ନୂଆଦିଲ୍ଲୀ, ୩୦/୦୪; ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ରୋହିତ ଶର୍ମାଙ୍କର ଆଜି ଜନ୍ମଦିନ । ବିଶ୍ୱ କ୍ରିକେଟରେ "ହିଟମ୍ୟାନ" ଭାବରେ ଜଣାଶୁଣା ରୋହିତ ତାଙ୍କର ୩୯ ବର୍ଷରେ ପାଦ ଥାପିଛନ୍ତି । ୧୯୮୭ ମସିହାରେ ଜନ୍ମଗ୍ରହଣ କରିଥିବା ରୋହିତ ଶର୍ମାଙ୍କୁ ଦେଶ ଏବଂ ବିଶ୍ୱର ବିଭିନ୍ନ ସ୍ଥାନରୁ ଜନ୍ମଦିନର ଶୁଭେଚ୍ଛା ଛୁଟିଛି । ପ୍ରଶଂସକମାନେ ତାଙ୍କ କ୍ରିକେଟ କ୍ୟାରିଅର ଏବଂ ଅବଦାନକୁ ପ୍ରଶଂସା କରୁଛନ୍ତି । ଡାହାଣହାତୀ ବ୍ୟାଟର ଅନ୍ତର୍ଜାତୀୟ କ୍ରିକେଟରେ ଏପରି ରେକର୍ଡ ସ୍ଥାପନ କରିଛନ୍ତି ଯାହାକୁ କୌଣସି ଖେଳାଳି ଭାଙ୍ଗିବା ପ୍ରାୟତଃ ଅସମ୍ଭବ । ରୋହିତଙ୍କ ଜନ୍ମଦିନରେ ଆସନ୍ତୁ ଜାଣିବା ତାଙ୍କର ଅତୁଟ ରେକର୍ଡ ସହ କେଉଁ ରେକର୍ଡ ସେ କରିପାରିନାହାନ୍ତି ।

'ହିଟମ୍ୟାନ୍' ରୋହିତ- ଏମିତିରେ ରୋହିତଙ୍କୁ ହିଟମ୍ୟାନ୍ ଟ୍ୟାଗ୍ ମିଳିନାହିଁ । ଚାମ୍ପିଅନ୍ସ ଟ୍ରଫି, ଟି-ଟ୍ୱେଣ୍ଟି ବିଶ୍ୱକପ ଅଧିନାୟକ ରୋହିତ ଶର୍ମା ଦିନିକିଆରେ ମୋଟ ୧୧୫୭୭ ରନ୍ କରିଛନ୍ତି । ଟେଷ୍ଟରେ ତାଙ୍କ ଖାତରେ ୪୩୦୧ ରନ୍ ରହିଛି । ଟି-ଟ୍ୱେଣ୍ଟିରେ ୪୨୩୧ ରନ୍ । କ୍ୟାରିୟରରେ ମୋଟ୍ ୫୦ ଥର ଶତକ ମାରିଛନ୍ତି ଯେଉଁଥିରେ ୩ଟି ଦିନିକିଆ ଡବଲ ସେଞ୍ଜୁରୀ ରହିଛି । କ୍ୟାରିୟରରେ ମୋଟ ୨୦୧୦୯ ରନ୍ କରିଛନ୍ତି । ଟେଷ୍ଟ ଏବଂ ଟି-ଟ୍ୱେଣ୍ଟିରୁ ଅବସର ନେଇଥିବା ରୋହିତ ବର୍ତ୍ତମାନ କେବଳ ଦିନିକିଆ ଖେଳୁଛନ୍ତି । ୨୦୨୭ ବିଶ୍ୱକପ ଜିତିବା ତାଙ୍କର ସ୍ୱପ୍ନ । ବର୍ତ୍ତମାନ ଆଇପିଏଲ ଖେଳୁଛନ୍ତି ହିଟମ୍ୟାନ୍ । ତାଙ୍କ ନେତୃତ୍ୱରେ ମୁମ୍ବାଇ ୫ ଥର ଆଇପିଏଲ ଟ୍ରଫି ଜିତିଛି ।

​​​​​​​

୫ଟି ରେକର୍ଡ ଯାହା ହୁଏତ କେହି ଭାଙ୍ଗିପାରିବେ ନାହିଁ;

