ପୁରୀ,୪।୮ : ପୁଣି ଶ୍ରୀମନ୍ଦିର ଭିତରୁ ଜଣେ ଯୁବକଙ୍କ ଠାରୁ  ହିଡେନ କ୍ୟାମେରା ଜବତ। ସିଂହଦ୍ଵାର ଥାନା ପୋଲିସ ଶ୍ରୀମନ୍ଦିର ଭିତରୁ ହିଡେନ କ୍ୟାମେରା ଜବତ କରିବା ସହ ଜଣକୁ ଅଟକ ରଖି ପଚରାଉଚରା କରୁଛି। ଅଟକ ଥିବା ବ୍ୟକ୍ତି ଜଣକ ହେଲେ ଗୁଜରାଟର ବିପୁଲ୍ ପଟେଲ । ନିଜ ଚଷମାରେ ସ୍ପାଏ କ୍ୟାମେରା ଲଗାଇ ଶ୍ରୀମନ୍ଦିର ଭିତରକୁ ଯାଇଥିଲେ ବିପୁଲ୍। ତେବେ ଅଟକ ଥିବା ବ୍ୟକ୍ତି ଙ୍କୁ ଟାଉନ ଥାନାକୁ ନିଆଯାଇ ପୋଲିସ ଅଧିକ ପଚରାଉଚରା ଜାରି ରଖିଛି। ସମ୍ପୃକ୍ତ ବ୍ୟକ୍ତିଙ୍କ ସହ କେଉଁ ସେବକ ଯାଇଥିଲେ ନା ସେ ଏକୁଟିଆ ଏଭଳି କାର୍ଯ୍ୟ କରିଛନ୍ତି ସେନେଇ ପୋଲିସ ତଦନ୍ତ କରୁଛି। ତେବେ ଅଭିନବ ଉପାୟରେ ଶ୍ରୀମନ୍ଦିର ଭିତରେ ଫଟୋ ଓ ଭିଡିଓ ସ୍ପାଏ କ୍ୟାମେରାରେ ସମ୍ପୃକ୍ତ ବ୍ୟକ୍ତିଜଣକ କଏଦ କରିଥିବା ସନ୍ଦେହ କରାଯାଉଛି। ନିଜ ଚଷମାରେ ହିଡେନ୍ କ୍ୟାମେରା ଲେନ୍ସ ଲଗାଇ ଶ୍ରୀମନ୍ଦିରର ଭିତର ଭିଜୁଆଲ ଉତ୍ତୋଳନ କରାଯାଇଥାଇ ପାରେ ବୋଲି ଅନୁମାନ କରାଯାଉଛି। 

ସେପଟେ ଗତ ୨୯ ତାରିଖରେ ପୁରୀ ଗଜପତି ନଗରର ଜଣେ ଯୁବକ ନିଜ ଚଷମାରେ ସ୍ପାଏ କ୍ୟାମେରା ଲଗାଇ ଶ୍ରୀମନ୍ଦିର ଭିତରକୁ ଯାଇଥିଲେ। କିନ୍ତୁ ପୋଲିସ ସମ୍ପୃକ୍ତ ଯୁବକଙ୍କୁ ପଚରାଉଚରା କରିବା ସହିତ କ୍ୟାମେରାରେ କୌଣସି ଫଟୋ କିମ୍ବା ଭିଡ଼ିଓ ଉତ୍ତୋଳନ ହୋଇନଥିବା ଜଣାପଡିଥିଲା। ପରେ ସମ୍ପୃକ୍ତ ଯୁବକକୁ ପୋଲିସ ତାଗିଦ୍ କରି ଛାଡି ଦେଇଥିଲା। ଏବେ ପୁଣି ଆଜି ସମାନ ଘଟଣା ଘଟିଥିବା ବେଳେ ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।