କଟକ, ୧୩।୧ :  ରାଜ୍ୟରେ କେତେ ସଂଖ୍ୟକ ବାଂଲାଦେଶୀ ଅଛନ୍ତି।  ଅନୁପ୍ରବେଶକାରୀ ଭାବେ କେତେଜଣ ଚିହ୍ନଟ ହୋଇଛନ୍ତି, ସେନେଇ ରାଜ୍ୟ ସରକାର ଯେଉଁ ତଥ୍ୟ ଦେଇଛନ୍ତି, ତାହା ହାଇକୋର୍ଟଙ୍କୁ ସନ୍ତୁଷ୍ଟ କରିପାରିନାହିଁ। ତେଣୁ ୨ ସପ୍ତାହ ମଧ୍ୟରେ ସବିଶେଷ ବିବରଣୀ ଦେବାଲାଗି  ଗୃହ ସଚିବଙ୍କୁ ନିର୍ଦେଶ ଦେଇଛନ୍ତି ହାଇକୋର୍ଟ।

ବାଙ୍ଗଲାଦେଶୀଙ୍କ ଅନୁପ୍ରବେଶ ରୋକିବା ପାଇଁ ରାଜ୍ୟ ସରକାର ଗତ ବର୍ଷ ଜୁନ ମାସରେ ଏସଟିଏଫ ଗଠନ କରିଛନ୍ତି। ଯାହା ଜରିଆରେ ଅନୁପ୍ରବେଶ ରୋକିବା, ବେଆଇନ ଭାବେ ରହୁଥିବା ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରି ସେମାନଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାଲାଗି ନିଷ୍ପତ୍ତି ହୋଇଛି। ତେବେ ପୂର୍ବ ସରକାର ଅମଳରେ ଚି଼ହ୍ନଟ ହୋଇଥିବା ବାଙ୍ଗଲାଦେଶୀଙ୍କ ସଂଖ୍ୟା ଏବଂ ବର୍ତ୍ତମାନର ସଂଖ୍ୟା ଭିତରେ ଅନେକ ଫରକ ରହିଛି। ଯାହାକୁ ନେଇ ଆବେଦନକାରୀ ଆଜି ଶୁଣାଣି ସମୟରେ ଆପତ୍ତି ଉଠାଇଛନ୍ତି। ତେଣୁ ଆସନ୍ତା ତାରିଖ ସୁଦ୍ଧା ସବିଶେଷ ତଥ୍ୟ ଦେବାଲାଗି ଆଜି ରାଜ୍ୟ ଗୃହ ବିଭାଗକୁ ହାଇକୋର୍ଟ ନିର୍ଦେଶ ଦେଇଛନ୍ତି।