ଭୁବନେଶ୍ଵର, ୨୨/୦୭ : ସଡ଼କ ଦୁର୍ଘଟଣାରେ ଗଡ଼ୁଛି ମୁଣ୍ଡ। ଅବେଳରେ ଯାଉଛି ଜୀବନ। ଅନେକ ପରିବାରକୁ କରିଦେଉଛି ସର୍ବସ୍ଵାନ୍ତ। ପିଲାଙ୍କ ମୁଣ୍ଡ ଉପରୁ ଉଠି ଯାଉଛି ବାପା ମାଙ୍କ ହାତ। ସ୍ତ୍ରୀ ମଥାରୁ ଲିଭି ଯାଉଛି ସିନ୍ଦୂର। ହିଟ୍ ଆଣ୍ଡ ରନ୍ର ଦେଶ ପାଲଟିଲାଣି ଭାରତ। ବିଶ୍ଵରେ ଅର୍ଜନ କରିଛି ଅପକୀର୍ତ୍ତି। ଏଠି ଯେତେ ଆଇନ ଆସିଲେ ବି ଫଳ ଶୂନ। ପୁଲିସ ବେଫିକର୍, ମାନୁ ନାହାନ୍ତି ଅମାନିଆ, ଦୋଷୀଙ୍କୁ ମିଳୁନି ଦଣ୍ଡ। ନ୍ୟାୟରୁ ବଞ୍ଚିତ ହେଉଛନ୍ତି ପୀଡ଼ିତ ପରିବାର। ଭାରତୀୟ ଅର୍ଥବ୍ୟବସ୍ଥାର ମେରୁଦଣ୍ଡକୁ ଭାଙ୍ଗି ଦେଇଛି ସଡ଼କ ଦୁର୍ଘଟଣା।
ନ୍ୟାସନାଲ କ୍ରାଇମ ରେକର୍ଡ ବ୍ୟୁରୋ କହୁଛି, ୨୦୨୨ରେ ହିଟ୍ ଆଣ୍ଡ ରନ୍ ମାମଲାରେ ଯାଇଛି ୩୦ ହଜାର ୪୦୦ ଜୀବନ। ୨୦୨୧ ତୁଳନାରେ ଏହା ୧୭ ପ୍ରତିଶତ ଅଧିକ। ତେବେ ଦୁଃଖ ଓ ପରିତାପର ବିଷୟ ଏହି ମାମଲାରେ ତଦନ୍ତ ଦିଗହରା। ଦୁର୍ଘଟଣାକୁ ଗୁରୁତର ସହ ନେଉନି ପୁଲିସ। ଧରାପଡ଼ୁ ନାହାଁନ୍ତି ଦୋଷୀ। ଅଧିକାଂଶ ସମୟରେ ଲୋକଙ୍କୁ ଧକ୍କା ମାରି ଫେରାର୍ ହୋଇଯାଉଛନ୍ତି ଡ୍ରାଇଭର୍। ପୀଡ଼ିତ ବଞ୍ଚିଛି କି ମରିଛି ଦେଖିବ କିଏ ? ଆପେ ବଞ୍ଚିଲେ ବାପାର ନାଁ। ଅପରାଧି ଖସିଯାଇ ପୁଣି ଥରେ ଦୁର୍ଘଟଣା ଘଟାଉଛନ୍ତି। ନ୍ୟାୟ ପାଇଁ ପୀଡ଼ିତ ପରିବାର ମୁଣ୍ଡ ପିଟୁଛନ୍ତି। ମାତ୍ର କିଛି ସହାୟତା ରାଶି ପାଇ ସନ୍ତୁଷ୍ଟ ହେବାକୁ ବାଧ୍ୟ ହେଉଛନ୍ତି। ସତେ ଯେମିତି ଏମାନଙ୍କୁ ନ୍ୟାୟ ଦେବାକୁ ଆଇନ ଆଖି ବୁଜି ଦେଇଛି।
ଦୁର୍ଘଟଣା ରୋକିବାକୁ ନୂଆ ଟ୍ରାଫିକ୍ ନିୟମ ଆସିଥିଲା। କିଛି ରାଜ୍ୟ ଏହାକୁ ଲାଗୁ କଲେ। ଚେକିଂ ବ୍ଲକିଂ ଜୋରଦାର୍ ହେଲା। ଅମାନିଆ ଧରାପଡ଼ିଲେ, ମୋଟା ଅଙ୍କର ତଣ୍ଡ ଗଣିଲେ। ହେଲେ କିଛି ଦିନ ପରେ ସବୁ ଶୂନ। ଜରିମାନା ରାଶି କମାଇଦେଇ ପୁଣି ଦଣ୍ଡକୁ କୋହଳ କରିଦେଲେ। ସେହିପରି ଆଉ କିଛି ରାଜ୍ୟ ଏହାକୁ ମୂଳରୁ ଲାଗୁ କଲେନି। ଏବେ ସ୍ଥିତି ଏମିତି ଜୀବନକୁ ପାଣି ଛଡ଼ାଇ ଗାଡ଼ି ଚଢିବାକୁ ପଡ଼ୁଛି। କେତେବେଳେ ଯେ କାହା ଚକା ତଳେ ଜୀବନ ଚାଲିଯିବ ତାହା କହିବା ମୁସ୍କିଲ୍।