ପ୍ରମୂଖ ଖବର
  • IPL 2025: ୧୦ ଦିନ ପରେ ଫେରିଲା ଫଟାଫଟ୍ କ୍ରିକେଟ୍, ଆଜି ରୟାଲ ଚ୍ୟାଲେଞ୍ଜର୍ସକୁ ଭେଟିବ ନାଇଟ୍‌ ରାଇଡର୍ସ
  • ||
  • ଭୁବନେଶ୍ୱର : ବାଇକ୍‌ରେ ଆସି କାର୍‌ କାଚ ଭାଙ୍ଗିଲେ ଦୁର୍ବୃତ୍ତ, ଅଭିଯୁକ୍ତ ଫେରାର
  • ||
  • ବାସୁଦେବପୁର : ଭୋଜି ଖାଇ ଫେରିବା ବେଳେ ଓଲଟିଲା ଚାରି ଚକିଆ ଗାଡି, ୧୦ରୁ ଉର୍ଦ୍ଧ୍ଵ ଗୁରୁତର
  • ||
  • ମେ' ୨୦ ସୁଦ୍ଧା ଯୁକ୍ତ ଦୁଇ ପରୀକ୍ଷା ଫଳ, ଏବେ ଚୂଡ଼ାନ୍ତ ପର୍ଯ୍ୟାୟରେ ପ୍ରକ୍ରିୟା
  • ||
  • କାଳବୈଶାଖୀ ଆସିବ, ଆଶ୍ୱସ୍ତି ଦେବନି: ୬ ଦିନ ପର୍ଯ୍ୟନ୍ତ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ସମ୍ଭାବନା କମ୍
  • ||

ରାଜ୍ୟରେ ଉତ୍ପାଦନ ହେଉନି ଉଚ୍ଚମାନର ଶୁକ୍ରାଣୁ, ବନ୍ଧ୍ୟା ହେଲେଣି ଗାଈ, ବାହାରୁ କିଣି ୧୦ ଜିଲ୍ଲାରେ କରାଯାଉଛି ବଣ୍ଟନ

Published By : Prameya | May 5, 2025 8:37 AM

ଭୁବନେଶ୍ୱର, ୦୫/୦୫ : ମିଳୁନି ଉନ୍ନତମାନର ଆବଶ୍ୟକ ଶୁକ୍ରାଣୁ ‘ସେକ୍ସ ସର୍ଟେଡ୍‌ ସିମେନ୍‌’ । ସରକାର ଯୋଗାଉଥିବା ଶୁକ୍ରାଣୁ ବି ନିମ୍ନମାନର। ତେଣୁ ଅଧିକାଂଶ କ୍ଷେତ୍ରରେ ବାଛୁରୀ ଜନ୍ମ ହେଉନାହାନ୍ତି । ଯଦି ଜନ୍ମ ହେଉଛନ୍ତି ରୋଗୀଣା ବାଛୁରୀ ଜନ୍ମ ହେଉଛନ୍ତି । ଏହାଦ୍ୱାରା ଉନ୍ନତମାନର ଗୋବଂଶ ଧୀରେ ଧୀରେ ଧ୍ୱଂସାଭିମୁଖୀ ହେଉଛି । ଏହାର ପ୍ରଭାବ ଦୁଗ୍ଧ ଉତ୍ପାଦନ ଉପରେ ପଡ଼ିଲାଣି । ଦେଶୀ ଗାଈଙ୍କ କଥା ନ କହିବା ଭଲ । ଭଲ ଦେଶୀ ଗାଈଙ୍କ ବଂଶ ବୁଡ଼ିବାକୁ ବସିଲାଣି । ଏକଥା ନୁହେଁ ଯେ, ରାଜ୍ୟରେ ଉନ୍ନତମାନର ଷଣ୍ଢ ନାହାନ୍ତି । ହେଲେ ସେମାନଙ୍କୁ ନେଇ ପୋଷି ଶୁକ୍ରାଣୁ ଉତ୍ପାଦନ କରିବାକୁ ସରକାରଙ୍କ ଆଗ୍ରହ ନାହିଁ । ଫଳରେ ଶହ ଶହ ଗାଈ, ମଇଁଷି ବନ୍ଧ୍ୟା ହେଉଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। 

