ନୂଆଦିଲ୍ଳୀ,୧୬।୬: ଯେବେଠାରୁ ପେଟ୍ରୋଲ-ଡିଜେଲର ମୂଲ୍ୟ ବୃଦ୍ଧି ପାଇଛି, ସେବେଠାରୁ E20 ଏବଂ E25 ଭଳି ଇନ୍ଧନ ବିଷୟରେ ଯଥେଷ୍ଟ ଆଲୋଚନା ହୋଇଛି। ଏଗୁଡ଼ିକ ଇଥାନଲ୍ ମିଶ୍ରିତ ଇନ୍ଧନ ଯାହା ପାରମ୍ପରିକ ଇନ୍ଧନ ତୁଳନାରେ ଟିକିଏ ଶସ୍ତା। କିଛି ଦିନ ପୂର୍ବରୁ, ରିପୋର୍ଟ ପ୍ରକାଶ ପାଇଥିଲା ଯେ କାରରେ E20 ପେଟ୍ରୋଲ ବ୍ୟବହାର କରିବା ଦ୍ୱାରା ଇଞ୍ଜିନ୍ ଖରାପ ହୋଇପାରେ ଏବଂ ବୀମା ଦାବି ପ୍ରତ୍ୟାଖ୍ୟାନ ହୋଇପାରେ। ଏହି ଦାବି ପଛରେ ସତ୍ୟତା କ’ଣ ତାହା ଜାଣନ୍ତୁ।

ନିକଟରେ ସରକାରୀ ଏଜେନ୍ସି PIB ଫ୍ୟାକ୍ଟ ଚେକ୍‌ରେ ଏହି ଖବର ପଛରେ ଥିବା ସତ୍ୟତାକୁ ଉନ୍ମୋଚନ କରିଛି। ଏଜେନ୍ସିର ସରକାରୀ ଟ୍ୱିଟର ଆକାଉଣ୍ଟ ମାଧ୍ୟମରେ ଏକ ପୋଷ୍ଟ ସେୟାର କରାଯାଇଥିଲା ଯେଉଁଥିରେ କୁହାଯାଇଛି ଯେ ଏହି ଖବରଟି ସମ୍ପୂର୍ଣ୍ଣ ନକଲି। ପୋଷ୍ଟ ସହିତ ଏକ ଫଟୋ ମଧ୍ୟ ଥିଲା ଯାହା ଏକ ମିଡିଆ ହାଉସର ସୋସିଆଲ ମିଡିଆ ପୋଷ୍ଟର ସ୍କ୍ରିନସଟ୍l ସେୟାର କରିଥିଲା, ଯେଉଁଥିରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀଙ୍କ ଫଟୋ ରହିଛି। କ୍ୟାପସନରେ ସ୍ପଷ୍ଟ ଭାବରେ ଲେଖାଯାଇଥିଲା ଯେ ଏହା ନକଲି ଖବର।

ଏହି ପୋଷ୍ଟ ସହିତ ଥିବା କ୍ୟାପସନରେ ଲେଖାଯାଇଛି, ‘ସୋସିଆଲ ମିଡିଆରେ କିଛି ପୋଷ୍ଟ ଦାବି କରୁଛି ଯେ E20 ଇନ୍ଧନ ବ୍ୟବହାର କରିବା ଦ୍ୱାରା ଯାନବାହନ ଇନସ୍ୟୁରାନ୍ସ କ୍ଲେମ୍ ରିଜେକ୍ଟ ହୋଇପାରେ। ପିଆଇବି ଫ୍ୟାକ୍ଟ ଚେକ୍ ଅନୁଯାୟୀ, ଏହି ଦାବି ସମ୍ପୂର୍ଣ୍ଣ ମିଛ।’