ମୁମ୍ବାଇ,୦୯/୦୮: ରିୟଲିଟି ଟିଭି ଶୋ’ ବିଗ୍‌ ବସ୍‌-୧୯’ ଆସନ୍ତା ୨୪ ତାରିଖରୁ ପ୍ରସାରିତ ହେବ। ନିକଟରେ ଶୋ’ର ଟ୍ରେଲର୍‌ ରିଲିଜ୍‌ ହୋଇଥିବା ବେଳେ ସେଥିରେ  ବିଗ୍‌ ବସ୍‌ର ଥିମ୍‌ ଦେଖିବାକୁ ମିଳିଥିଲା । କିନ୍ତୁ ବର୍ତ୍ତମାନ ସୁଦ୍ଧା ପ୍ରତିଯୋଗୀଙ୍କ ନାଁ ଅଦ୍ୟାବଧି ସାମ୍ନାକୁ ଆସିନାହିଁ । ଇତିମଧ୍ୟରେ ଶୋ’କୁ ନେଇ ଏକ ନୂଆ ଖବର ଆସିଛି । 

‘ବିଗ୍‌ ବସ୍‌-୧୯’ ପାଇଁ  ଅଭିନେତ୍ରୀ ଏଲ୍‌ନାଜ ନୋରୋଜୀଙ୍କ ସହ ସମ୍ପର୍କ କରାଯାଇଥିଲା । ଶୋ’ରେ ସାମିଲ ହେବା ପାଇଁ ତାଙ୍କୁ ମୋଟା ଅଙ୍କ ମଧ୍ୟ ଅଫର୍‌ ହୋଇଥିଲା । କିନ୍ତୁ ଏଲ୍‌ନାଜ ମନା କରିଦେଲେ । ରିପୋର୍ଟ ଅନୁସାରେ, ଏଲ୍‌ନାଜଙ୍କୁ ଶୋ’କୁ ଆସିବା ପାଇଁ ୬ କୋଟି ଟଙ୍କା ଅଫର୍‌ ହୋଇଥିଲା । ପୂର୍ବରୁ ଅନ୍ୟ ପ୍ରୋଜେକ୍ଟ ପାଇଁ କରିଥିବା ଚୁକ୍ତି ଯୋଗୁ ସେ ଏହି ଅଫର୍‌ ଛାଡ଼ିଥିବା ଚର୍ଚ୍ଚା ହେଉଛି । ସେ ଏବେ ଲଣ୍ଡନ୍‌ରେ ନିଜର ଅପ୍‌କମିଙ୍ଗ ଫିଲ୍ମ ‘ମସ୍ତି-୪’ର ସୁଟିଂରେ ବ୍ୟସ୍ତ ଅଛନ୍ତି । ଖୁବ୍‌ଶୀଘ୍ର ଜନ୍‌ ଆବ୍ରାହମ୍‌ଙ୍କ ସହ ୱେବ୍‌ ଫିଲ୍ମ ‘ତେହରାନ୍‌’ରେ ତାଙ୍କୁ ଦେଖିବାକୁ ମିଳିବ । ଏଲ୍‌ନାଜ ଏବେ କାଳେ କାମର ସଂଖ୍ୟା କିମ୍ବା ଟଙ୍କା ପଛରେ ଗୋଡ଼ାଉ ନାହାନ୍ତି, ବରଂ ଭଲ କାମ ଉପରେ ଧ୍ୟାନ ଦେଉଛନ୍ତି । ଏହି କାରଣରୁ ସେ ବିଗ୍‌ ବସ୍‌-୧୯ରେ ସାମିଲ ହୋଇପାରି ନଥିବା ଚର୍ଚା ଜୋର ଧରିଛି। ତେବେ ତାଙ୍କର ପୂରା ଧ୍ୟାନ ଏବେ ସିନେମା ଉପରେ ।