ସମ୍ବଲପୁର ୦୭/୧୨: ଆୟ ବହିର୍ଭୂତ  ସମ୍ପତ୍ତି ଠୁଳ ଅଭିଯୋଗ ବନ ବିଭାଗର କୋଟିପତି ବାବୁ ଗିରଫ। ହୀରାକୁଦ ବନ୍ୟପ୍ରାଣୀ  ଡିଭିଜନର ସହକାରୀ ବନ ସଂରକ୍ଷକ (ଏସିଏଫ୍‌)  ରେବତୀ ରମଣ ଯୋଶୀଙ୍କ ବାନ୍ଧିଲା ସମ୍ବଲପୁର ଭିଜିଲାନ୍ସ। ଏନେଇ ସମ୍ବଲପୁର ଭିଜିଲାନ୍ସରେ ୨୮/୨୦୨୪ କେସ ନମ୍ବରରେ ମାମଲା ରୁଜୁ ପରେ ତଦନ୍ତ ଜାରି ରହିଛି।

ହୀରାକୁଦ ବନ୍ୟପ୍ରାଣୀ  ଡିଭିଜନର ସହକାରୀ ବନ ସଂରକ୍ଷକ (ଏସିଏଫ୍‌)  ରେବତୀ ରମଣ ଯୋଶୀଙ୍କ ଘରେ  ଭିଜିଲାନ୍ସ ଚଢ଼ାଉ କରିଥିଲା। ବନ ବିଭାଗ ବାବୁଙ୍କ ୯ଟି ଠିକଣାରେ ଚଢ଼ଉ କରାଯାଇ କୋଟି କୋଟି ଟଙ୍କାର ଧନସମ୍ପତ୍ତି  ଠାବ କରିଥିଲା । କୁବେର ବାବୁଙ୍କ ନିକଟରୁ ନଗଦ  ୧୪ ଲକ୍ଷ ୭୧ ହଜାର ଟଙ୍କା, ୧ କୋଟି ଟଙ୍କା ୩ଟି କୋଠା, ୪ଟି ଫ୍ଲାଟ୍‌,  ୭ଟି ପ୍ଲଟ୍‌, ୩୦୦ ଗ୍ରାମ ରୁପା ଏବଂ ୧୫୦ ଗ୍ରାମର ସୁନା  ଅଳଙ୍କାର ମିଳିଥିବା ଭିଜିଲାନ୍ସ ଏସ୍‌ପି ସୂଚନା ଦେଇଛନ୍ତି ।  

ଶୁକ୍ରବାର ୩ ଡିଏସ୍‌ପିଙ୍କ ନେତୃତ୍ୱରେ  ୧୦ ଇନ୍ସପେକ୍ଟର ଓ କର୍ମଚାରୀମାନେ  ଏକକାଳୀନ ୯ଟି ସ୍ଥାନରେ ଚଢ଼ଉ  କରିଥିଲେ । ସମ୍ବଲପୁର ଡିଅର ପାର୍କ  ନିକଟ ସରକାରୀ ଘର, କାର୍ଯ୍ୟାଳୟ,  ଅଇଁଠାପାଲିସ୍ଥିତ ୩ ମହଲା କୋଠା,  ଚର୍ଚ୍ଚ ଛକ ବ୍ରିଜ୍‌ ଧାମ ସୋସାଇଟିରେ ଥିବା ଘର, ଫାର୍ମ  ରୋଡ୍‌ ସିଟି ପ୍ରାଇଡ୍‌ ଆପାର୍ଟମେଣ୍ଟ, ମାଲିପାଲିରେ  ଭଡ଼ା ଦେଇଥିବା ବ୍ୟାବସାୟିକ କୋଠାରେ ଚଢ଼ଉ  ହୋଇଥିଲା । ଏହାସହ ବରଗଡ଼ ଜିଲ୍ଲାର ପଦ୍ମପୁର ଓ  ବିଜେପୁର ବଲଣ୍ଡା ସ୍ଥିତ ପୈତୃକ ଘରେ ଛାପା ମାରିଛି  ଭିଜିଲାନ୍ସ ଟିମ୍‌ । ଅଇଁଠାପାଲିସ୍ଥିତ ୯୭୦୦ ବର୍ଗ ଫୁଟର  ୩ ମହଲା କୋଠାର ଆନୁମାନିକ ମୂଲ୍ୟ ୧ କୋଟି ୮୦  ଲକ୍ଷ ଟଙ୍କା ହେବ । ସମ୍ବଲପୁର-ଝାରସୁଗୁଡ଼ା ରାସ୍ତାର  ମାଲିପାଲିରେ ଥିବା ବ୍ୟାବସାୟିକ କୋଠା ମୂଲ୍ୟ ୧ କୋଟି  ୫୦ ଲକ୍ଷରୁ ଅଧିକ ହେବ । ସେହିଭଳି ପଦମପୁରରେ  ଥିବା ବିଲଡିଂ ମଧ୍ୟ ୫୦ ଲକ୍ଷରୁ  ଊଦ୍ଧ୍ୱର୍ ହେବ ବୋଲି ସମ୍ବଲପୁର  ଭିଜିଲାନ୍ସର ଜଣେ ବରିଷ୍ଠ  ଅଧିକାରୀ ସୂଚନା ଦେଇଛନ୍ତି।  

ଶ୍ରୀ ଯୋଶୀଙ୍କ ଭୁବନେଶ୍ୱର  ଘାଟିକିଆରେ ଗୋଟିଏ ବିଳାସପୂର୍ଣ୍ଣ  ଫ୍ଲାଟ୍‌ ରହିଛି । ଏହାର ମୂଲ୍ୟ ୮୫  ଲକ୍ଷ ଟଙ୍କା ଆକଳନ କରାଯାଇଛି ।  ସେହିଭଳି ସମ୍ବଲପୁରରେ  ଗୋଟିଏ ୩ ବିଏଚ୍‌କେ, ୨ଟି ୨ ବିଏଚ୍‌କେ ଫ୍ଲାଟ୍‌ର  ମୂଲ୍ୟ ଅଢ଼େଇ କୋଟିରୁ ଅଧିକ ହେବ । ସମ୍ବଲପୁର  ସହରର ପ୍ରମୁଖ ସ୍ଥାନରେ ୪ଟି ଓ ବରଗଡ଼  ପଦ୍ମପୁରରେ ୩ଟି ପ୍ଲଟ୍‌ ରହିଛି । ଏହି ପ୍ଲଟର ମୂଲ୍ୟ  ୨ କୋଟି ଟଙ୍କାରୁ ଅଧିକ ହେବ ବୋଲି ଅନୁମାନ  କରାଯାଉଛି । ଏହାବାଦ୍‌ ଅଇଁଠାପାଲିର ବିଭିନ୍ନ ସ୍ଥାନରେ  ପ୍ରାୟ ୨୧ ଡେସିମିଲ ଓ ବରଗଡ଼ ପଦ୍ମପୁରରେ ୧.୮୪  ଏକର ଜମି ମିଳିଛି । ବ୍ୟାଙ୍କ ଜମା, ଇନ୍‌ସ୍ୟୁରାନ୍ସ,  ପୋଷ୍ଟଲ୍‌ ଡିପୋଜିଟ୍‌ ଏବଂ ଅନ୍ୟ ନିବେଶର ରହିଥିବା ଜଣାପଡିଛି।