ଭୁବନେଶ୍ୱର,୨୮/୦୭: ରାଜ୍ୟରେ ବର୍ଷା ଲାଗି ରହିଛି ।  ଆହୁରି ଦୁଇଦିନ ଉତ୍ତର ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ  ବର୍ଷିବ । ପାଣିପାଗ ପୂର୍ବାନୁମାନ-ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁରରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ । ଏହାବାଦ୍‌ ଉତ୍ତର ଓ ପଶ୍ଚିମ ଓଡ଼ିଶାର  ୧୨ଟି ଜିଲ୍ଲାରେ ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି  ହୋଇଛି । ମହାନଦୀର ଉପରମୁଣ୍ଡ ଛତିଶଗଡ଼ରେ ମଧ୍ୟ  ଲଗାଣ ବର୍ଷା ହେବ ।  

ବର୍ତ୍ତମାନ ସ୍ଥିତି ଓ ସମ୍ଭାବ୍ୟ ଚିତ୍ରରୁ ସଙ୍କେତ ମିଳୁଛି,  ମହାନଦୀ ସମେତ ଉତ୍ତର ଓଡ଼ିଶାରେ ନଦୀ ଜଳସ୍ତର ଫୁଲିବ ।  ଅନ୍ୟପଟେ ଦିନକ ପରେ ପୂର୍ଣ୍ଣିମା । ସମୁଦ୍ର ପାଣି ଟାଣିବନି ।  ନଦୀ ଜଳସ୍ତର ବଢ଼ିଲେ ଖସିବାକୁ ବିଳମ୍ବ ହେବ । ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ  ପଶ୍ଚିମବଙ୍ଗ-ଉତ୍ତର ଓଡ଼ିଶା ଉପରେ ଥିବା ଗଭୀର ଅବପାତ  ଆହୁରି ଶକ୍ତିଶାଳୀ ହେଉଛି । ସୋମବାର ସନ୍ଧ୍ୟା ବେଳକୁ  ଏହା ଘଣ୍ଟାକୁ ୭ କିମି ବେଗରେ ଆଗକୁ ବଢୁଥିଲା ।  ମଙ୍ଗଳବାର ସକାଳୁ ପଶ୍ଚିମବଙ୍ଗ ଓ ଉତ୍ତର ଓଡ଼ିଶା ଉପକୂଳ  ଅତିକ୍ରମ କରି ଛତିଶଗଡ଼ ଆଡ଼କୁ ମୁହାଁଇବ । ଏହା ଉତ୍ତର ଓ ପଶ୍ଚିମ ଓଡ଼ିଶା ଦେଇ ଯିବ । ଏହା  ପ୍ରଭାବରେ ଆସନ୍ତା ଦୁଇଦିନ ଉତ୍ତର ଓଡ଼ିଶା ଓ ପଶ୍ଚିମ  ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ଅଛି ।

ମଙ୍ଗଳବାର ୪ ଜିଲ୍ଲାରେ ଅତି ପ୍ରବଳ ବର୍ଷା ସମ୍ଭାବନା  ଥିବାବେଳେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦୁଝର,  ମୟୂରଭଞ୍ଜ, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ,  ସୋନପୁର, ବୌଦ୍ଧ, ନୂଆପଡ଼ା ଓ ବଲାଙ୍ଗୀରରେ ପ୍ରବଳ  ବର୍ଷା ହୋଇପାରେ । ଏହା ପରେ ବି ରାଜ୍ୟରେ ବର୍ଷା  ପୂରା ଛାଡ଼ିବନି । ଆସନ୍ତା ଅଗଷ୍ଟ ୨ ଯାଏ ବିଭିନ୍ନ ସ୍ଥାନରେ  ବର୍ଷା ରହିବ ।