୧. ଏକଦିବସୀୟ ସର୍ବାଧିକ ବ୍ୟକ୍ତିଗତ ସ୍କୋରର- ରୋହିତ ଶର୍ମା ୨୦୧୪ ମସିହାରେ ଶ୍ରୀଲଙ୍କା ବିପକ୍ଷରେ ୧୭୩ ବଲ୍‌ରେ ୨୬୪ ରନ୍ କରି ଏକଦିବସୀୟ କ୍ରିକେଟ୍‌ରେ ସର୍ବାଧିକ ବ୍ୟକ୍ତିଗତ ସ୍କୋର କରିଥିଲେ। ଏହି ଇନିଂସରେ ସେ ୪୨ଟି ଚୌକା ମାରିଥିଲେ ।

୨. ODIରେ ୩ଟି ଦ୍ୱିଶତକ ହାସଲ କରିଥିବା ବିଶ୍ୱର ଏକମାତ୍ର ବ୍ୟାଟର- ଅନ୍ୟ ଖେଳାଳିମାନେ ଦ୍ୱିଶତକ ପାଇଁ ଆଗ୍ରହୀ ଥିବାବେଳେ, ରୋହିତ ଶର୍ମା ତିନିଥର ODIରେ ୨୦୦ ରନ ଅତିକ୍ରମ କରିଛନ୍ତି । ରୋହିତ ବେଙ୍ଗାଲୁରୁରେ ଅଷ୍ଟ୍ରେଲିଆ ବିପକ୍ଷରେ ଅପରାଜିତ ୨୦୯, କୋଲକାତାରେ ଶ୍ରୀଲଙ୍କା ବିପକ୍ଷରେ ୨୬୪ ଏବଂ ମୋହାଲିରେ ଶ୍ରୀଲଙ୍କା ବିପକ୍ଷରେ ୨୦୮ ରନ କରିଥିଲେ ।

୩. ଗୋଟିଏ ବିଶ୍ୱକପରେ ସର୍ବାଧିକ ଶତକ- ରୋହିତ ଶର୍ମା ଆଇସିସି କ୍ରିକେଟ୍ ବିଶ୍ୱକପ୍ ୨୦୧୯ରେ ୯ଟି ଇନିଂସରେ ୫ଟି ଶତକ ମାରିଥିଲେ, ଯାହା ଗୋଟିଏ ସଂସ୍କରଣରେ ଯେକୌଣସି ଖେଳାଳିଙ୍କ ଦ୍ୱାରା ସର୍ବାଧିକ । ଏହା ବ୍ୟତୀତ, ତାଙ୍କ ନାମରେ ଏବେ ୭ଟି ବିଶ୍ୱକପ୍ ଶତକ ଅଛି ।

୪.ଅଧିନାୟକତ୍ୱରେ ୧ ବର୍ଷରେ ୨ଟି ICC ଟ୍ରଫି- ରୋହିତ କେବଳ ଜଣେ ବ୍ୟାଟର ନୁହଁନ୍ତି ବରଂ ଜଣେ ସଫଳ ଅଧିନାୟକ ମଧ୍ୟ । ତାଙ୍କ ନେତୃତ୍ୱରେ ଭାରତ ୨୦୨୪ରେ ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍ ଏବଂ ୨୦୨୫ରେ ଆଇସିସି ଚାମ୍ପିଅନ୍ସ ଟ୍ରଫି ଜିତିଥିଲା । ୧୨ ମାସ ମଧ୍ୟରେ ଦୁଇଟି ଆଇସିସି ଟାଇଟଲ୍ ଜିତି ସେ ଏହି ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି ।

୫.ଅନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ଛକା- ଅନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ଛକା (୬୩୭) ମାରିବାର ରେକର୍ଡ କରିଛନ୍ତି ରୋହିତ ଶର୍ମା । ଏହି ରେକର୍ଡରେ କ୍ରିସ୍ ଗେଲ୍ ଙ୍କୁ ପଛରେ ପକାଇ ଦେଇଛନ୍ତି । କେବଳ ଛକା ନୁହେଁ, ରୋହିତ ଟି-୨୦ରେ ସର୍ବାଧିକ ରନ୍ ସ୍କୋରର୍ ମଧ୍ୟ । ସେ ଟି-୨୦ରେ ୪୨୩୧ ରନ୍ କରିଛନ୍ତି । ରୋହିତ ବିଶ୍ୱର ଏକମାତ୍ର ବ୍ୟାଟର ଯିଏ ୩ଟି ଫର୍ମାଟରେ ଛକା ସହିତ ଶତକ ମାରିଛନ୍ତି । ତାଙ୍କର ରେକର୍ଡ ଭାଙ୍ଗିଥିବା ୨୬୪ ରନ୍ ମଧ୍ୟରେ, ରୋହିତ ୩୩ଟି ଚୌକା ମାରିଥିଲେ, ଯାହା ଏକ ଦିନିକିଆ ଇନିଂସରେ ସର୍ବାଧିକ ।

