ହକି ଖେଳାଳିରୁ ଷ୍ଟାର ସ୍ପୋର୍ଟ୍ସ ଭାଷ୍ୟକାର, ସିନିୟର ଦଳରେ ଖେଳି ନପାରିବାର ଅବସୋସ୍: ସିଦ୍ଧାର୍ଥ ପାଣ୍ଡେ

ଭୁବନେଶ୍ୱର,୨୯/୦୧ (କୁମାର ବିମଳ): ମହାରାଷ୍ଟ୍ରର ଏକ ହକି ପରିବାରରେ ସିଦ୍ଧାର୍ଥ ପାଣ୍ଡେଙ୍କ ଜନ୍ମ । ବାପା, ଜେଜେବାପା ହକି ଖେଳୁଥିଲେ । ତେଣୁ ସେମାନଙ୍କ ଦ୍ୱାରା ପ୍ରଭାବିତ ହୋଇ ପିଲାଟି ଦିନରୁ ହକି ପ୍ରତି ଅନୁପ୍ରାଣିତ ହୋଇଥିଲେ ସିଦ୍ଧାର୍ଥ । ପାଞ୍ଚ ଛଅ ବର୍ଷରୁ ଖେଳିବା ଆରମ୍ଭ କରିଥିଲେ । ଭାରତୀୟ ଦଳରୁ ପ୍ରତିନିଧିତ୍ୱ କରିବାର ସ୍ୱପ୍ନ ଥିଲା । ୧୯ ବର୍ଷରୁ କମ୍ ଭାରତୀୟ ଦଳରେ ସାମିଲ ହେବାର ସୁଯୋଗ ପାଇଲେ କିନ୍ତୁ ପରେ ତାଙ୍କୁ ସିନିୟର ଦଳରେ ସୁଯୋଗ ନମିଳିବାରୁ ସେ ହକି ଛାଡ଼ିବାକୁ ନିଷ୍ପତ୍ତି ନେଇଥିଲେ । ଏହାପରେ ସେ ଷ୍ଟାର ସ୍ପୋର୍ଟ୍ସ ସହ ଭାଷ୍ୟକାର ଭାବେ ଯୋଗ ଦେବାକୁ ପ୍ରସ୍ତାବ ପାଇଥିଲେ । ସେବେଠୁ ସେ ଆଉ ପଛକୁ ଫେରି ନାହାନ୍ତି । ଇତି ମଧ୍ୟରେ ୭ ବର୍ଷ ବିତି ଯାଇଛି । ହେଲେ ଭାରତୀୟ ବରିଷ୍ଠ ଦଳରେ ସାମିଲ ହୋଇ ନପାରିବାର ଅବସୋସ ଏବେବି ସିଦ୍ଧାର୍ଥଙ୍କ ମନରୁ ଯାଇନି ।
ସେ କହନ୍ତି, ‘ମୋ ଜେଜେବାପା, ବାପା ହକି ଖେଳୁଥିଲେ । ୫ ବର୍ଷ ବୟସରୁ ଟେଲିଭିଜନରେ ହକି ମ୍ୟାଚ୍ ଦେଖୁଥିଲି । ମ୍ୟାଚ୍ ଦେଖିବା ପରେ ହକି ପ୍ରତି ମୋର ଆଗ୍ରହ ବଢ଼ିଲା । ମୋ ଭାଇ ସହ ଖେଳିବା ଆରମ୍ଭ କଲି । ମୋ ମାମୁ ଏବଂ ମୋର ସଂପର୍କୀୟ ଦାଦାଙ୍କ ପୁଅମାନେ ସମସ୍ତେ ଆସି ଖେଳିଲେ । ଏଭଳି ଭାବେ ମୋର ଖେଳ ଆରମ୍ଭ ହୋଇଥିଲା ।
ପିଲା ଦିନରୁ ମୋର ଗୋଟିଏ ସ୍ୱପ୍ନ ଥିଲା, ଭାରତ ପାଇଁ ଖେଳିବି । ପରେ ୧୯ ବର୍ଷରୁ କମ୍ ଭାରତୀୟ ଦଳରେ ପ୍ରତିନିଧିତ୍ୱ କରିବାର ସୁଯୋଗ ପାଇଲି । ବମ୍ବେ ଦଳରୁ ପ୍ରତିନିଧିତ୍ୱ କରି ଜାତୀୟ ଚାମ୍ପିଅନ ବି ହୋଇଥିଲି । ବିଶ୍ୱବିଦ୍ୟାଳୟ କ୍ରୀଡ଼ାରେ ମଧ୍ୟ ଚାମ୍ପିଅନ ହେଲି । କିନ୍ତୁ ଭାରତୀୟ ସିନିୟର ଦଳରେ ସାମିଲ ହେବାର ସୁଯୋଗ ପାଇ ନଥିଲି । ଜାତୀୟ ଚାମ୍ପିଅନ ହେବା ପରେ ମୋତେ ଜାତୀୟ ଶିବିର ପାଇଁ ଡାକରା ଆସିଲା ନାହିଁ । ନିରାଶ ହୋଇ ଶେଷରେ ହକି ଛାଡ଼ିବାକୁ ନିଷ୍ପତ୍ତି ନେଇଥିଲି । ଖେଳ ଛାଡ଼ି ଆଉ କିଛି କରିବାକୁ ଚିନ୍ତା କଲି । ଯାହା ହେଉ ପରେ ମୁଁ ଜଣେ ଟେଲିଭିଜନ କ୍ରୀଡ଼ା ଭାଷ୍ୟକାର ହୋଇ ପାରିଛି ।’ ‘
୨୦୧୫ ମସିହା କଥା । ହକି ଇଣ୍ଡିଆ ଲିଗ୍ (ହିଲ୍) ଆରମ୍ଭ ହେବାକୁ ଯାଉଥାଏ । ହଠାତ ମୋତେ ଷ୍ଟାର ସ୍ପୋର୍ଟ୍ସରୁ ଏକ ଫୋନ କଲ ଆସିଲା । ସେମାନେ କହିଲେ, ‘ଆମେ ଏକ ନୂଆ ହକି ଭାଷ୍ୟକାର ଖୋଜୁଛୁ । ଯଦି ଆପଣ ଆସି ଆମର ଏକ ଟ୍ରେନିଂ କାର୍ଯ୍ୟକ୍ରମରେ ସାମିଲ ହୁଅନ୍ତେ, ତେବେ ଭଲ ହୁଅନ୍ତା । ମୁଁ ରାଜି ହୋଇଗଲି । ସେଠାକୁ ଗଲା ପରେ ମୋ କାର୍ଯ୍ୟରେ ସେମାନେ ଖୁସି ହେଲେ ଏବଂ ମୋତେ ସୁଯୋଗ ଦେଲେ । ସେବେଠୁ ମୁଁ ଷ୍ଟାର ସ୍ପୋର୍ଟ୍ସ ସହ କାର୍ଯ୍ୟ କରୁଛି । କେବଳ ହକି ନୁହଁ, ଅନ୍ୟ କ୍ରୀଡ଼ା ଯେମିତିକି ଫୁଟବଲ, ବ୍ୟାଡମିଣ୍ଟନ ପାଇଁ ମଧ୍ୟ କାର୍ଯ୍ୟ କଲି । ତେବେ ହକି ଉପରେ ମୋର ଅଧିକ ଧ୍ୟାନ ରହିଛି । କିନ୍ତୁ ସିନିୟର ଦଳରେ ଖେଳି ନପାରିବାର ଅବସୋସ ମୋ ମନରେ ରହିଛି ବୋଲି ସିଦ୍ଧାର୍ଥ କହିଥିଲେ ।
ଭାରତୀୟ ଦଳର ପ୍ରଦର୍ଶନ ନେଇ ସେ କହିଥିଲେ, ଗତ ୧୫ ବର୍ଷ ତଳର ପ୍ରଦର୍ଶନ ଏବଂ ଗତ ୪ ବର୍ଷ ତଳର ପ୍ରଦର୍ଶନକୁ ଯଦି ମୂଲ୍ୟାୟନ କରାଯାଏ, ଭାରତୀୟ ଦଳରେ ବହୁ ପରିବର୍ତ୍ତନ ଆସିଛି । ଟୋକିଓ ଅଲିମ୍ପିକ୍ସରେ ପୁରୁଷ ଦଳ ପଦକ ଜିତିଲା । ପୁଣି ମହିଳା ଦଳର ପ୍ରଦର୍ଶନକୁ ଆମେ ଭୁଲି ପାରିବୁ ନାହିଁ । ଟୋକିଓରେ ଚତୁର୍ଥ ହେବା ପରେ ଏଫ୍ଆଇଏଚ୍ ନେସନ୍ସ ଲିଗ୍ରେ ଭାରତ ବିଜୟୀ ହୋଇ ମହିଳା ପ୍ରୋ ଲିଗ୍ରେ ପ୍ରବେଶ କରିଛି ।