ପ୍ରାଣୀ ସମ୍ପଦ ରିପୋର୍ଟ କହୁଛି, ରାଜ୍ୟରେ ଗତ ୩ ବର୍ଷରେ କଟକର ଫ୍ରୋଜେନ୍‌ ସିମେନ୍‌ ବ୍ୟାଙ୍କରୁ ୧୭ଲକ୍ଷ ୨୦ହଜାର ସିମେନ୍‌ ନଳୀ ଉତ୍ପାଦନ ହୋଇଛି । ତେବେ ଏହି ସମୟ ମଧ୍ୟରେ ବାକି ନଳୀ କିଣାଯାଇ ୩୬ ଲକ୍ଷ ୨୩ ହଜାର ସିମେନ୍‌ ନଳୀ ବଣ୍ଟନ କରାଯାଇଛି । ଭଲ କିସମର ବାଛୁରୀ ଜନ୍ମ ହେବା ପାଇଁ ସେକ୍ସ ସର୍ଟେଡ୍‌ ସିମେନ୍‌ ଆବଶ୍ୟକ । ହେଲେ ଆଜି ପର୍ଯ୍ୟନ୍ତ ଓଡ଼ିଶାରେ ସେକ୍ସ ସର୍ଟେଡ୍‌ ସିମେନ୍‌ ବ୍ୟାଙ୍କ ନିର୍ମାଣ ହୋଇପାରିନି । ସେଥିପାଇଁ ବାହାର ରାଜ୍ୟରୁ ବେସରକାରୀ ସଂସ୍ଥା ମାଧ୍ୟମରେ ଏହା ଆସୁଛି । ଗତ ୩ ବର୍ଷରେ ମୋଟ ୮୨ହଜାର ୫୦୦ଟି ସେକ୍ସ ସର୍ଟେଡ୍‌ ସିମେନ୍‌ ନଳୀ ଆସିଛି ଯାହାକୁ ଡୋଜ୍‌ ପିଛା ସରକାର ୫୧୦ଟଙ୍କାରେ କିଣୁଛନ୍ତି । ପରେ ଚାଷୀଙ୍କୁ ଏହା ରିହାତି ଦରରେ ଦିଆଯାଉଛି । ରାଜ୍ୟର ପୁରୀ, ଭଦ୍ରକ, କଟକ, ଗଞ୍ଜାମ, ଯାଜପୁର, ବାଲେଶ୍ୱର, ମୟୂରଭଞ୍ଜ, ବରଗଡ, କେନ୍ଦ୍ରାପଡା ଓ ଜଗତସିଂହପୁର ଜିଲ୍ଲାରେ ସରକାରଙ୍କ ପକ୍ଷରୁ ସେକ୍ସ ସର୍ଟେଡ୍‌ ସିମେନ୍‌ ଦିଆଯାଉଛି । ଅନ୍ୟ ୨୦ ଜିଲ୍ଲାରେ ଏହି ସେବା ଆରମ୍ଭ ହୋଇନି । 

କଟକରେ ଫ୍ରୋଜେନ୍‌ ସିମେନ୍‌ ବ୍ୟାଙ୍କ୍‌ ରହିଛି । ଏଠାରେ ଜର୍ସି, ହଲଷ୍ଟିନ୍‌, ଫ୍ରେଜିଆନ୍‌ ଓ ସାହିୱାଲ ସହିତ ୧୨ ଗୋଟି ପ୍ରଜାତିର ୧୦୫ଟି ଷଣ୍ଢ ରହିଛନ୍ତି । ସେମାନଙ୍କ ମଧ୍ୟରେ ଦେଶୀ ବିଞ୍ଝାରପୁରୀ, ଖରିଆର ଓ ଘୁମୁସରୀଙ୍କ ସଂଖ୍ୟା ମାତ୍ର ୧୨ । ସେମାନଙ୍କ ମଧ୍ୟରୁ ୭୭ଟି ଷଣ୍ଢଙ୍କ ଠାରୁ ଶୁକ୍ରାଣୁ ସଂଗ୍ରହ କରାଯାଉଛି । ଅନ୍ୟ ୨୮ଟି ଷଣ୍ଢଙ୍କୁ ଭବିଷ୍ୟତରେ ବ୍ୟବହାର ପାଇଁ ରଖାଯାଇଛି । ଉତ୍ପାଦିତ ଶୁକ୍ରାଣୁ ଏକ ନଳୀରେ ଭର୍ତ୍ତି କରାଯାଇ ୩୦ଟି ଜିଲ୍ଲାରେ ଥିବା ଜିଲ୍ଲା, ବୃଷଭ ଜନନୀ ଫାର୍ମ ଓ ଦୁଗ୍ଧ ଉତ୍ପାଦକ ସମିତିକୁ ଯୋଗାଇ ଦିଆଯାଏ । ଏହି ନଳୀରେ ୦.୨୫ରୁ ୦.୫୦ ମିଲି ପର୍ଯ୍ୟନ୍ତ ସିମେନ୍‌ ରହିଥାଏ ।

 ରିପୋର୍ଟ କହୁଛି, ୨୦୨୨-୨୩ରେ ମାତ୍ର ୧୨୪୦୧ ଶୁକ୍ରାଣୁ ନଳୀ (ସିମେନ୍‌ ଷ୍ଟ୍ର) ଉତ୍ପାଦନ ହୋଇଥିଲା । ସେହିପରି ୨୦୨୩- ୨୪ରେ ୮ ଲକ୍ଷ ୪୪୫୫, ୨୦୨୪-୨୫ରେ ୯ଲକ୍ଷ ୧୬ହଜାର ୮୫ ନଳୀ ଉତ୍ପାଦନ ହୋଇଥିଲା । ବାହାରୁ ମଧ୍ୟ ଏହା କିଣାଯାଉଛି । ୨୦୨୨-୨୩ରେ ୩୦୦୪, ୨୦୨୩-୨୪ରେ ୩ ଲକ୍ଷ ୪୮ ହଜାର ୭୩୬ ଓ ୨୦୨୪-୨୫ରେ ୧ ଲକ୍ଷ ୩ହଜାର ଶୁକ୍ରାଣୁ ନଳୀ କିଣାଯାଇଥିଲା । ଯଦି ବଣ୍ଟନ ସଂଖ୍ୟା ଦେଖିବା, ୨୦୨୧- ୨୨ରେ ମୋଟ ୧୭ଲକ୍ଷ ୫୯ହଜାର ୩୪୯ ଶୁକ୍ରାଣୁ ନଳୀ ସାରା ରାଜ୍ୟରେ ବଣ୍ଟନ ହୋଇଥିଲା । ୨୦୨୨-୨୩ରେ ୧୫ଲକ୍ଷ ୨୨ହଜାର ୪୩୫, ୨୦୨୩-୨୪ରେ ୧୦ଲକ୍ଷ ୭୫ ହଜାର ୧୨ଟି ଶୁକ୍ରାଣୁ ନଳୀ ବଣ୍ଟନ କରାଯାଇଥିଲା । ୨୦୨୪-୨୫(ଗତ ଜାନୁଆରୀ ୩୧ ସୁଦ୍ଧା)ରେ ଏହି ସଂଖ୍ୟା ୧୦ ଲକ୍ଷ ୨୫ହଜାର ୫୮୯ରେ ସୀମିତ ରହିଛି । ଆଗକୁ ଏହି ସଂଖ୍ୟା ବଢ଼ିବ । ତେବେ ଅଧିକାଂଶ ସମୟରେ ଏହି ଶୁକ୍ରାଣୁ ଫଳପ୍ରଦ ହେଉନଥିବା ଅଭିଯୋଗ ହେଉଛି । 

ପ୍ରାଣୀ ସମ୍ପଦ ବିଭାଗର ଜଣେ ଅଧିକାରୀଙ୍କ କହିବା କଥା, ସରକାର ଏ ଦିଗରେ ଗୁରୁତ୍ୱ ଦେଇଛନ୍ତି । ନୂଆ ସରକାର ଆସିବା ପରେ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାରେ ଦୁଗ୍ଧଚାଷୀଙ୍କ ଉନ୍ନତି ପାଇଁ କାମ ଚାଲିଛି । ଯେଉଁ ସ୍ଥାନରେ ସେକ୍ସ ସର୍ଟେଡ୍‌ ସିମେନ୍‌ ମିଳୁନି ସେଠାରେ ସରକାରଙ୍କ ଦ୍ୱାରା ନିଯୁକ୍ତ ସ୍ୱେଚ୍ଛାସେବୀମାନେ ଗାଁଗାଁ ବୁଲି ସଚେତନ କରୁଛନ୍ତି । ଅଧିକ ଉନ୍ନତମାନର ଷଣ୍ଢ ଉତ୍ପାଦନ ବଢ଼ାଇବା ପାଇଁ ବିର୍ଲା ଆନିମଲ ଆଣ୍ଡ ଇଣ୍ଡଷ୍ଟ୍ରିଆଲ ଫାଉଣ୍ଡେସନ୍‌ ଓ ଫ୍ରୋଜେନ୍‌ ସିମେନ୍‌ ବ୍ୟାଙ୍କ୍‌ ମିଳିତ ଭାବରେ ସହାୟକ ପ୍ରଜନନ କୌଶଳ ଓ ଜିନୋମିନ୍‌ ଚୟନ ଆଧାରରେ ଉନ୍ନତମାନର ଷଣ୍ଢ ଉତ୍ପାଦନ ପାଇଁ କାର୍ଯ୍ୟ କରୁଛନ୍ତି ।

ଏହି ଖବରଟିକୁ ପଢନ୍ତୁ-ରାଜ୍ୟରେ ୧୦ ତାରିଖ ଯାଏ ବର୍ଷା ସମ୍ଭାବନା, ଆଜି ପାଇଁ ୫ ଜିଲ୍ଲାକୁ ଅରେଞ୍ଜ୍ ୱାର୍ଣ୍ଣିଂ

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.