ଭୁବନେଶ୍ୱର/ରାଉରକେଲା,୧୨/୦୧: ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ  ଚାଲିଥିବା ଏଚଆଇଏଲ୍‌ରେ ଶନିବାର ହାଇଦ୍ରାବାଦ ତୁଫାନ୍ସ ଏବଂ ୟୁପି ରୁଦ୍ରସ ଚମତ୍କାର ବିଜୟ ହାସଲ କରିଛନ୍ତି । ପ୍ରଥମେ  ତୁଫାନ୍ସ ୧-୧ (୪-୩)ରେ ସୁରମା ହକି କ୍ଲବକୁ ଏବଂ ଦ୍ୱିତୀୟ ମ୍ୟାଚ୍‌ରେ ରୁଦ୍ରସ ୩-୧ରେ ଦିଲ୍ଲୀ ଏସ୍‌ଜି ପିପର୍ସକୁ  ପରାସ୍ତ କରିଥିଲା । 

ତୁଫାନ୍ସ ଓ ସୁରମା ଲଢ଼େଇ ବେଶ ସଂଘର୍ଷପୂର୍ଣ୍ଣ ହୋଇଥିଲା । ନିର୍ଦ୍ଧାରିତ ସମୟ ଖେଳ ୧-୧ ଗୋଲରେ ଅମୀମାଂସିତ ରହିଥିଲା । ସୁରମା ପକ୍ଷରୁ ୮ମ ମିନିଟରେ ନିକୋଲାସ ଡେଲାସ ତୋରେ ଏବଂ ତୁଫାନ୍ସ ପକ୍ଷରୁ ୪୦ ମିନିଟରେ ଅମନଦୀପ ଲାକ୍ରା ଗୋଲ  ଦେଇ ସ୍ଥିତି ବରାବର କରିଥିଲେ । ନିର୍ଦ୍ଧାରିତ ସମୟରେ ମ୍ୟାଚ୍‌ ଅମୀମାଂସିତ  ରହିବାରୁ ଖେଳ ସୁଟଆଉଟ୍‌କୁ ଯାଇଥିଲା । ଏଥିରେ ତୁଫାନ୍ସ ୪-୩ ଗୋଲରେ ବିଜୟୀ  ହୋଇଥିଲା । 

ରୁଦ୍ରସ୍‌-ଦିଲ୍ଲୀ ମ୍ୟାଚ୍‌ରେ ପ୍ରଥମ କ୍ୱାର୍ଟର  ଖେଳ ଗୋଲଶୂନ୍ୟ ରହିଥିଲା । ଦ୍ୱିତୀୟ କ୍ୱାର୍ଟରରେ ଦିଲ୍ଲୀ (୨୯  ମିନିଟ) ପ୍ରଥମେ ଗୋଲ ଖାତା ଖୋଲି ପ୍ରଥମାର୍ଦ୍ଧରେ ଅଗ୍ରଣୀ ଲାଭ କରିଥିଲା । ମାତ୍ର ପରବର୍ତ୍ତୀ ସମୟରେ ରୁଦ୍ରସ ପ୍ରତ୍ୟାବର୍ତ୍ତନ କରିଥିଲା । ୩୦, ୪୩  ଓ ୫୪ ମିନିଟରେ ଗୋଲ୍‌ ଦେଇ ମ୍ୟାଚ୍‌କୁ  ଜିତି ନେଇଥିଲା । ଦିଲ୍ଲୀ ବହୁ ପ୍ରୟାସ କରି ଶେଷ ପର୍ଯ୍ୟନ୍ତ ମ୍ୟାଚ୍‌କୁ ପ୍ରତ୍ୟାବର୍ତ୍ତନର  ସୁଯୋଗ ପାଇନଥିଲା ।  

ଶନିବାର ଖେଳ ଶେଷ ସୁଦ୍ଧା ପଏଣ୍ଟ  ଟେବୁଲରେ ତାମିଲନାଡୁ ଡ୍ରାଗନ୍ସ ସର୍ବାଧିକ ୧୨ ପଏଣ୍ଟ ସହ ପ୍ରଥମ ସ୍ଥାନରେ ରହିଛି । ୯ ପଏଣ୍ଟ ସହ ୟୁପି ରୁଦ୍ରସ ଦ୍ୱିତୀୟ, ସମାନ ପଏଣ୍ଟ ସହ ବେଙ୍ଗଲ  ଟାଇଗର୍ସ ତୃତୀୟ, ୮ ପଏଣ୍ଟ ସହ ସୁରାମା ଚତୁର୍ଥ ଏବଂ କଳିଙ୍ଗ ଲାନସର୍ସ  (୭ ପଏଣ୍ଟ) ପଞ୍ଚମ ସ୍ଥାନରେ ରହିଛି ।