ଏମିତି ଦେଖିବାକୁ ଗଲେ ଭାରତୀୟ ହକି ଭଲ ସ୍ଥିତିରେ ରହିଛି । ତଥାପି ଆମକୁ ବହୁ ଦିଗ ପ୍ରତି ଧ୍ୟାନ ଦେବାକୁ ପଡ଼ିବ । ବିଶ୍ୱକପ୍ରେ ଭାରତ ପ୍ରଥମ ଦୁଇଟି ମୁକାବିଲା ସ୍ପେନ ଓ ଇଂଲଣ୍ଡ ବିପକ୍ଷରେ ଖେଳିଥିଲା । ଗୋଟିଏ ଜିତିଥିଲା ଏବଂ ଗୋଟିଏ ଡ୍ର’ ରଖିଲା । ୱେଲ୍ସ ବିପକ୍ଷରେ ମଧ୍ୟ ଦଳ ଜିତିଥିଲା । ତେଣୁ ସାମଗ୍ରିକ ଭାବେ ଦଳର ପ୍ରଦର୍ଶନ ଭଲ ରହିଥିଲା । ନ୍ୟୁଜିଲାଣ୍ଡ ବିପକ୍ଷରେ ଦଳ ପରାଜିତ ହେଲା ଏବଂ ବିଦାୟ ନେଲା । ଏହା ଆମ ସମସ୍ତଙ୍କୁ ଦୁଃଖ ଦେଇଛି ।
ଭଲ ଖେଳାଳି ସମୟ ସମୟରେ ଫର୍ମ ହଜାଇ ବସନ୍ତି । ଯାହା ହର୍ମନପ୍ରୀତଙ୍କ ସହ ଘଟିଲା । ପୂର୍ବରୁ ତାଙ୍କ ପ୍ରଦର୍ଶନ ବହୁତ ଭଲ ରହିଥିଲା ଏବଂ ବହୁ ମ୍ୟାଚ୍ରେ ଦଳକୁ ଜିତାଇଛନ୍ତି । ଦଳରେ ସେମିତି କିଛି ବଡ଼ ପରିବର୍ତ୍ତନର ଆବଶ୍ୟକତା ନାହିଁ । ଅତି ଛୋଟ ଛୋଟ ଦିଗ ପ୍ରତି ଧ୍ୟାନ ଦେବାକୁ ହେବ । ଯେମିତିକି ମୋ ମତରେ, ଭାରତୀୟ ଦଳରେ ଜଣେ ହାଇପରଫର୍ମାନ୍ସ ନିର୍ଦ୍ଦେଶଙ୍କ ନିଯୁକ୍ତିର ଆବଶ୍ୟକତା ରହିଛି । ଟୋକିଓ ଅଲିମ୍ପିକ୍ସ ପୂର୍ବରୁ ଏହି ସ୍ଥାନ ଖାଲି ପଡ଼ିଛି । ଦ୍ୱିତୀୟ କଥା ହେଉଛି, ଆମ ପାଖରେ କୌଣସି ମନସ୍ତତ୍ତ୍ୱବିତ ନଥିଲେ ।
୨୦୧୨ରେ ଭୁବନେଶ୍ୱରରେ ଜୁନିୟର ବିଶ୍ୱକପ୍ ହୋଇଥିଲା, ସେମାନଙ୍କ ମଧ୍ୟରୁ କିଛି ପିଲା ଏଥର ବିଶ୍ୱକପ୍ରେ ସାମିଲ ହୋଇପାରିଲେ ନାହିଁ । ସେମାନଙ୍କର ବିକାଶ ଜରୁରି ଥିଲା । ଜୁନିୟର ବିଶ୍ୱକପ୍ ପିଲାମାନେ ହିଁ ସିନିୟର ଦଳର ଶକ୍ତି ବୃଦ୍ଧି କରିଥାନ୍ତି । ହର୍ମନପ୍ରୀତ, ହାର୍ଦ୍ଦିକ ସିଂ, କିଷନ ବାହାଦୂର ପାଠକ ଜୁନିୟର ବିଶ୍ୱକପ୍ ଖେଳାଳି ଥିଲେ । ତେଣୁ ଜୁନିୟର ଖେଳାଳିଙ୍କୁ ମୁଖ୍ୟ ସ୍ରୋତକୁ ଆଣିବା ପାଇଁ ଅଧିକ ଧ୍ୟାନ ଦିଆଯିବା ଉଚିତ ।’ ଶେଷରେ ସିଦ୍ଧାର୍ଥ ଓଡ଼ିଶାରେ ଆଡ଼ମ୍ବରପୂର୍ଣ୍ଣ ବିଶ୍ୱକପ୍ ଆୟୋଜନ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଥିଲେ ।