ଟାଙ୍ଗୀ ୨୭।୩: ବାଲୁଗାଁ ପଣ୍ଡା ଢାବାରେ ମର୍ଡର ଘଟଣାର ପର୍ଦ୍ଦାଫାସ କରିଛି ପୁଲିସ। ଏହି ଘଟଣାର ଦୁଇ ଜଣଙ୍କୁ ଗିରଫ କରିଛି ବାଲୁଗାଁ ପୁଲିସ । ଜଣେ ହତ୍ୟା କରିଥିଲା ଓ ଆଉ ଜଣେ ହତ୍ୟାକାରୀକୁ ସହଯୋଗ କରିଥିଲା । ମୋବାଇଲ ଦେଖିବା ଘଟଣାକୁ କେନ୍ଦ୍ରକରି ହୋଇଥିଲା ହତ୍ୟାକାଣ୍ଡ ।
ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଅଞ୍ଚଳରେ ଥିବା ପଣ୍ଡା ଢାବାରେ କାର୍ଯ୍ୟ କରୁଥିବା ସପ୍ଲାଏରକୁ କେହି ବେକ କାଟି ହତ୍ୟା କରିଥିଲା। ହତ୍ୟା ହେବା ପରେ ମୃତଦେହକୁ ଅନ୍ୟତ୍ର ଫିଙ୍ଗା ଯାଇଥିଲା। କିଏ ହତ୍ୟା କଲା ? କ'ଣ ପାଇଁ ହତ୍ୟା କଲା ? ହତ୍ୟାକାଣ୍ଡ ପଛରେ କ'ଣ ରହିଛି ରହସ୍ୟ ? ଏହି ଘଟଣାରେ କେତେ ଜଣ ସଂପୃକ୍ତ ଅଛନ୍ତି ? ଏସବୁ ପ୍ରଶ୍ନର ଖିଅକୁ ନେଇ ପୁଲିସ ତଦନ୍ତ କରିଥିଲା । ଏହି ଘଟଣାରେ ସଂପୃକ୍ତ ୨ ଜଣଙ୍କୁ ପୁଲିସ ଗିରଫ କରିଛି।ଦୁଇ ହତ୍ୟାକାରୀଙ୍କୁ ଗିରଫ କରିବା ପରେ ହତ୍ୟାକାଣ୍ଡ ଘଟଣାର ସିନ୍-ରିକ୍ରିଏସନ୍ କରିଛି ବାଲୁଗାଁ ପୋଲିସ । ହତ୍ୟାକାଣ୍ଡରେ ବ୍ୟବହୃତ ଛୁରୀ ଓ ରକ୍ତ ଭିଜା ଗାମୁଛା ବାଲୁଗାଁ ପୁଲିସ ଜବତ କରିଛି ।
ବାଲୁଗାଁ ପଣ୍ଡା ଢାବାରେ ସପ୍ଲାଏର ଭାବେ କାମ କରୁଥିଲା ବାଣପୁର ଥାନା ଏକଡାଳିଆ ଗାଁର ଦିବ୍ୟାଙ୍ଗ ପପୁ ଦଳ ବେହେରା । ମୋବାଇଲ ଦେଖିବାକୁ ନେଇ ମଙ୍ଗରାଜପୁର ଗାଁର ଶାନ୍ତନୁ ପ୍ରଧାନ ଏକ ଛୁରୀରେ ପପୁର ବେକକୁ କାଟି ହତ୍ୟା କରିଥିଲା । ପରେ ମୃତଦେହକୁ ଗୋଟିଏ ସ୍ଥାନରୁ ନେଇ ଅନ୍ୟତ୍ର ଫିଙ୍ଗିଦେଇଥିଲା । ହତ୍ୟାକାଣ୍ଡରେ ବ୍ୟବହୃତ ଛୁରୀ ଓ ରକ୍ତଭିଜା ଗାମୁଛାକୁ ଲୁଚାଇ ରଖିବାରେ ସହଯୋଗ କରିଥିଲା ଢାବା ମାଲିକ ତଥା ସ୍ଥାନୀୟ ବିଧାରପୁର ଗାଁର ମନୋରଞ୍ଜନ ବେହେରା ।