ଏହା ବି ପଢନ୍ତୁ...IPL Controversy: ଡ୍ରେସିଂ ରୁମରେ ଇ-ସିଗାରେଟ୍ ଟାଣି ବିବାଦରେ ପରାଗ, ବିସିସିଆଇ ଦେଲା ଅଲଟିମେଟମ୍

​​​​​​​​​​​​​​କରିପାରିଲେନି ଏହି ୩ ରେକର୍ଡ- ବ୍ୟାଟିଂରେ ବୋଲରଙ୍କ ମନରେ ଭୟ ସୃଷ୍ଟି କରୁଥିବା ହିଟମ୍ୟାନ୍‌ ରୋହିତ ଶର୍ମା ୩ ରେକର୍ଡ କରିପାରିନାହାନ୍ତି ।  ପ୍ରଥମ ବିଦେଶ ମାଟିରେ (ସେନା) ଟେଷ୍ଟ ଦ୍ୱିଶତକ ରେକର୍ଡ ତାଙ୍କ ନାମରେ ନାହିଁ । ରୋହିତ ଶର୍ମା ଭାରତୀୟ ପିଚ୍‌ରେ ଟେଷ୍ଟ କ୍ରିକେଟ୍‌ରେ ଦ୍ୱିଶତକ ହାସଲ କରି ନିଜର ଦକ୍ଷତା ପ୍ରମାଣ କରିଛନ୍ତି । ସେ ଭାରତ ପାଇଁ ୬୭ ଟେଷ୍ଟ୍‌ ଖେଳି ୪୩୦୧ ରନ୍ କରିଛନ୍ତି, ଯାହାର ସର୍ବାଧିକ ସ୍କୋର ୨୧୨ । ସେ ୧୨ ଶତକ ଏବଂ ୧୮ ଅର୍ଦ୍ଧଶତକ କରିଛନ୍ତି । ଦ୍ୱିତୀୟ ଦିନିକିଆରେ ଶତକର ହ୍ୟାଟ୍ରିକ୍ ସ୍ବପ୍ନ ଅଧୁରା ରହିଛି । କୁମାର ସାଙ୍ଗାକାରାଙ୍କଠାରୁ ଆରମ୍ଭ କରି ବିରାଟ କୋହଲିଙ୍କ ପର୍ଯ୍ୟନ୍ତ, ବିଶ୍ୱର ଅନେକ ବ୍ୟାଟର ଲଗାତାର ୩ କିମ୍ବା ତା’ଠାରୁ ଅଧିକ ଦିନିକିଆ ମ୍ୟାଚ୍‌ରେ ଶତକ ହାସଲ କରିଛନ୍ତି । ଲମ୍ବା ଇନିଂସ ଖେଳିବା ପାଇଁ ଜଣାଶୁଣା ରୋହିତ ଶର୍ମା ଏପର୍ଯ୍ୟନ୍ତ ତାଙ୍କ କ୍ୟାରିଅରରେ ଲଗାତାର୩ଟି ଇନିଂସରେ ଶତକର ହ୍ୟାଟ୍ରିକ୍ ହାସଲ କରିପାରି ନାହାଁନ୍ତି । ତୃତୀୟରେ ଆଇପିଏଲରେ ଗୋଟିଏ ବି ଅରେଞ୍ଜ କ୍ୟାପ୍ ଜିତି ପାରିନାହାନ୍ତି ରୋହିତ । ୨୭୬ଟି ମ୍ୟାଚ୍ ଖେଳି ୭୧୮୩ ରନ୍ କରିଛନ୍ତି । କୋହଲିଙ୍କ ପରେ ଦ୍ୱିତୀୟ ସର୍ବାଧିକ ରନ୍ ସ୍କୋରର ହେଲେ ସେ କେବେ ବି ଅରେଞ୍ଜ କ୍ୟାପ ଜିତିନାହାନ୍ତି ।