ସୋମବାର ସନ୍ଧ୍ୟା ୬ଟା ସୁଦ୍ଧା ନରାଜରେ ମହାନଦୀ  ଜଳସ୍ତର ୨୫.୭୧ ମିଟର ଥିଲା । ନରାଜରେ ସତର୍କ  ସଙ୍କେତ ସ୍ତର ଡେଇଁଛି । ହୀରାକୁଦ ଜଳଭଣ୍ଡାରକୁ ପ୍ରତି  ସେକେଣ୍ଡରେ ୧ ଲକ୍ଷ ୫୫ ହଜାର ୨୨୩ କ୍ୟୁସେକ  ଜଳ ପ୍ରବେଶ କରୁଥିଲା । ନିଷ୍କାସିତ ହେଉଥିଲା ୨ଲକ୍ଷ  ୧୪ ହଜାର ୯୦୬ କ୍ୟୁସେକ୍‌ ଜଳ । ଖଇରମାଳରେ  ୩ ଲକ୍ଷ ୯୦ ହଜାର କ୍ୟୁସେକ ଓ  ବରମୂଳରୁ  ୨ଲକ୍ଷ  ୬୫ହଜାର କ୍ୟୁସେକ ଏବଂ ମୁଣ୍ଡଳୀରେ ୩ଲକ୍ଷ  ୯୯ହଜାର କ୍ୟୁସେକ୍‌ ଜଳ ପ୍ରବାହିତ ହେଉଥିଲା । ହୀରାକୁଦରୁ ପାଣି ଆସି ମୁଣ୍ଡଳୀରେ ପହଞ୍ଚିବାକୁ  ପାଖାପାଖି ୩୬ରୁ ୫୦ ଘଣ୍ଟା ଲାଗିବ । ସେହିଭଳି  ଖଇରମାଳ ଓ ବରମୂଳରୁ ପାଣି ଆସି ମୁଣ୍ଡଳୀରେ  ପହଞ୍ଚିବାକୁ ୨୪ ଘଣ୍ଟା ଲାଗିବ । ସମ୍ଭାବ୍ୟ ବର୍ଷା  ପ୍ରଭାବରେ ତେଲ ନଦୀର ଜଳସ୍ତର ବଢ଼ିବ । ଏହି ପାଣି  ମହାନଦୀକୁ ଆହୁରି ଫୁଲାଇବ ।

ପାଣିପାଗ ବିଭାଗ  ଆହୁରି ପୂର୍ବାନୁମାନ କରିଛି, ଆସନ୍ତା ୩୧ ତାରିଖ  ପର୍ଯ୍ୟନ୍ତ ଛତିଶଗଡ଼ରେ ପ୍ରବଳ ବର୍ଷା ସମ୍ଭାବନା ଅଛି ।  ଏମିତିରେ ମହାନଦୀ ଉପରମୁଣ୍ଡ ସହ ତଳମୁଣ୍ଡ ଏବଂ  ଉପନଦୀ ଅବବାହିକାରେ ବଡ଼ ବର୍ଷା ହୋଇପାରେ ।  ସେହିପରି ଉତ୍ତର ଓଡ଼ିଶାରେ ଲଗାଣ ବର୍ଷା ହେଲେ  ଜଳକା, ବୁଢ଼ାବଳଙ୍ଗ, ସୁବର୍ଣ୍ଣରେଖା, ବ୍ରାହ୍ମଣୀ,  ବୈତରଣୀ ଫୁଲିବା ଆଶଙ୍କା ରହିଛି । ବ୍ରାହ୍ମଣୀରେ କ୍ରମାଗତ ଭାବେ ଜଳସ୍ତର ବଢ଼ିବାରେ ଲାଗିଛି ।

