ଭୁବନେଶ୍ବର, ୩।୧୨ : ଶିକ୍ଷକ, ଅଧ୍ୟାପକ ଏବଂ କର୍ମଚାରୀମାନଙ୍କର ଦାବୀ ସମୂହର ଅନୁଶୀଳନ ନିମନ୍ତେ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ଅବସରପ୍ରାପ୍ତ ଆଇଏଏସ ଅଶୋକ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତା ଏହି କମିଟି ଗଠନ କରାଯିବ। ଉକ୍ତ କମିଟି ୬ ମାସ ମଧ୍ୟରେ ରାଜ୍ୟ ସରକାରଙ୍କୁ ରିପୋର୍ଟ ପ୍ରଦାନ କରିବ ବୋଲି ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୂଚନା ଦେଇଛନ୍ତି।
ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଉଚ୍ଚ ଶିକ୍ଷା ବିଭାଗ ଅଧିନରେ ବିଭିନ୍ନ ପ୍ରକାର ସରକାରୀ ଏବଂ ଅନୁଦାନପ୍ରାପ୍ତ ଓ ଅଣ- ଅନୁଦାନପ୍ରାପ୍ତ ବେସରକାରୀ ଶିକ୍ଷାନୁଷ୍ଠାନ ରହିଅଛି । ଏହି ଶିକ୍ଷାନୁଷ୍ଠାନ ଗୁଡିକର ବିଭିନ୍ନ ଶିକ୍ଷକ , ଅଧ୍ୟାପକ ଏବଂ କର୍ମଚାରୀ ସଂଘ ସେମାନଙ୍କର ବିଭିନ୍ନ ପ୍ରକାରର ଦାବୀ ସରକାରଙ୍କ ନିକଟରେ ଉପସ୍ଥାପନ କରିଆସୁଛନ୍ତି । ସେମାନଙ୍କର ଏହି ଦାବୀ ଉପରେ ବିଭିନ୍ନ ସମୟରେ ଆଲୋଚନା ମଧ୍ୟ କରାଯାଇଅଛି । ତେବେ ଏହାକୁ ରାଜ୍ୟ ସରକାର ଗୁରୁତ୍ଵର ସହ ବିଚାର କରି ଶିକ୍ଷକ/ ଅଧ୍ୟାପକ ଏବଂ କର୍ମଚାରୀମାନଙ୍କର ଦାବୀ ସମୂହର ଅନୁଶୀଳନ ନିମନ୍ତେ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି ବୋଲି ଗୃହରେ ମୁଖ୍ୟମନ୍ତ୍ରୀ ବିବୃତ୍ତି ରଖିଛନ୍ତି।