ନୂଆଦିଲ୍ଲୀ,୧୭/୦୬; ବିଶ୍ୱର ଅଧା ଶିଶୁ ଘୋର ଜଳବାୟୁ ସଙ୍କଟର ସାମ୍ନା କରୁଛନ୍ତି । ସେଥିରେ ଗ୍ରୀଷ୍ମ ପ୍ରବାହ, ବନ୍ୟା, ବାତ୍ୟା ଓ ମରୁଡି ଭଳି ବିପଦ ସାମିଲ ଅଛି । ଏସବୁ ଏକାଧିକ ବିପଦ ଯୋଗୁ ଭାରତ ସମେତ ସମଗ୍ର ବିଶ୍ୱରେ ୧୦୦ କୋଟିରୁ ଅଧିକ ଶିଶୁ ପ୍ରଭାବିତ ହୋଇଛନ୍ତି । ଯାହା ସେମାନଙ୍କ ଶିକ୍ଷା, ସ୍ୱାସ୍ଥ୍ୟ ଓ ଜୀବନ ଧାରଣ ଉପରେ ଗଭୀର ପ୍ରଭାବ ପକାଇଛି ବୋଲି ୟୁନିସେଫ୍ ପକ୍ଷରୁ ପ୍ରକାଶିତ ସଦ୍ୟତମ ଚିଲ୍‌ଡ୍ରେନ୍ କ୍ଲାଇମେଟ ରିସ୍କ ରିପୋର୍ଟ ୨୦୨୬ରେ କୁହାଯାଇଛି । ରିପୋର୍ଟରେ କୁହାଯାଇଛି ଯେ, ବିଶ୍ୱର ଅଧା ପିଲା ଜଳବାୟୁ ସଙ୍କଟ ଯୋଗୁ ସୃଷ୍ଟ ୩ଟି ପ୍ରାକୃତିକ ବିପର୍ଯ୍ୟୟର ସାମ୍ନା କରୁଛନ୍ତି । ବିଶେଷକରି ବର୍ତ୍ତମାନ ବୃଦ୍ଧି ପାଉଥିବା ଗ୍ରୀଷ୍ମପ୍ରବାହ, ବନ୍ୟା, ବାତ୍ୟା ଓ ମରୁଡି ଭଳି ସମସ୍ୟା ସେମାନଙ୍କୁ ଅଧିକ ପ୍ରଭାବିତ କରୁଛି । ୟୁନିସେଫ୍ ପକ୍ଷରୁ ଏ ସଂକ୍ରାନ୍ତରେ କିଛି ଫଟୋ ମଧ୍ୟ ଜାରି କରାଯାଇଛି । ଯେଉଁଥିରେ ଦେଖିବାକୁ ମିଳିଛି କି ପାପୁଆ ନ୍ୟୁ ଗିନିରେ ପିଲାମାନେ ସ୍କୁଲ ଯିବା ଲାଗି କୁମ୍ଭୀର ଭରା କେମ୍ପ ୱେଲ୍ଚ ନଦୀ ପାର ହେଉଛନ୍ତି ।

