ବଡ଼ମ୍ବା, ୧୮/୦୪ : ଲିଙ୍ଗ ନିରୂପଣ କରି ଗର୍ଭପାତ କରୁଥିଲେ ହୋମିଓପାଥି ଡାକ୍ତର। ଛଦ୍ମବେଶରେ ଯାଇ ମାଡ଼ି ବସିଲେ ମହିଳା ସବ୍ଇନ୍ସପେକ୍ଟର। ବେଆଇନ କ୍ଲିନିକ୍ ଖୋଲି ଧନ୍ଦା ଚଳାଇଥିବା ଜଣେ ହୋମିଓପାଥି ଡାକ୍ତରଙ୍କୁ ବଡ଼ମ୍ବା ପୁଲିସ ଗିରଫ କରିଛି। ଗିରଫ ହୋଇଥିବା ଡାକ୍ତର ଜଣଙ୍କ ହେଲେ ଡାକ୍ତର ଜୟନ୍ତ କୁମାର ବସ୍ତିଆ। ସେ ସ୍ଥାନୀୟ ସୁନାପାଳ ଛକ ନିକଟରେ ଏକ ଘରୋଇ କ୍ଲିନିକରେ ଲିଙ୍ଗ ନିରୂପଣ ଓ ବେଆଇନ ଗର୍ଭପାତ କରୁଥିଲେ। ଡାକ୍ତର ବସ୍ତିଆଙ୍କୁ କୋର୍ଟଚାଲାଣ କରାଯାଇଛି । କ୍ଲିନିକ୍ରୁ ଲିଙ୍ଗ ନିରୂପଣ ଯନ୍ତ୍ର, ଗର୍ଭପାତ କରାଇବାର ବିଭିନ୍ନ ସରଞ୍ଜାମ ଓ କିଛି ଆପତ୍ତିଜନକ ସାମଗ୍ରୀ ଜବତ କରିଛି ପୁଲିସ୍ ।
କଟକ ଜିଲ୍ଲା କାନପୁର ଥାନା ହରିପୁର ଗ୍ରାମର ଡାକ୍ତର ଜୟନ୍ତ ବସ୍ତିଆ ପ୍ରାୟ ୩୦ ବର୍ଷ ହେଲାଣି ସୁନାପାଳ ଛକରେ କ୍ଲିନିକ୍ ଖୋଲିଛନ୍ତି । ତେବେ ଅର୍ଥ ଲୋଭରେ ପଡ଼ି ରୋଗୀ ସେବା ନାଁରେ ଚଳାଇଥିଲେ ବେଆଇନ ଗର୍ଭପାତ । ଗୁରୁବାର ଡାକ୍ତର ବସ୍ତିଆ ବଡ଼ମ୍ବା ବ୍ଲକ୍ ବିଞ୍ଚଣାବାଟି ଗ୍ରାମର ଜଣେ ମହିଳାଙ୍କ ଗର୍ଭପାତ କରିଥିଲେ । ତେବେ ଏଥିରେ ପ୍ରବଳ ରକ୍ତସ୍ରାବ ହେବା ଯୋଗୁଁ ମହିଳାଙ୍କ ଅବସ୍ଥା ସଙ୍କଟାପନ୍ନ ହୋଇଥିଲା । ତାଙ୍କୁ ବଡ଼ମ୍ବା ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ଆଠଗଡ଼ ସ୍ଥାନାନ୍ତର କରାଯାଇଥିଲା । ଅଭିଯୋଗ ଆଧାରରେ କଟକ ଗ୍ରାମାଞ୍ଚଳ ଏସ୍ପି ଓ ଅତିରିକ୍ତ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ବଡ଼ମ୍ବା ଥାନାର ଜଣେ ମହିଳା ଅଧିକାରୀ ଛଦ୍ମବେଶରେ ଜୟନ୍ତଙ୍କ କ୍ଲିନିକ୍କୁ ଯାଇଥିଲେ । ସେଠାରେ ମହିଳା ଅଧିକାରୀଙ୍କୁ ପରାମର୍ଶ ଦେଉଥିବାବେଳେ ଜୟନ୍ତଙ୍କୁ ଗିରଫ କରାଯାଇଥିବା ସୂଚନା ଦେଇଛନ୍ତି ଥାନା ଅଧିକାରୀ ପରମାନନ୍ଦ ନାୟକ ।
ବଡ଼ମ୍ବା ସ୍ୱାସ୍ଥ୍ୟକେନ୍ଦ୍ରର ଚିକିତ୍ସାଧିକାରୀ ଡାକ୍ତର ଦୋଳଗାବିନ୍ଦ ଜେନା ମଧ୍ୟ ଜବତ ଯନ୍ତ୍ରପାତି ଓ ସରଞ୍ଜାମ ଗର୍ଭପାତ କାମରେ ଲାଗିଥିବା ପ୍ରକାଶ କରିଛନ୍ତି । କ୍ଲିନିକ୍ ଚଳାଇବା ନେଇ ମଧ୍ୟ ତାଙ୍କ ପାଖରେ ବୈଧ କାଗଜପତ୍ର ନଥିବା ମଧ୍ୟ ପୁଲିସ୍ ତରଫରୁ ସୂଚନା ମିଳିଛି । ଡାକ୍ତରଙ୍କୁ କୋର୍ଟ ଚାଲାଣ କରାଯାଇଛି । ସେଠାରେ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ତେବେ ରାଜ୍ୟ ରାଜପଥ ପାର୍ଶ୍ୱରେ ଜନଗହଳିପୂର୍ଣ୍ଣ ସ୍ଥାନରେ ଏଭଳି ବେଆଇନ କାମ ଦୀର୍ଘ ଦିନ ଧରି ଚାଲୁଥିବା ବେଳେ ପୁଲିସ ଓ ପ୍ରଶାସନ ପାଖରେ କିଭଳି କୌଣସି ଖବର ନଥିଲା କି ସମସ୍ତେ ସବୁ ଜାଣି ଶୁଣି ଚୁପ୍ ବସିଥିଲେ ତାର ତଦନ୍ତ ହେବା ଜରୁରୀ ବୋଲି ସ୍ଥାନୀୟ ଲୋକେ ଦାବି କରିଛନ୍ତି।
ଏହି ଖବରଟିକୁ ପଢନ୍ତୁ- Ratna Bhandar Inventory:୧୫ % ସରିଲାଣି ଭିତର ରତ୍ନଭଣ୍ଡାର ଗଣତିମଣତି, ଚତୁର୍ଥ ଦିନରେ ପ୍ରବେଶ କଲେ ଟିମ୍