ନୂଆଦିଲ୍ଲୀ, ୧୧/୦୭ : ଆଗାମୀ ବର୍ଷ ଭାରତର ବଡ଼ ସହରଗୁଡ଼ିକରେ ରହିବା କଷ୍ଟକର ହୋଇପାରେ । ପ୍ରବଳ ଗ୍ରୀଷ୍ମ ପ୍ରବାହ ଏହି ସହରଗୁଡ଼ିକରେ ଜନଜୀବନ ତିଷ୍ଠି ରହିବା କାଠିକର ପାଠ ହେବାର ଆଶଙ୍କା ରହିଛି । ସହର ନିର୍ମାଣ ଢାଞ୍ଚା ବି ଏହି ବିପଦକୁ ଅଧିକ ବଢ଼ାଉଥିବା ଅକ୍ସଫୋର୍ଡ ୟୁନିଭର୍ସିଟିର ଏକ ନୂଆ ଅଧ୍ୟୟନ ରିପୋର୍ଟରେ କୁହାଯାଇଛି । ଦୁନିଆର ୨୦୫ ବଡ଼ ସହରକୁ ନେଇ କରାଯାଇଥିବା ଏହି ଅଧ୍ୟୟନରେ ଭାରତ, ପାକିସ୍ତାନ, ନାଇଜେରିଆ ଏବଂ ଘାନାର ସହରଗୁଡ଼ିକ ଗ୍ରୀଷ୍ମ ପ୍ରବାହର ସବୁଠୁ ଅଧିକ ପ୍ରଭାବ ଦେଖିବାକୁ ମିଳିବ ବୋଲି ଜଣାଯାଇଛି । ଗ୍ରୀଷ୍ମ ପ୍ରବାହ ଯୋଗୁ ସର୍ବାଧିକ ପ୍ରଭାବିତ ହେବାକୁ ଥିବା ୫୦ ସହର ମଧ୍ୟରେ କେବଳ ଭାରତର ୧୪ ସହର ରହିଛି । 

ସଷ୍ଟେନେବଲ ସିଟିଜ୍‌ ଆଣ୍ଡ ସୋସାଇଟିରେ ପ୍ରକାଶିତ ଏହି ରିପୋର୍ଟ ଅନୁସାରେ, ସର୍ବାଧିକ ବିପଦରେ ଥିବା ସହରଗୁଡ଼ିକ ମଧ୍ୟରୁ ୯୫ ପ୍ରତିଶତରୁ ଅଧିକ ସହର ଦକ୍ଷିଣ ଏବଂ ଦକ୍ଷିଣ- ପୂର୍ବ ଏସିଆ ଏବଂ ଉପ-ସାହାରା ଆଫ୍ରିକୀୟ ଅଞ୍ଚଳରେ ରହିଛି । ଇରାକର ଅଲ୍‌ ବସ୍ରା ବିଶ୍ୱର ସବୁଠାରୁ ଅଧିକ ବିପଦପୂର୍ଣ୍ଣ ସହର ହୋଇଥିବାବେଳେ ଗୁଜରାଟର ଅହମ୍ମଦାବାଦ ଦ୍ୱିତୀୟରେ ରହିଛି । ବିଶ୍ୱ ତାପମାତ୍ରା କ୍ରମାଗତ ଭାବେ ବୃଦ୍ଧି ପାଉଥିବାବେଳେ କେଉଁ ସ୍ଥାନଗୁଡ଼ିକରେ ଲୋକେ ସବୁଠୁ ଅଧିକ ବିପଦରେ ଅଛନ୍ତି ତାହା ଏହି ଅଧ୍ୟୟନ ଜରିଆରେ ଚିହ୍ନଟ କରାଯାଇଛି । ଏହି ସହରଗୁଡ଼ିକ ମଧ୍ୟରେ ମହାରାଷ୍ଟ୍ରର ନାଗପୁର, ପୁନେ, ତାମିଲନାଡ଼ୁର ମଦୁରାଇ, ଚେନ୍ନାଇ, କର୍ଣ୍ଣାଟକର ବେଙ୍ଗାଲୁରୁ, ଉତ୍ତରପ୍ରଦେଶର କାନପୁର ଓ ଲକ୍ଷ୍ନୌ ସମେତ ୧୪ ସହର ରହିଛି । 

ଅଧ୍ୟୟନ ରିପୋର୍ଟର ମୁଖ୍ୟ ଲେଖିକା ତଥା ବ୍ରିଟେନର ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ଗବେଷିକା ନେଥମି ଜୟରତ୍ନେ କାରିୟାୱାସମ୍‌ କହିଛନ୍ତି, ଗ୍ରୀଷ୍ମ ପ୍ରବାହର ବିପଦ କେବଳ ଅଧିକ ତାପମାତ୍ରା ଯୋଗୁ ସୃଷ୍ଟି ହୁଏ ନାହିଁ । ସହରଗୁଡ଼ିକର ସାମାଜିକ, ଆର୍ଥିକ ସ୍ଥିତି ମଧ୍ୟ ଏଥିରେ ବଡ଼ ଭୂମିକା ନିଭାଇଥାଏ । ସହରଗୁଡ଼ିକରେ ସବୁଜିମା ନଷ୍ଟ ହେବା, କଂକ୍ରିଟ ନିର୍ମାଣ ବଢ଼ିବା ମଧ୍ୟ ଗରମକୁ ବୃଦ୍ଧି କରିଥାଏ । ବ୍ୟାଙ୍ଗ୍‌କକ୍‌ ଏବଂ ଜେଦାହରେ ଅଧିକ ଗ୍ରୀଷ୍ମ ପ୍ରବାହ ହେଲେ ବି ସେଠାରେ ଉନ୍ନତ ସ୍ୱାସ୍ଥ୍ୟ ସେବା, ମଜଭୁତ ଭିତ୍ତିଭୂମି ଢାଞ୍ଚା, କୁଲିଂ ବ୍ୟବସ୍ଥା ଥିବା ଯୋଗୁ ସେଠାରେ ବିପଦ ଅପେକ୍ଷାକୃତ କମ୍‌ । କିନ୍ତୁ କରାଚୀ, ଫୈସଲାବାଦ ଏବଂ ନାଇଜେରିଆର କାଦୁନା ଭଳି ସହରରେ ତାପମାତ୍ରା ଅପେକ୍ଷାକୃତ କମ୍‌ ହେବା ସତ୍ତ୍ଵେ ସେଠାରେ ଦୁର୍ବଳ ବ୍ୟବସ୍ଥା ଯୋଗୁ ଲୋକଙ୍କ ଉପରେ ଅଧିକ ବିପଦ ରହିଛି । ଗବେଷଣାର ସହପର୍ଯ୍ୟବେକ୍ଷିକା ରାଧିକା ଖୋସଲା କହିଛନ୍ତି, ଏସି ଉପରେ ବେଶୀ ନିର୍ଭର କଲେ ଅଧିକ ବିପଦ ସୃଷ୍ଟି ହେବ । ସମସ୍ତଙ୍କ ସୁରକ୍ଷା ସୁନିଶ୍ଚିତ କରିବାକୁ ହେଲେ ଆମକୁ କମ୍‌ ଶକ୍ତି ବ୍ୟବହାର କରୁଥିବା ପ୍ରଯୁକ୍ତିବିଦ୍ୟାକୁ ଆପଣାଇବାକୁ ପଡ଼ିବ।

ଆହୁରି ପଢନ୍ତୁ- INS Mahendragiri: ସମୁଦ୍ରର ନୂଆ ବାହୁବଳୀ, ନୌସେନାରେ ସାମିଲ ହେଲା ସ୍ୱଦେଶୀ ଯୁଦ୍ଧପୋତ INS ମହେନ୍ଦ୍ରଗିରି

ମୁଣ୍ଡଳିକୁ ଛୁଇଁଲା ପ୍ରଥମ ବନ୍ୟା ଜଳ ; ଛାନିଆ ତଳିଆ ଅଞ୍ଚଳ​​​​​​​