୨୦୧୨ରେ ପ୍ରବଳ ବର୍ଷା ଯୋଗୁ ନଦୀରେ ନିର୍ମିତ ପାଦଚଲା ପୋଲ ଧୋଇଯାଇଥିଲା । ହେଲେ ସେବେଠାରୁ ତାହା ଆଉ ନିର୍ମାଣ ହୋଇପାରିନାହିଁ । ଯାହାଫଳରେ ପିଲାମାନେ ପ୍ରତିଦିନ ଭରା ନଦୀରେ ପଶି ସ୍କୁଲ ଯିବାକୁ ବାଧ୍ୟ ହେଉଛନ୍ତି । ଏପରିକି ବର୍ଷାଋତୁରେ ନଦୀରେ ପଶି ଯିବା ମଧ୍ୟ ସମ୍ଭବ ହେଉନାହିଁ । ନଦୀର ପ୍ରଖର ସ୍ରୋତ ଯୋଗୁ ଜୀବନ ହାନିର ଆଶଙ୍କା ରହିଛି । ବର୍ତ୍ତମାନ ବୃଦ୍ଧି ପାଉଥିବା ତାପମାତ୍ରା ଓ ଖରାପ ପାଣିପାଗ ସବୁଠାରୁ ବଡ ସମସ୍ୟାର କାରଣ ବୋଲି ରିପୋର୍ଟରେ ଦର୍ଶାଯାଇଛି । କାରଣ ଏହା ଯୋଗୁ ଭିତ୍ତିଭୂମି ଉପରେ ଚାପ ପଡୁଛି । ଫଳରେ ରାସ୍ତା ଓ ପୋଲ କ୍ଷତିଗ୍ରସ୍ତ ହେଉଛି । ଯାହାର ପ୍ରଭାବ ସ୍ଥାନୀୟ ଲୋକମାନଙ୍କ ଉପରେ ବିଶେଷକରି ପିଲାମାନଙ୍କ ଉପରେ ପଡୁଛି । ବିଶ୍ୱରେ ପ୍ରାୟ ପ୍ରତ୍ୟେକ ଶିଶୁ କୌଣସି ନା କୌଣସି ଗୋଟିଏ ଜଳବାୟୁ ସଙ୍କଟର ସାମ୍ନା କରିବାକୁ ପଡୁଛି । ୧୨ କୋଟି ୩୦ ଲକ୍ଷରୁ ଅଧିକ ପିଲା ଏଭଳି ସ୍ଥାନରେ ରହୁଛନ୍ତି ଯେଉଁଠାରେ ସେମାନଙ୍କୁ ଅତିକମ୍ରେ ୬ଟି ଜଳବାୟୁ ସଙ୍କଟର ସାମ୍ନା କରିବାକୁ ହେଉଛି । କେବଳ ବିକାଶଶୀଳ ନୁହେଁ, ବିକଶିତ ଦେଶର ପିଲା ମଧ୍ୟ ଏହି ସଙ୍କଟରୁ ବାଦ୍ ପଡିନାହାନ୍ତି । ୟୁନିସେଫ ପକ୍ଷରୁ ପିଲାମାନଙ୍କ ଉପରେ ଜଳବାୟୁ ସଙ୍କଟ ଯୋଗୁ ପଡୁଥିବା ୮ଟି ବିପଦ ସମ୍ପର୍କରେ ଉଲ୍ଲେଖ କରାଯାଇଛି । ଯେଉଁଥିରେ ଉପକୂଳ ବନ୍ୟା, ନଦୀ ବନ୍ୟା, ମରୁଡି, ତାପମାତ୍ରା ବୃଦ୍ଧି, ଗ୍ରୀଷ୍ମ ପ୍ରବାହ, ଜଙ୍ଗଲ ନିଆଁ, ଧୂଳିଝଡ ଓ ବାତ୍ୟା ସାମିଲ ଅଛି ।

ରିପୋର୍ଟ ଅନୁସାରେ ମରୁଡି ଯୋଗୁ ୧୮୦ କୋଟି ଶିଶୁ ପ୍ରଭାବିତ ହୋଇଥିଲା ବେଳେ ଗ୍ରୀଷ୍ମ ପ୍ରବାହ ଯୋଗୁ ୧୫୦ କୋଟି, ତାପମାତ୍ରା ବୃଦ୍ଧି ଯୋଗୁ ୧୨୦ କୋଟି, ବାୟୁ ପ୍ରଦୂଷଣ ଯୋଗୁ ୨୩୦ କୋଟି,ଜଙ୍ଗଲ ନିଆଁ ଯୋଗୁ ୨୦.୬ କୋଟି, ଧୂଳିଝଡ ଯୋଗୁ ୧୨.୩ କୋଟି, ବାତ୍ୟା ଯୋଗୁ ୬୬.୨ କୋଟି, ବନ୍ୟା ଯୋଗୁ ୩୩.୭ କୋଟି ଏବଂ ଉପକୂଳ ବନ୍ୟା ଯୋଗୁ ୩୩ ଲକ୍ଷ ପ୍ରଭାବିତ ହେଉଛନ୍ତି । ଏହି ୮ଟି ଜଳବାୟୁ ବିପଦ ବ୍ୟତୀତ ବାୟୁ ପ୍ରଦୂଷଣ ଓ ମ୍ୟାଲେରିଆ ଯୋଗୁ କ୍ଷତିଗ୍ରସ୍ତ ହେଉଥିବା ପିଲାଙ୍କ ଉପରେ ବିଶ୍ଳେଷଣ କରାଯାଇଛି । ବିଶ୍ୱର ପ୍ରାୟ ସବୁ ପିଲା ବାୟୁ ପ୍ରଦୂଷଣ ଯୋଗୁ ପ୍ରଭାବିତ । ୧୦୦ କୋଟିରୁ ଅଧିକ ପିଲା ମ୍ୟାଲେରିଆ ପ୍ରବଣ ଅଞ୍ଚଳରେ ରହୁଛନ୍ତି । ଜଳବାୟୁ ବିପଦ ସହ ମ୍ୟାଲେରିଆ ଯୋଗୁ ସେମାନେ ଅଧିକ କ୍ଷତିଗ୍ରସ୍ତ ହେଉଛନ୍ତି । ରିପୋର୍ଟରେ ଚେତାବନୀ ଦିଆଯାଇ କୁହାଯାଇଛି କି ଯଦି ସବୁଜ ଗୃହ ବାଷ୍ପ ନିର୍ଗମନ ହ୍ରାସ କରିବା ଦିଗରେ ତୁରନ୍ତ ପଦକ୍ଷେପ ଗ୍ରହଣ କରା ନ ଯିବ ତେବେ ଜଳବାୟୁ ପରିବର୍ତ୍ତନର ପ୍ରଭାବ ଆହୁରି ଅଧିକ ତଥା ଭୀଷଣ ବିପଦ ଆଣିବ । ଫଳରେ ସରକାରୀ ବ୍ୟବସ୍ଥା ଓ ବଜେଟ ଉପରେ ଚାପ ପଡିବ ।

