କଣ୍ଟାମାଳ,୧୪/୧୨ : ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ସଦର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ରବିବାର ଅଚାନକ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ପରିଦର୍ଶନରେ ଆସି ସ୍ୱାସ୍ଥ୍ୟକେନ୍ଦ୍ରର ବିଭିନ୍ନ ସମସ୍ୟାର ଅନୁଧ୍ୟାନ କରିଛନ୍ତି l ଏହି ଅବସରରେ ଚିକିତ୍ସାଧୀନ ରୋଗୀଙ୍କ ସ୍ବାସ୍ଥାବସ୍ଥା ପଚାରି ବୁଝି ସେମାନଙ୍କ ମତାମତ ଗ୍ରହଣ କରିଥିଲେ l ଏଥିସହ କୋଭିଡ଼ ଯୋଦ୍ଧାଙ୍କ ସ୍ମୃତିରେ ଡାକ୍ତରଖାନା ପରିସରରେ ବୃକ୍ଷରୋପଣ କରିଥିଲେ । ରୋଗୀ ସେବା, ଭିତ୍ତିଭୂମି, ସ୍ବଚ୍ଛତା ଇତ୍ୟାଦିକୁ ଗୁରୁତ୍ବ ଦେବା ସମ୍ପର୍କରେ ଡାକ୍ତରଖାନା ଭାରପ୍ରାପ୍ତ ମେଡିକାଲ ଅଫିସର ଡାକ୍ତର ଜଗଦୀଶ ସେଠୀଙ୍କ ସହ ବିସ୍ତୃତ ଆଲୋଚନା ଓ ବିଚାର ବିମର୍ଶ କରିଥିଲେ ।
ବିଶେଷ କରି ମେଡ଼ିକାଲ ଅଫିସର ଡକ୍ଟର ସେଠି ଉଚ୍ଚ ଶିକ୍ଷା ପାଇଁ ତାଲିମରେ ଯିବାକୁ ଥିବା ହେତୁ ତାଙ୍କ ସ୍ଥାନରେ ଅନ୍ୟ ଦକ୍ଷ ଡାକ୍ତର ନିଯୁକ୍ତି ଏକ ମୁଖ୍ୟ ସମସ୍ୟା ସୃଷ୍ଟି କରିଛି l ତେବେ ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମହାଲିଙ୍ଗଙ୍କୁ ସ୍ୱାସ୍ଥ୍ୟକେନ୍ଦ୍ରରେ ଦେଖି ସ୍ଥାନୀୟ ସଚେତନ ନାଗରିକମାନେ ଡାକ୍ତର ନିଯୁକ୍ତି ପାଇଁ ଏକ ଦାବିପତ୍ର ପ୍ରଦାନ କରିଥିଲେ l ଅଂଚଳର ଜନସାଧାରଣଙ୍କ ଦାବିକୁ ଅନୁଧ୍ୟାନ କରି ଖୁବଶୀଘ୍ର ଡାକ୍ତର ନିଯୁକ୍ତି କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ | ମନ୍ତ୍ରୀ ଶ୍ରୀ ମହାଲିଙ୍ଗଙ୍କ ସହିତ କଣ୍ଟାମାଳ ବିଧାୟକ କହ୍ନେଇ ଚରଣ ଡାଙ୍ଗ, ଜିଲ୍ଲାପରିଷଦ ସଭ୍ୟା ପଦ୍ମାଳୟା ପ୍ରଧାନ, ଶିକ୍ଷାବିତ ନୀଳାଞ୍ଚଳ ଭୋଇ, ସାମ୍ବାଦିକ ପ୍ରଭାତ ସାହୁ ଖମନମୁଣ୍ଡା ସରପଞ୍ଚ ଅଳକା ପ୍ରଧାନ, ଆଇନଜୀବୀ ଯଦୁଵିହାରୀ ବାଘ ସମେତ ଅଞ୍ଚଳବାସୀ ଓ ବିଜେପି ନେତାମାନେ ଉପସ୍ଥିତ ଥିଲେ।
ସେହିପରି ସ୍ଥାନୀୟ ଜନସାଧାରଣଙ୍କ ପାଇଁ ଉନ୍ନତ ସ୍ବାସ୍ଥ୍ୟସେବା ସୁନିଶ୍ଚିତ କରିବା ପାଇଁ ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ମହାଲିଙ୍ଗ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ । ଏଥିପାଇଁ ଆବଶ୍ୟକୀୟ ସମସ୍ତ ସହଯୋଗ ଯୋଗାଇଦେବା ନିମନ୍ତେ ଲୋକଙ୍କ ସରକାର ପ୍ରତିବଦ୍ଧ ଅଟନ୍ତି ବୋଲି କହିଥିଲେ l ପରେ ମନ୍ତ୍ରୀ ଶ୍ରୀ ମହାଲିଙ୍ଗ ପଲସାଗୋରାକୁ ଜନୈକ ବିଜେପି ଯୁବନେତାଙ୍କ ବିବାହ ଭୋଜିରେ ଯୋଗଦେବା ପାଇଁ ଯାଇଥିଲେ l