ଆସନ୍ତା ୨୯ତାରିଖ ପୂର୍ଣ୍ଣିମା ଥିବାରୁ ସମୁଦ୍ରରେ ଉଚ୍ଚ ଜୁଆର ଆସିବ । ଏଥିପାଇଁ ନଦୀର ଜଳସ୍ତର ବଢ଼ିଲେ ବି ଏହା ସମୁଦ୍ରକୁ ନିଷ୍କାସିତ ହୋଇପାରିବନି । ଏସବୁର  ପ୍ରଭାବରେ ମହାନଦୀ ସମେତ ଅନ୍ୟ ନଦୀ ଫୁଲିବା ଆଶଙ୍କା କରାଯାଉଛି । ତେଣୁ ନଦୀର ତଳିଆ ଅଞ୍ଚଳରେ  ଆକସ୍ମିକ ବନ୍ୟା ଓ ଜଳବନ୍ଦୀ ସ୍ଥିତି ସୃଷ୍ଟି ହୋଇପାରେ ।  ଲଗାଣ ବର୍ଷା ନେଇ ସ୍ୱତନ୍ତ୍ର ରିଲିଫ କମିଶନର ବିଭିନ୍ନ ଜିଲ୍ଲାକୁ ଏ ନେଇ ସତର୍କ କରାଇଛନ୍ତି ।

ଗଭୀର ଅବପାତଜନିତ ପ୍ରବଳ ବର୍ଷା ଆଶଙ୍କା  ନେଇ ସ୍ଥିତି ମୁକାବିଲା ପାଇଁ ସରକାରୀ ପ୍ରସ୍ତୁତିର ସମୀକ୍ଷା  କରିଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ  ପୂଜାରୀ । ବୈଠକରେ ଜିଲ୍ଲାଭିତ୍ତିକ ପ୍ରସ୍ତୁତିର ଆକଳନ  ହୋଇଛି । ସବୁ ଜିଲ୍ଲା ପ୍ରଶାସନ ୨୪ ଘଣ୍ଟା ଆଲର୍ଟରେ  ରହିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ଜୁଲାଇ ୧ ତାରିଖରୁ  ରାଜ୍ୟରେ ମୋଟ ୫୧୭.୬ ମିମି ବର୍ଷା ରେକର୍ଡ ହୋଇଛି ।ସ୍ୱାଭାବିକ ତୁଳନାରେ ୭୫.୭% ଅଧିକ ବର୍ଷା ହୋଇଛି ।   ତେବେ ଏବେ ସୁଦ୍ଧା ସବୁ ପ୍ରମୁଖ ନଦୀର ଜଳସ୍ତର ବିପଦ  ସ୍ତରରୁ ତଳେ ପ୍ରବାହିତ ହେଉଛି । କୌଣସି ଜିଲ୍ଲାରୁ  ବଡ଼ ଧରଣର ବର୍ଷା ଜନିତ କ୍ଷୟକ୍ଷତିର ସୂଚନା ମିଳିନି  ବୋଲି ସମୀକ୍ଷା ବୈଠକରୁ ଜଣାପଡ଼ିଛି । ମୟୂରଭଞ୍ଜ,  ଜଗତସିଂହପୁର, କେନ୍ଦ୍ରାପଡ଼ା, କେନ୍ଦୁଝର, ବାଲେଶ୍ୱର,  ଭଦ୍ରକ, କଳାହାଣ୍ଡି ଓ ସୁନ୍ଦରଗଡ଼ ଜିଲ୍ଲାର ଜିଲ୍ଲାପାଳଙ୍କ  ସମେତ ଅତିରିକ୍ତ ସ୍ୱତନ୍ତ୍ର ରିଲିଫ କମିଶନର ପଦ୍ମନାଭ  ବେହେରା, ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଓ ଅନ୍ୟ  ଅଧିକାରୀମାନେ ଉପସ୍ଥିତ ଥିଲେ ।

ଗତ ୨୪ ଘଣ୍ଟାରେ ସୋମପୁରରେ ସର୍ବାଧିକ  ୧୩୫ ଓ କେନ୍ଦ୍ରାପଡ଼ାରେ ୧୩୩ ମିମି ବର୍ଷା ହୋଇଛି ।  ଯାଜପୁରରେ ୬୦ମିମି, ଢେଙ୍କାନାଳରେ ୫୦.୪,  ବଲାଙ୍ଗୀରରେ ୪୩, ବାରିପଦାରେ ୪୨.୪ ଓ ଖୋର୍ଦ୍ଧାରେ  ୫୮ ମିମି ବର୍ଷା ରେକର୍ଡ ହୋଇଛି।