ଭୁବନେଶ୍ୱର, ୦୬/୦୫ : ‘ମିଶନ ବାତ୍ସଲ୍ୟ’ ପାଇଁ ପାଣ୍ଠି ନାହିଁ । ଅନାଥ ପିଲାଙ୍କୁ ମିଳୁନି ପୃଷ୍ଠପୋଷକତା(ସ୍ପନସରସିପ୍) ସହାୟତା ରାଶି । ପଞ୍ଜିକୃତ, ପ୍ରସ୍ତାବିତ ଓ ପ୍ରଭାବିତ ପିଲା ବଞ୍ଚିତ ହୋଇଛନ୍ତି । ରାଜ୍ୟର ହଜାର ହଜାର ଅନାଥ ପିଲା ଓ ଯତ୍ନ-ସୁରକ୍ଷା ଲୋଡ଼ୁଥିବା ଶିଶୁଙ୍କୁ ଏହି ଯୋଜନାର ଲାଭ ମିଳିପାରୁନି । ମିଶନ ବାତ୍ସଲ୍ୟ ଯୋଜନାରେ ପ୍ରତ୍ୟେକ ଅନାଥ ବା ଯତ୍ନ-ସୁରକ୍ଷା ଲୋଡୁଥିବା ପିଲାଙ୍କୁ ୪ ହଜାର ଟଙ୍କାର ସ୍ପନସରସିପ୍ ରାଶି ମିଳିଥାଏ । ଜଗତ୍ସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ୍ର ଜଣେ ଅନାଥ ଶିଶୁର ପାଠପଢ଼ା ଓ ସୁରକ୍ଷା ନିମନ୍ତେ ତାର ଜେଜେମା’ ସ୍ପନସରସିପ୍ ଟଙ୍କା ପାଇଁ ନିବେଦନ କରିଛନ୍ତି । ବାପାମା’ ଛେଉଣ୍ଡ ନାତିକୁ ପାଠ ପଢ଼ାଇ ମଣିଷ କରାଇବାର ସ୍ୱପ୍ନ ତାଙ୍କର ଭାଙ୍ଗି ପଡ଼ିଛି । ନାତିକୁ ମାସିକ ୪ ହଜାର ସରକାରୀ ସ୍ପନସରସିପ୍ ମିଳିଲେ ତାଙ୍କର ସବୁ ଦୁଃଖ ଚାଲି ଯାଆନ୍ତା ।
ବିଭାଗର ପୂର୍ବ ତଥ୍ୟ ଅନୁସାରେ ରାଜ୍ୟରେ ପିତୃମାତୃ ହରା ଶିଶୁଙ୍କର ସର୍ଭେ ହୋଇଥିଲା । ସବୁ ଜିଲ୍ଲାରୁ ରିପୋର୍ଟ ମହିଳା ଓ ଶିଶୁ ବିଭାଗ ସଂଗ୍ରହ କରିଥିଲା । ରାଜ୍ୟର ପ୍ରାୟ ସବୁ ଜିଲ୍ଲାରେ ସମାନ ଅବସ୍ଥା । ଫଣ୍ଡ୍ ଅଭାବରୁ ରାଜ୍ୟର ୫ ହଜାର ୮୨୧ ଜଣ ଶିଶୁ ଏହି ସହାୟତାରୁ ବଞ୍ଚିତ ଥିବା ଜଣାପଡ଼ିଛି । ତେବେ ସେମାନେ କାହିଁକି ବଞ୍ଚିତ ଅଛନ୍ତି ଏନେଇ ବିଭାଗ ନିକଟରେ କୌଣସି ଉତ୍ତର ନାହିଁ । ୬ ମାସରୁ ବର୍ଷେ ହେଲାଣି ପିଲାମାନଙ୍କୁ ମିଳିନି ଏହି ସ୍ପନସରସିପ୍ ଟଙ୍କା । ନୂଆ ପିଲାଙ୍କ ନାମ ଯୋଡ଼ାଯାଉ ନାହିଁ । ନିକଟରେ ପୁନର୍ବାର ବିଭାଗ ପକ୍ଷରୁ ସର୍ଭେ କରାଯାଇଛି ।
ମିଳିଥିଲା ତଥ୍ୟ ଅନୁସାରେ ବଲାଙ୍ଗିର ଜିଲ୍ଲାରେ ପ୍ରାୟ ୨ ଶହ ପିଲା ପୂର୍ବରୁ ସ୍ପନସରସିପ୍ ରାଶି ପାଉଥିଲେ । ଏବେ ୬ ମାସରୁ ଅଧିକ ସମୟ ହେଲାଣି ସେମାନଙ୍କୁ ଟଙ୍କା ଦିଆଯାଇନି । ନୂତନ ସର୍ଭେ ଅନୁସାରେ ପ୍ରାୟ ୨ ଶହ ପିଲା ଏହି ସହାୟତା ରାଶି ପାଇବାକୁ ଯୋଗ୍ୟ ହୋଇଛନ୍ତି । ସେହିପରି ଜଗତ୍ସିଂହପୁର ଜିଲ୍ଲାରେ ପାଖାପାଖି ୧୫୦ ପିଲା, ସମ୍ବଲପୁର ଜିଲ୍ଲାରେ ପାଖାପାଖି ୩୦୦ପିଲା ଏବଂ ପୁରୀ ଜିଲ୍ଲାରେ ୧୦୦ରୁ ଅଧିକ ପିଲା ସ୍ପନସରସିପ୍ କାର୍ଯ୍ୟକ୍ରମରେ ସାମିଲ ହେବାକୁ ଅନେଇ ବସିଛନ୍ତି । ଅନୁଗୁଳ ଜିଲ୍ଲାରେ ବାତ୍ସଲ୍ୟ ଯୋଜନାରେ ୨୫୮ ପିଲା ଗତ ନଭେମ୍ବରରୁ ପୃଷ୍ଠପୋଷକ ଭତ୍ତା ମିଳିନି । ପିଲାଙ୍କ ପରିବାର ଲୋକେ ବାରମ୍ବାର କାର୍ଯ୍ୟାଳୟକୁ ଦୌଡ଼ିଲେ ମଧ୍ୟ ନା ମିଳୁଛି ଉତ୍ତର ନା ମିଳୁଛି ଆଶ୍ୱାସନା । ସବୁଠାରୁ ବିଡ଼ମ୍ବନା, ବାତ୍ସଲ୍ୟ ଭତ୍ତା ପାଇବାରୁ ବଞ୍ଚିତ ବିଭିନ୍ନ ସ୍ତରରେ ଯଥା ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠ୍, ଇ-ଗ୍ରିଭାନ୍ସ, ପିଏମ୍ଓ ଗ୍ରିଭାନ୍ସ, ଗଣମାଧ୍ୟମ ରିପୋର୍ଟରେ ପ୍ରକାଶିତ ଏବଂ ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରୁ ଆସିଥିବା ସତ୍ତ୍ଵେ ଉକ୍ତ ଶିଶୁଙ୍କୁ ଏହି ଟଙ୍କା ମିଳିନି । ୧୮ ବର୍ଷ ବୟସ ପର୍ଯ୍ୟନ୍ତ ମିଶନ୍ ବାତ୍ସଲ୍ୟ ଯୋଜନାରେ ସ୍ପନସରସିପ୍ ଟଙ୍କା ପ୍ରଦାନ ପାଇଁ ବ୍ୟବସ୍ଥା ରହିଛି ।
ଏହି ଖବରଟିକୁ ପଢନ୍ତୁ- ଜନ୍ମରୁ ନାହିଁ ମଳଦ୍ୱାର, ୬ ଥର ଅସ୍ତ୍ରୋପଚାର ପରେ ବିଫଳ, ୧୦ ବର୍ଷ ହେଲା ଯନ୍ତ୍ରଣାରେ ଛଟପଟ ଶିଶୁ