ପ୍ରମୂଖ ଖବର

ହକି ଇଣ୍ଡିଆ ଲିଗ୍: କଳିଙ୍ଗ ଲାନସର୍ସର ତୃତୀୟ ବିଜୟ, ଦିଲ୍ଲୀ ଏସ୍‌ଜି ପିପର୍ସକୁ ୫-୧ ଗୋଲରେ ହରାଇଲା

Published By : Prameya | January 17, 2025 11:46 AM

ଭୁବନେଶ୍ୱର/ରାଉରକେଲା,୧୭/୦୧: ବେଦାନ୍ତ କଳିଙ୍ଗ ଲାନସର୍ସ କ୍ରମାନ୍ୱୟରେ ୨ଟି ମ୍ୟାଚ୍‌ ଜିତିବା ପରେ ପୂର୍ବମ୍ୟାଚ୍‌ରେ ହାଇଦ୍ରାବାଦ ତୁଫାନ୍ସ ଠାରୁ ପରାଜିତ ହୋଇଥିଲା । ଦଳ ଗୁରୁବାର ପୁଣି ଉନ୍ନତ ପ୍ରଦର୍ଶନ କରି ବିଜୟ ଧାରାକୁ  ଫେରିଛି । ଦିଲ୍ଲୀ ଏସ୍‌ଜି ପିପର୍ସ ବିପକ୍ଷରେ  ୫-୧ ଗୋଲରେ ବିଶାଳ ବିଜୟ  ହାସଲ କରି ଚଳିତ ଏଚ୍‌ଆଇଏଲ୍‌ରେ ତୃତୀୟ ବିଜୟ ହାସଲ କରିଛି । 

କଳିଙ୍ଗ ଲାନସର୍ସ ଆରମ୍ଭରୁ ଚମତ୍କାର ପ୍ରଦର୍ଶନ  କରି ଦିଲ୍ଲୀ ଉପରେ ଭାରି ପଡ଼ିଥିଲା । ୧୧ ମିନିଟରେ ଦଳ (ନିକୋଲାସ  ଭଣ୍ଡୁରାକ) ପ୍ରଥମ ଗୋଲ୍‌ ଦେଇଥିଲା ।  ତୀବ୍ର ପ୍ରତିଦ୍ୱନ୍ଦ୍ୱିତା ମଧ୍ୟରେ ଦ୍ୱିତୀୟ  କ୍ୱାର୍ଟର ଗୋଲଶୂନ୍ୟ ରହିଥିଲା । ତୃତୀୟ  କ୍ୱାର୍ଟରରେ ଲାନସର୍ସ ଆକ୍ରମଣକୁ ତୀବ୍ର କରିଥିଲା । ଯାହାର ପ୍ରତିରୋଧ କରିପାରି  ନଥିଲା ଦିଲ୍ଲୀ । ୩୬ ମିନିଟରେ  ଆର୍ଥର ଭନ ଡୋରେନ, ୩୮ ଓ ୪୩  ମିନିଟରେ ଥିଏରି ବ୍ରିଙ୍କମ୍ୟାନ ଏବଂ ୪୫  ମିନିଟରେ ଗୁରସାହିବଜିତ ସିଂ ଗୋଲ୍‌  ଦେଇ ଲାନସର୍ସକୁ ୫-୦ରେ ଅଗ୍ରଣୀ  କରାଇଥିଲେ । 

ଚତୁର୍ଥ କ୍ୱାର୍ଟର ଆରମ୍ଭରୁ (୪୬  ମିନିଟ) ଦିଲ୍ଲୀ ଗୋଲ ଖାତା ଖୋଲିଥିଲା ।  କୋରି ୱେୟର ଏହି ଗୋଲ୍‌  ଦେଇ ଦଳର ସମ୍ମାନ  ରଖିଥିଲେ। ପରବର୍ତ୍ତୀ ସମୟ  ଖେଳ ଗୋଲଶୂନ୍ୟ ରହିବାରୁ  ଶେଷରେ ଲାନସର୍ସ ୫-୧ରେ  ମ୍ୟାଚ୍‌ ଜିତି ନେଇଥିଲା । ଏହି ବିଜୟ ସହ ପଏଣ୍ଟ  ଟେବୁଲରେ ଲାନସର୍ସ ଉନ୍ନତି ଘଟିଛି ।  ଦଳ ମୋଟ୍‌ ୧୦ ପଏଣ୍ଟ ସହ ତୃତୀୟ  ସ୍ଥାନକୁ ଉନ୍ନୀତ ହୋଇଛି । ୧୫ ପଏଣ୍ଟ  ସହ ତାମିଲନାଡୁ ଡ୍ରାଗନ୍ସ ପ୍ରଥମ ଏବଂ  ୧୨ ପଏଣ୍ଟ ପାଇ ବେଙ୍ଗଲ ଟାଇଗର୍ସ  ଦ୍ୱିତୀୟ ସ୍ଥାନରେ ରହିଛି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.