ଏହା ବି ପଢନ୍ତୁ...କାରରେ ଇଥାନଲ୍ ଫୁଏଲ୍ ବ୍ୟବହାର କଲେ କରି ହେବନି ଇନସ୍ୟୁରାନ୍ସ କ୍ଲେମ, ଜାଣନ୍ତୁ ଏହା ପଛର ସତ କ’ଣ

ଏହାଦ୍ୱାରା ପିଲାଙ୍କ ସ୍ୱାସ୍ଥ୍ୟ ଓ କଲ୍ୟାଣ ଆହୁରି ପ୍ରଭାବିତ ହେବ । ଭାରତ, ବାଂଲାଦେଶ, ମ୍ୟାଁମାର ଓ ପାକିସ୍ତାନ ଭଳି ଏସିଆ ମହାଦେଶର ପିଲା ବିଶ୍ୱର ଅନ୍ୟ ଦେଶର ପିଲା ସମ୍ମୁଖୀନ ହେଉଥିବା ସଙ୍କଟ ଅପେକ୍ଷା ଅଧିକ ବିପଦର ସାମ୍ନା କରୁଛନ୍ତି । ଅଧିକ ଆୟ କରୁଥିବା ଦେଶ ମଧ୍ୟ ଜଳବାୟୁ ସହ ଜଡିତ ଏକାଧିକ ସଙ୍କଟର ସମ୍ମୁଖୀନରୁ ବର୍ତ୍ତିପାରି ନାହାନ୍ତି । ଉଦାହରଣ ସ୍ୱରୂପ ଇଟାଲୀରେ ୬୦ ଲକ୍ଷରୁ ଅଧିକ ପିଲା ଲମ୍ବା ସମୟ ଧରି ରହିଥିବା ଗ୍ରୀଷ୍ମ ପ୍ରବାହ ଓ ମରୁଡିର ସାମ୍ନା କରିଆସୁଛନ୍ତି । ସେହିଭଳି ଜଳବାୟୁ ପରିବର୍ତ୍ତନ ଜନିତ ସଙ୍କଟ ବ୍ୟତୀତ ସ୍କୁଲରେ ମଧ୍ୟ ପିଲାମାନେ ସୁରକ୍ଷିତ ନଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି । ସେଥିରେ କୁହାଯାଇଛି କି ପିଲାମାନଙ୍କ ଉପରେ ସ୍କୁଲରେ ଆକ୍ରମଣ ୪୦ ପ୍ରତିଶତ ବଢ଼ିଛି । ଗ୍ଲୋବାଲ କୋଏଲିସନ ଟୁ ପ୍ରୋଟେକ୍ଟ ଏଜୁକେଶନ ଫ୍ରମ୍ ଆଟାକ୍‌ର ରିପୋର୍ଟ ଅନୁସାରେ ୨୦୨୪ ଓ ୨୦୨୫ରେ ସମଗ୍ର ବିଶ୍ୱରେ ଶିକ୍ଷା ଉପରେ ୪୦ ପ୍ରତିଶତ ଆକ୍ରମଣ ହୋଇଛି ।

ଏହି ସମୟ ଭିତରେ ୮,୫୫୬ଟି ଆକ୍ରମଣ ଘଟଣା ଘଟିଛି । ଯେଉଁଥିରେ ୧୦,୬୦୦ରୁ ଅଧିକ ପିଲା କିମ୍ବା ଶିକ୍ଷକ ମୃତାହତ ହୋଇଛନ୍ତି । ୮୩ଟି ଦେଶରେ ସ୍କୁଲ ଉପରେ ଆକ୍ରମଣ ହୋଇଛି । ସବୁଠାରୁ ଅଧିକ କଲମ୍ବିଆ, ଡେମୋକ୍ରାଟିକ ରିପବ୍ଲିକ ଅଫ୍ କଙ୍ଗୋ, ହାଇତି, ଇଥିଓପିଆ, ପାଲେଷ୍ଟାଇନ ଓ ୟୁକ୍ରେନ ଆଦି ଦେଶରେ ଘଟିଛି । ୟୁକ୍ରେନ ସ୍କୁଲରେ ଅତିକମ୍‌ରେ ୯୦୦ ଆକ୍ରମଣ ହୋଇଛି । ସେହିଭଳି ପାଲେଷ୍ଟାଇନରେ ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ଉପରେ ୨,୪୦୦ ଆକ୍ରମଣ ଘଟିଛି ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି ।