ନୂଆଦିଲ୍ଲୀ,୩୦/୧୧; ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜିଠୁ ଦିନିକିଆ ସିରିଜ ଆରମ୍ଭ ହେବ । ରାଞ୍ଚିରେ ପ୍ରଥମ ମ୍ୟାଚ ଖେଳାଯିବ । ସିରଜରେ କିଙ୍ଗ କୋହଲି ଓ ରୋହିତ ଶର୍ମା ଖେଳିବେ । ଦୁହିଁଙ୍କ ଉପରେ ଫ୍ୟାନ୍ସଙ୍କ ନଜର ରହିଛି । ୨୦୨୭ ବିଶ୍ୱକପ ପୂର୍ବରୁ ଏହି ସିରିଜ ରୋ-କୋଙ୍କ ପାଇଁ ଏକ ସର୍ଟ ଭର୍ଜନ ଅଡିସନ ପରି ହେବ । ରୋହିତ-କୋହଲିଙ୍କର ଭଲ ରେକର୍ଡ ରହିଛି । ରାଞ୍ଚିରେ କୋହଲିଙ୍କ ବ୍ୟାଟ ଫୁଲ ମୁଡରେ ଚାଲେ । ରାଞ୍ଚିର ଜେଏସସିଏ ଷ୍ଟାଡିୟମ ସହିତ ରୋହିତ ଶର୍ମାଙ୍କର ଏକ କନେକ୍ସନ ରହିଛି । ଜାଣନ୍ତୁ ସେ ସମ୍ପର୍କ ବିଷୟରେ ।

ରୋହିତଙ୍କୁ ମନେ ପଡିବ ୨୦୧୩ର ସେ ମ୍ୟାଚ, ଯେଉଁଠି ସେ ହୋଇଥିଲେ ଓପନର ହିଟ୍‌ମ୍ୟାନ- ୨୦୧୩ରେ ରାଞ୍ଚିରେ ଜେଏସସିଏ ଷ୍ଟାଡିୟମରେ ରୋହିତ ଶର୍ମା ପ୍ରଥମ ଥର ଫୁଲ୍-ଟାଇମ୍ ଓପନର ଭାବେ ମୈଦାନକୁ ଓହ୍ଲାଇଥିଲେ । କ୍ୟାପ୍ଟେନ୍ କୁଲ ମହେନ୍ଦ୍ର ସିଂହ ଧୋନୀଙ୍କର ସେହି ନିଷ୍ପତ୍ତି ରୋହିତ ଶର୍ମାଙ୍କ କ୍ୟାରିୟର ବଦଳାଇ ଦେଇଥିଲା । ଏହା କେବଳ ରୋହିତଙ୍କ ହ୍ୱାଇଟ୍ ବଲ କ୍ୟାରିୟର ବଦଳାଇ ନଥିଲା ବରଂ ଭାରତର ଦିନିକିଆକୁ ନୂଆ ପରିଭାଷା ଦେଇଥିଲା । ୧୨ ବର୍ଷ ପରେ ୩୮ ବର୍ଷୀୟ ହିଟ୍‌ମ୍ୟାନ ରୋହିତ ଶର୍ମା ପୁଣି ଫେରୁଛନ୍ତି । ଅଷ୍ଟ୍ରେଲିଆ ବିପକ୍ଷରେ ୨୦୨୩ ଅକ୍ଟୋବର ୨୩ରେ ରୋହିତ ୯ରନ୍ କରି ଓପନର ଶିଖର ଧାୱନଙ୍କ ସହ ଅପରାଜିତ ରହିଥିଲେ । ବର୍ଷା ପାଇଁ ଉକ୍ତ ମ୍ୟାଚ ବାତିଲ ହୋଇଥିଲା । ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ୨୯୫ ରନ୍ କରିଥିଲା ।

ରେକର୍ଡ ଅପେକ୍ଷାରେ ହିଟମ୍ୟାନ- ଦକ୍ଷିଣ ଆଫ୍ରିକା ବିପକ୍ଷରେ ଇତିହାସ ରଚିବେ ହିଟମ୍ୟାନ ରୋହିତ ଶର୍ମା । ୮ ଟି ଛକା ଓ ୯୮ ରନ୍ କଲେ ଦିନିକିଆ ସିରିଜରେ ୨ ନୂଆ ରେକର୍ଡ କରିବେ ରୋହିତ । ଯଦି ରୋହିତ ଦିନିକିଆ ସିରଜରେ ୯୮ ରନ୍ କରିବାରେ ସଫଳ ହେଉଛନ୍ତି ତେବେ ଇଣ୍ଟରନ୍ୟାସନାଲ କ୍ରିକେଟରେ ୨୦ ହଜାରରୁ ଅଧିକ ରନ କରିବାରେ ସେ ଚତୁର୍ଥ ବ୍ୟାଟର ହେବେ । ୫୦ ଶତକ ଓ ୧୦୯ଟି ଅର୍ଦ୍ଧଶତକ ହାସଲ କରିଥିବା ରୋହିତଙ୍କର ୨୬୪ ସର୍ବଶ୍ରେଷ୍ଠ ଇନିଂସ୍ । ଇଣ୍ଟରନ୍ୟାସନାଲ କ୍ରିକେଟରେ ରୋହିତ ୬୪୨ ଛକା ଓ ୧୯୨୨ ଚୌକା ମାରିଛନ୍ତି ।

ରୋହିତ-କୋହଲି ଏବେ କେବଳ ଦିନିକିଆ ଫର୍ମାଟ ଖେଳୁଛନ୍ତି । ଆସନ୍ତା ୨ ମାସରେ ଭାରତ ମାତ୍ର ୬ଟି ଦିନିକିଆ ଖେଳିବ । ୩ଟି ଦକ୍ଷିଣ ଆଫ୍ରିକା ଏବଂ ଜାନୁଆରୀରେ ୩ଟି ନ୍ୟୁଜାଲାଣ୍ଡ ବିପକ୍ଷରେ ଖେଳିବ । ଦୁଇ କିମ୍ବଦନ୍ତୀ ରୋହିତ-କୋହଲିଙ୍କୁ ସିରିଜରେ ସେମାନଙ୍କ ଯାଦୁ ଦେଖାଇବାକୁ ପଡିବ । ଦୁହିଁଙ୍କର ପ୍ରଦର୍ଶନ ୨୦୨୭ ଦିନିକିଆ ବିଶ୍ୱକପ ସମ୍ଭାବନା ଉପରେ ସିଧା ପ୍ରଭାବ ପକାଇବ । କାରଣ ଏହି ସିରିଜ ସେମାନଙ୍କ କ୍ୟାରିୟରକୁ ଆଗକୁ ନେବାକୁ ଗତି ଦେବ ନଚେତ୍ ଦ ଏଣ୍ଡ କରିଦେଇପାରେ ।