ନୂଆଦିଲ୍ଲୀ: କାନାଡାର ସରେ ସହରରେ ଥିବା ଲକ୍ଷ୍ମୀ ନାରାୟଣ ମନ୍ଦିର ଏବଂ ଭାଙ୍କୁଭରରେ ଥିବା ରସ୍ ଷ୍ଟ୍ରିଟ୍ ଗୁରୁଦ୍ୱାର ଉପରେ ଖାଲିସ୍ତାନୀ ଉଗ୍ରବାଦୀମାନେ ଆକ୍ରମଣ କରି ବ୍ୟପକ ଭଙ୍ଗାରୁଜା କରିଛନ୍ତି। ଗତ ଏପ୍ରିଲ ୧୯ ତାରିଖରେ ଏହି ଘଟଣା ଘଟିଥିବା ଜଣାପଡ଼ିଛି। ମନ୍ଦିରର କାନ୍ଥରେ "ଖାଲିସ୍ତାନ ଜିନ୍ଦାବାଦ" ଭଳି ସ୍ଲୋଗାନ ଲେଖାଯାଇଛି, ଯାହା ସେଠାରେ ରହୁଥିବା ହିନ୍ଦୁ ସମ୍ପ୍ରଦାୟରେ ଆକ୍ରୋଶ ସୃଷ୍ଟି କରିଛି। ସେହିପରି ଗୁରୁଦ୍ୱାରରେ ମଧ୍ୟ ଖାଲିସ୍ତାନୀ ସମର୍ଥକଙ୍କ ଦ୍ୱାରା ଭଙ୍ଗାରୁଜା କରାଯାଇଛି।



ଖାଲସା ଦିଓ୍ୱାନ ସୋସାଇଟି, ଯିଏ ରସ୍ ଷ୍ଟ୍ରିଟ୍ ଗୁରୁଦ୍ୱାର ପରିଚାଳନା କରୁଛି, ଏହି ଘଟଣାକୁ "କାନାଡାର ଶିଖ ସମ୍ପ୍ରଦାୟ ମଧ୍ୟରେ ଭୟ ଓ ବିଭେଦ ସୃଷ୍ଟି କରିବା ପାଇଁ ଏହା ଉଗ୍ରବାଦୀଙ୍କ ଏକ ଚାଲ" ବୋଲି ଅଭିଯୋଗ କରିଛି। ଏହି ଆକ୍ରମଣକୁ ହିନ୍ଦୁ ଓ ଶିଖ ନେତାମାନେ ନିନ୍ଦା କରିଛନ୍ତି। କାନାଡାର ହିନ୍ଦୁ ଚାମ୍ବର ଅଫ୍ କମର୍ସ ଏହାକୁ "ହିନ୍ଦୁଫୋବିଆ" ବୋଲି ବର୍ଣ୍ଣନା କରି ଏକ ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରିଛି।

ଏହି ଘଟଣା ଘଟିବା ପରେ ଖଲିସ୍ତାନ ଉଗ୍ରବାଦି ଓ ବିଭିନ୍ନ ହିନ୍ଦୁ ସମ୍ପ୍ରଦାୟ ମଧ୍ୟରେ ବିଭେଦ ଆରମ୍ଭ ହୋଇଯାଇଛି। ଏହା ସହିତ ସରେରେ ଆୟୋଜିତ ଖାଲସା ପରେଡରେ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ ଏବଂ ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କରଙ୍କ "ଓ୍ୱାଣ୍ଟେଡ" ପୋଷ୍ଟର ପ୍ରଦର୍ଶନ କରାଯାଇଥିଲା। ଏହା ଭାରତ-କାନାଡା ସମ୍ପର୍କରେ ଚାପ ବଢ଼ାଇଛି।



କାନାଡା ପୁଲିସ ଏହି ଘଟଣାର ତଦନ୍ତ କରୁଛି। ଏହା ପୂର୍ବରୁ ମଧ୍ୟ କାନାଡାରେ ଥିବା ଅନେକ ହିନ୍ଦୁ ମନ୍ଦିର ଓ ଗୁରୁଦ୍ୱାର ଉପରେ ଖାଲିସ୍ତାନୀ ଉଗ୍ରବାଦୀଙ୍କ ଆକ୍ରମଣ ହୋଇଛି। ଏହି ଆକ୍ରମଣ ଦିନକୁ ଦିନ ତିବ୍ର ହେବାରେ ଲାଗିଛି। ଏହି ଘଟଣା ସାମ୍ନାକୁ ଆସିବା ପରେ କାନାଡାରେ କହୁଥିବା ଭାରତୀୟ ହିନ୍ଦୁମାନଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଛି।