ଭୁବନେଶ୍ଵର, ୦୬/୦୫ : ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଅଞ୍ଚଳରେ ଘଟିଥିବା ଜଣେ ଗର୍ଭବତୀଙ୍କୁ ନିର୍ମମ ହତ୍ୟା ଘଟଣାକୁ ନେଇ ଜୋର୍ ଧରିଲା ରାଜନୀତି। ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଚିଠି ଲେଖିଲେ ବିରୋଧୀ ଦଳନେତା ନବୀନ ପଟ୍ଟନାୟକ। ଏହି ଘଟଣାକୁ ନବୀନ ଚିଠି ଲେଖି ଗଭୀର ଉଦବେଗ ପ୍ରକାଶ କରିଛନ୍ତି। ବ୍ୟକ୍ତିଗତ ହସ୍ତକ୍ଷେପ ସହ ଦୋଷୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି।
ଚିଠିରେ ନବୀନ ଉଲ୍ଲେଖ କରିଛନ୍ତି ଯେ, ହିଞ୍ଜିଳି ଅନ୍ତର୍ଗତ ଖରିଡା ଗାଁରେ ଘଟିଥିବା ଏହି ଘଟଣା ଅତ୍ୟନ୍ତ ହୃଦୟବିଦାରକ। ନ୍ୟାୟ ଦାବିରେ ନିଜ ସନ୍ତାନକୁ କୋଳରେ ଧରି ସ୍ୱାମୀଙ୍କ ଘର ସାମ୍ନାରେ ଧାରଣାରେ ବସିଥିବା ସମୟରେ ମହିଳାଙ୍କୁ ତାଙ୍କ ସ୍ୱାମୀଙ୍କ ଭାଇ ଆକ୍ରମଣ କରି ହତ୍ୟା କରିଥିଲେ। ଘଟଣା ସମୟରେ ମା’ର ମୃତଦେହ ପାଖରେ ୩ ବର୍ଷର ଶିଶୁ କାନ୍ଦୁଥିବା ଦୃଶ୍ୟ ସମଗ୍ର ଓଡ଼ିଶାର ହୃଦୟକୁ ଆଘାତ ଦେଇଛି। ବିରୋଧୀ ଦଳ ନେତା ଚିଠିରେ ମୁଖ୍ୟମନ୍ତ୍ରୀଙ୍କୁ ତୁରନ୍ତ ହସ୍ତକ୍ଷେପ କରି ଅଭିଯୁକ୍ତମାନଙ୍କୁ ଗିରଫ କରିବାକୁ ଓ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ଅନୁରୋଧ କରିଛନ୍ତି। ସେହିପରି ଘଟଣାର ସାକ୍ଷୀ ହୋଇଥିବା ୩ ବର୍ଷର ଶିଶୁକୁ ତୁରନ୍ତ ରାଜ୍ୟ ପକ୍ଷରୁ ଚିକିତ୍ସା, ଆର୍ଥିକ ସହାୟତା ଓ ପୁନର୍ବାସ ସୁବିଧା ଯୋଗାଇବାକୁ ଦାବି କରିଛନ୍ତି।
ଏହାସହ ମହିଳା ଧାରଣାରେ ବସିଥିବା ସମୟରେ ପୁଲିସ ପକ୍ଷରୁ ପୂର୍ବରୁ କାହିଁକି ପ୍ରତିରୋଧମୂଳକ ପଦକ୍ଷେପ ନିଆଯାଇନଥିଲା, ସେନେଇ ମଧ୍ୟ ତଦନ୍ତ କରିବାକୁ ନବୀନ ପଟ୍ଟନାୟକ ଦାବି କରିଛନ୍ତି। ଏପରି ଘଟଣାର ପୁନରାବୃତ୍ତି ରୋକିବା ପାଇଁ କଡ଼ା ପଦକ୍ଷେପ ନେବାକୁ ସେ କହିଛନ୍ତି।
ଏହି ଖବରଟିକୁ ପଢନ୍ତୁ- Mission Vatsalya : ରାଜ୍ୟରେ ‘ମିଶନ ବାତ୍ସଲ୍ୟ’ ଦିଗହରା, ବାପା-ମା’ ଛେଉଣ୍ଡ ପିଲାଙ୍କୁ ମିଳୁନି ସହାୟତା ରାଶି