ନୂଆଦିଲ୍ଲୀ,୦୧/୦୫: ହିମାଳୟ ଉପରେ ପଡ଼ିଛି ବିଶ୍ୱତାପନର ଗମ୍ଭୀର ପ୍ରଭାବ । ଏଥିଯୋଗୁ ହିନ୍ଦୁକୁଶ ହିମାଳୟ ପର୍ବତ ଶୃଙ୍ଖଳାରେ ଲଗାତର ତୃତୀୟ ବର୍ଷ ପାଇଁ ସ୍ୱାଭାବିକଠାରୁ କମ୍ ବରଫପାତ ହୋଇଛି । ଏହାଛଡ଼ା ହିମାଳୟରେ ବରଫ ଜମା ହୋଇ ରହିବାର ସମୟ ମଧ୍ୟ ୨୩.୬% କମିଛି, ଯାହା କି ଗତ ୨୩ ବର୍ଷରେ ସବୁଠୁ କମ୍ ବୋଲି ଇଣ୍ଟରନ୍ୟାସନାଲ ସେଣ୍ଟର ଫର୍ ଇଣ୍ଟିଗ୍ରେଟେଡ ମାଉଣ୍ଟେନ୍ ଡେଭେଲପମେଣ୍ଟ (ଆଇସିଆଇଏମ୍ଓଡି)ର ସଦ୍ୟ ରିପୋର୍ଟରେ ପ୍ରକାଶ ପାଇଛି ।
ବିଶେଷଜ୍ଞଙ୍କ ମତରେ ବରଫପାତ ହ୍ରାସ ହେବା ଯୋଗୁ ଏସୀୟ ଦେଶଗୁଡ଼ିକରେ ପ୍ରାୟ ୨୦୦ କୋଟି ଲୋକଙ୍କ ପାଇଁ ଜଳସଙ୍କଟ ଉପୁଜିବ । କେବଳ ଭାରତର ୬୫% ଭାଗରେ ଏହାର ପ୍ରଭାବ ପଡ଼ିବ । ଏହି ଅଞ୍ଚଳଗୁଡ଼ିକ ଗଙ୍ଗା, ଯମୁନା ଆଦି ନଦୀ ସହ ଜଡ଼ିତ । ପରିବେଶ ବିଶେଷଜ୍ଞଙ୍କ ଅନୁସାରେ, ପୃଥିବୀରେ ଉତ୍ତର ଏବଂ ଦକ୍ଷିଣ ମେରୁ ପରେ ସବୁଠୁ ଅଧିକ ବରଫ ହିନ୍ଦୁକୁଶ ରେଞ୍ଜରେ ଥାଏ । ଏଠାରୁ ଦ୍ରୁତଗତିରେ ବରଫ ତରଳିବା ଦ୍ୱାରା ବର୍ଷସାରା ବହୁଥିବା ନଦୀ ଆଗକୁ ଶୁଖିଯିବାର ଆଶଙ୍କା ରହିଛି । ଗଙ୍ଗା, ଯମୁନା, ସିନ୍ଧୁ, ବ୍ରହ୍ମପୁତ୍ର ଭଳି ନଦୀର ପାଣିର ସ୍ରୋତ ହେଉଛି ଗ୍ଲେସିୟର । ବରଫପାତ କମ୍ ହେବା ଦ୍ୱାରା ଏହି ନଦୀ ଜଳସ୍ତର ହ୍ରାସ ପାଇବ । ଏହି ନଦୀଗୁଡ଼ିକର ଉପଯୋଗ ଚାଷ, ପାନୀୟ ଜଳ, ଜଳ ବିଦ୍ୟୁତ୍ ଶକ୍ତି ଉତ୍ପାଦନ ଏବଂ ଶିଳ୍ପ କାରଖାନାରେ ହୋଇଥାଏ ।
ଏଗୁଡ଼ିକରେ ଜଳସ୍ତର ହ୍ରାସ ପାଇବା ଦ୍ୱାରା ଲୋକଙ୍କ ଜୀବନ ପ୍ରଭାବିତ ହେବ । କମ୍ ବରଫପାତ ଯୋଗୁ କେବଳ ଭାରତ, ପାକିସ୍ତାନ ନୁହେଁ ଆଫଗାନିସ୍ତାନ, ବାଂଲାଦେଶ, ଭୁଟାନ, ଚୀନ୍, ମ୍ୟାଁମାର, ନେପାଳ ମଧ୍ୟ ପ୍ରଭାବିତ ହେବେ । ରିପୋର୍ଟ ମୁତାବକ, ହିନ୍ଦୁକୁଶ ହିମାଳୟ ରେଞ୍ଜ୍ରୁ ବାହାରିଥିବା ୧୨ ନଦୀ ଆଖପାଖରେ ରହୁଥିବା ପ୍ରାୟ ୨୦୦ କୋଟି ଲୋକଙ୍କ ଉପରେ ଜଳସଙ୍କଟ ବିପଦ ରହିଛି । ଚଳିତ ବର୍ଷ ଜାନୁଆରୀ ଶେଷ ସୁଦ୍ଧା ଏଠାରେ ବରଫପାତ ଆରମ୍ଭ ବି ହୋଇ ନ ଥିଲା । ଅତ୍ୟଧିକ ଥଣ୍ଡା ସମୟରେ ବି ସ୍ୱାଭାବିକଠାରୁ କମ୍ ବରଫପାତ ହୋଇଛି । ଦକ୍ଷିଣ-ପୂର୍ବ ଏସିଆର ମେକାଙ୍ଗ ଏବଂ ସାଲୱିନ୍ ଅବବାହିକା, ଯେଉଁଠୁ ଚୀନ୍ ଏବଂ ମ୍ୟାଁମାରକୁ ପାଣି ମିଳିଥାଏ, ତାହା ସବୁଠାରୁ ଅଧିକ ପ୍ରଭାବିତ ହୋଇଛି । ସେଠାରେ ବରଫପାତ ସ୍ତର ସ୍ୱାଭାବିକଠାରୁ ୪୮% କମ୍ ରହିଛି ।
ଭାରତରେ ଗଙ୍ଗା ନଦୀ ଅବବାହିକାରେ ୨୦ ବର୍ଷ ମଧ୍ୟରେ ସବୁଠାରୁ କମ୍ ବରଫପାତ ହୋଇଛି, ଯାହା କି ସ୍ୱାଭାବିକ ବରଫପାତଠାରୁ ୨୪.୧% କମ୍ । ଅର୍ଥାତ ଆଗକୁ ଗ୍ରୀଷ୍ମ ଋତୁରେ ଚାଷ ଏବଂ ପାନୀୟ ଜଳ ପାଇଁ ଜଳାଭାବ ହୋଇପାରେ । ବ୍ରହ୍ମପୁତ୍ର ଅବବାହିକାରେ ବରଫପାତ ୨୭.୯% ହ୍ରାସ ପାଇଛି । ଯାହଫଳରେ ଚାଷ ଏବଂ ଜଳବିଦ୍ୟୁତ୍ ଉତ୍ପାଦନ ପ୍ରଭାବିତ ହୋଇପାରେ । ସେହିପରି ସିନ୍ଧୁ ଅବବାହିକାରେ ଏହା ୧୬% ହ୍ରାସ ପାଇଥିବା ଜଣାପଡ଼ିଛି । ଯଦି ଏଭଳି ବରଫସ୍ତର ହ୍ରାସ ପାଏ ତେବେ ଏହି କ୍ଷେତ୍ରରେ ଜଳାଭାବ, ଭୂତଳ ଜଳସ୍ତର ହ୍ରାସ ପାଇବା ସହ ମରୁଡ଼ି ଆଶଙ୍କା ମଧ୍ୟ ବଢ଼ିବ । ଏହାକୁ ଦୃଷ୍ଟିରେ ରଖି ସରକାରଗୁଡ଼ିକ ଜଳସଂରକ୍ଷଣ ଯୋଜନା ବ୍ୟାପକ କରିବା ସହ ଭବିଷ୍ୟତରେ ମରୁଡ଼ିର ମୁକାବିଲା ପାଇଁ ଆଗୁଆ ପ୍ରସ୍ତୁତ ହେବାକୁ ପଡ଼ିବ ବୋଲି ବିଶେଷଜ୍ଞମାନେ ଚେତାଇଛନ୍ତି ।