣ କରିବାରେ ସାହାଯ୍ୟ କରିଥାଏ । ଯାହା ଖାଦ୍ୟ ହଜମ କରିବା ପ୍ରକ୍ରିୟାରେ ସାହାଯ୍ୟ କରିଥାଏ ।


କିଡନୀ ଷ୍ଟୋନରୁ ମୁକ୍ତି ମିଳିପାରେ : ଲେମ୍ବୁରେ ଥିବା ସାଇଟ୍ରିକ୍ ଏସିଡ୍ କିଡନୀରେ ପଥର ତିଆରି ହେବାକୁ ଦିଏ ନାହିଁ । ବିଶେଷଜ୍ଞଙ୍କ ଅନୁଯାୟୀ ଏଥିରେ ଥିବା ସାଇଟ୍ରେଟ୍ ନାମକ ଉପାଦାନ ପରିସ୍ରାକୁ କମ୍ ଅମ୍ଳୀୟ କରିବା ସହିତ ଛୋଟ ଛୋଟ ପଥର ଗୁଡିକୁ ଭାଙ୍ଗି ଦିଏ ।

ଓଜନ ହ୍ରାସ କରିବାରେ ସାହାଯ୍ୟ: ପ୍ରତିଦିନ ଲେମ୍ବୁ ପାଣି ପିଇବା ଦ୍ବାରା ଏହା ଆପଣଙ୍କ ଓଜନକୁ ନିୟନ୍ତ୍ରଣରେ ରଖିବାରେ ସାହାଯ୍ୟ କରିଥାଏ । ବିଭିନ୍ନ ପରୀକ୍ଷଣରେ ଏହା ପ୍ରମାଣିତ ହୋଇସାରିଛି । ଗବେଷଣାରୁ ଜଣାପଡିଛି ଯେ, ଖାଦ୍ୟ ଗ୍ରହଣ କରିବା ଆଗରୁ ଆପଣ ଯଦି ପାଣି ପିଅନ୍ତି, ତେବେ ଆପଣଙ୍କ ଖାଇବା ପରିମାଣ ଆଗ ଅପେକ୍ଷା ହ୍ରାସ ପାଇଥାଏ ।

ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି: ଲେମ୍ବୁ ଭଳି ଖଟ୍ଟା ଫଳରେ ଭିଟାମିନ ସି ପ୍ରଚୁର ମାତ୍ରାରେ ରହିଥାଏ । ଏହା ଶରୀରକୁ ଫ୍ରି ରାଡିକାଲ୍ସରୁ ରକ୍ଷା କରିଥାଏ । ଶରୀରରେ ଫ୍ରି ରାଡିକାଲ୍ସ ଜ୍ବଳନ ସୃଷ୍ଟି କରିଥାଏ । ଏହାକୁ ସଠିକ ସମୟରେ ଗ୍ରହଣ କରିଲେ ଶରୀରରେ ଜ୍ବଳନ ହ୍ରାସ କରିଥାଏ । ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ ।