ସମ୍ବଲପୁର, ୦୫/୦୯: ଉତ୍ତରମୁଣ୍ଡରେ ପ୍ରବଳ ବର୍ଷା କାରଣରୁ ଫୁଲୁଛି ହୀରାକୁଦ ଜଳଭଣ୍ଡାର । ସକାଳ ୮ଟା ସୁଦ୍ଧା ଜଳଭଣ୍ଡାର ଜଳସ୍ତର ୬୨୬.୫୬  ଫୁଟ୍‌ରେ ପହଞ୍ଚିଛି । ଫଳରେ ଆଉ ୪ଟି ଗେଟ୍ ଖୋଲାଯାଇଛି। ଏବେ ୨୦ଟି  ଗେଟ୍‌ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି । ଉପରମୁଣ୍ଡରେ ବର୍ଷା  ବଢ଼ିଲେ ଅଧିକ ଗେଟ୍‌ ଖୋଲିପାରେ । ଫଳରେ ମହାନଦୀର ତଳମୁଣ୍ଡରେ ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି ।  

ଉପରମୁଣ୍ଡରୁ ହୀରାକୁଦକୁ ପ୍ରତି ସେକେଣ୍ଡରେ ୨ ଲକ୍ଷ ୯୩ ହଜାର  ୫୧୨କ୍ୟୁସେକ୍‌ ବନ୍ୟାଜଳ ପ୍ରବେଶ କରୁଛି । ହୀରାକୁଦ ସ୍ପିଲ୍‌-ୱେର ୧୧ଟି  ଗେଟ୍‌, ବୁର୍ଲା ସ୍ପିଲ୍‌-ୱେର ୫ ଗେଟ୍‌  ସହ ପାୱାର ଚାନେଲ ମାଧ୍ୟମରେ ପ୍ରତି  ସେକେଣ୍ଡରେ ସମାନ ପରିମାଣରେ ଜଳ ନିଷ୍କାସିତ ହେଉଛି । ଉଭୟ  ପାଶ୍ୱର୍ର ୨୦ଟି ସ୍ଲୁଇସ୍‌ଗେଟ୍‌, ବୁର୍ଲା ପାୱାର ଚାନେଲ, ବିଭିନ୍ନ ଶିଳ୍ପାନୁଷ୍ଠାନ ବ୍ୟବହାର ପାଇଁ ୨୧୪ କ୍ୟୁସେକ୍‌ ଓ ଜଳଭଣ୍ଡାର ସଂଲଗ୍ନ ୪ଟି  କେନାଲକୁ ମିଶାଇ ପ୍ରତି ସେକେଣ୍ଡରେ ମୋଟ୍‌ ୨ ଲକ୍ଷ ୨୭ ହଜାର କ୍ୟୁସେକ୍‌ ଜଳ ନିଷ୍କାସିତ ହେଉଛି । ଉପରମୁଣ୍ଡରେ ବର୍ଷା ଫଳରେ ଜଳସ୍ତର ବୃଦ୍ଧି ପାଇଲେ ଅଧିକ ଗେଟ୍‌ ଖୋଲାଯାଇପାରେ ଓ ତଳମୁଣ୍ଡରେ ବନ୍ୟା ଆଶଙ୍କା ଥିବା ଡ୍ୟାମ୍‌ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।