ଭୁବନେଶ୍ଵର, ୨୮/୦୭ : ରାଜ୍ୟରେ ଲଗାଣ ବର୍ଷା ଜାରି ରହିଥିବା ବେଳେ ଆଗାମୀ ଦୁଇଦିନ ଧରି ଉତ୍ତର ଓ ପଶ୍ଚିମ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ପାଣିପାଗ ପୂର୍ବାନୁମାନ କରାଯାଇଛି। ଆସନ୍ତା ୨୪ ଘଣ୍ଟା ପାଇଁ ବରଗଡ଼, ସମ୍ବଲପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା ୪ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂଜାରି କରାଯାଇଥିବା ବେଳେ ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି। ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ଯୋଗୁ ବାଲେଶ୍ବର, ଭଦ୍ରକ , ମୟୂରଭଞ୍ଜ , କେନ୍ଦୁଝର, ସମ୍ବଲପୁର ଏବଂ ବୌଦ୍ଧରେ ସମସ୍ତ ସ୍କୁଲ ଏବଂ ଅଙ୍ଗନୱାଡ଼ି ଛୁଟି ଘୋଷଣା କରାଯାଇଛି।
ମହାନଦୀର ଉପରମୁଣ୍ଡ ଛତିଶଗଡ଼ରେ ମଧ୍ୟ ପ୍ରବଳ ବର୍ଷା ଯୋଗୁଁ ମହାନଦୀ ସମେତ ଉତ୍ତର ଓଡ଼ିଶାର ବୈତରଣୀ, ବ୍ରାହ୍ମଣୀ, ସୁବର୍ଣ୍ଣରେଖା, ବୁଢ଼ାବଳଙ୍ଗ ଓ ସାଳନ୍ଦୀ ନଦୀଗୁଡ଼ିକର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ହୀରାକୁଦ ଜଳଭଣ୍ଡାରକୁ ବିପୁଳ ପରିମାଣର ଜଳ ପ୍ରବେଶ କରୁଛି। ମୁଣ୍ଡଳିଠାରେ ଜଳପ୍ରବାହ ବୃଦ୍ଧି ପାଉଥିବାରୁ ତଳିଆ ଅଞ୍ଚଳରେ ବନ୍ୟା ସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି। ସ୍ଥିତିର ମୁକାବିଲା ପାଇଁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଓ ସ୍ୱତନ୍ତ୍ର ରିଲିଫ କମିଶନର ସମସ୍ତ ଜିଲ୍ଲା ପ୍ରଶାସନକୁ ୨୪ ଘଣ୍ଟିଆ ଆଲର୍ଟରେ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସମସ୍ତ ବନ୍ୟା ପ୍ରବଣ ଜିଲ୍ଲାର ଜିଲ୍ଲାପାଳ, ଜଳସମ୍ପଦ ବିଭାଗ ଓ ପ୍ରଶାସନିକ ଅଧିକାରୀମାନଙ୍କୁ ସ୍ଥିତି ଉପରେ ନଜର ରଖିବା ସହ ପ୍ରସ୍ତୁତ ରହିବାକୁ କୁହାଯାଇଛି।
ବର୍ଷାରେ ବୁଡ଼ିଲା ବାଲେଶ୍ଵର ବଜାର
ସେପଟେ ଗଭୀର ଅବପାତ ପ୍ରଭାବରେ ବାଲେଶ୍ୱରରେ ପ୍ରବଳ ବର୍ଷା ଜାରି ରହିଛି। ସକାଳ ସାଢ଼େ ୮ଟା ସୁଦ୍ଧା ୨୪୬.୬ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଲଗାଣ ବର୍ଷାରେ ସହରର ମୁଖ୍ୟ ରାସ୍ତା ବୁଡ଼ି ଯାଇଛି। ସେପଟେ ଉପରମୁଣ୍ଡରେ ପ୍ରବଳ ବର୍ଷା ଫଳରେ ବୁଢ଼ା ବଳଙ୍ଗ ନଦୀ ଫୁଲୁଛି। ଫଳରେ ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି। ସ୍ଥିତିକୁ ନଜରରେ ରଖି ବାଲେଶ୍ବର ଜିଲ୍ଲାର ସମସ୍ତ ସ୍କୁଲ ଛୁଟି ଘୋଷଣା କରାଯାଇଛି।
ଆହୁରି ପଢନ୍ତୁ- Heavy Rain Alert: ଆହୁରି ୪୮ ଘଣ୍ଟା ଉତ୍ତର ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ, ୩ ଜିଲ୍ଲାକୁ ରେଡ୍ ଆଲର୍ଟ,୧୯ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
ତେଲ ନଦୀ ପୋଲ ଉପରେ ୫ ଫୁଟର ବନ୍ୟାଜଳ
କେନ୍ଦୁଝରରେ ଲଘୁଚାପଜନିତ ବର୍ଷା ଫଳରେ ବିଭିନ୍ନ ଅଞ୍ଚଳ ବେହାଲ ହୋଇପଡିଛି। ସାହାରପଡା ବ୍ଲକ କୁମୁଳାବାହାଳି ଦେଇ ପ୍ରବାହିତ ହେଉଥିବା ତେଲ ନଦୀ ପୋଲ ଉପରେ ୫ ଫୁଟର ବନ୍ୟାଜଳ ପ୍ରବାହିତ ହେଉଛି। ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଜଳସ୍ତର ବଢ଼ିବାରେ ଲାଗିଛି। ଫଳରେ କେନ୍ଦୁଝର ଜିଲ୍ଲା ସାହାରପଡା ଅଞ୍ଚଳରୁ ମୟୁରଭଞ୍ଜ ଜିଲ୍ଲାର ଠାକୁରମୁଣ୍ଡା ଅଞ୍ଚଳକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ପଇତାମଜାମୁଣ୍ଡା ରାସ୍ତା ଉପରେ ପାଣି ଚାଲୁଛି। ଲଗାଣ ବର୍ଷା ଫଳରେ କାନଝରୀ ଜଳ ଭଣ୍ଡାରର ମଧ୍ୟ ଜଳସ୍ତର ଵୃଦ୍ଧି ପାଉଛି । ଜଳଭଣ୍ଡାର ୨ ଟି ଗେଟ୍ ଖୋଲାଯାଇ ବନ୍ୟାଜଳ ଛଡା ଯାଉଛି। ଜଳଭଣ୍ଡାର ଜଳସ୍ତର ବିପଦ ସଙ୍କେତ ରହିଛି।