ମେଷ :କୃଷ୍ଣ ପକ୍ଷର ନବମ ଚନ୍ଦ୍ର, ଶନିବାର ଯୋଗୁ ବାଦ ବିବାଦ, ସ୍ୱାସ୍ଥ୍ୟ, ଆର୍ଥିକ କାରବାର କଲା ବେଳେ ସତର୍କତା ଅବଲମ୍ବନ କରିବେ ଏବଂ ଗୁରୁଜନ, ପିତାମାତା, କ୍ଷମତାଶାଳୀ ବ୍ୟକ୍ତିଙ୍କ ସହ କଥାବାର୍ତ୍ତା ବେଳେ ଯଥା ସମ୍ଭବ ବାକ୍ ସଂଯମତା ରକ୍ଷା କରିବେ। ମାନ, ସମ୍ମାନ ହାନି, ମାନସିକ ଦୁଶ୍ଚିନ୍ତା, ପରିବାରରେ ମନୋ ମାଳିନ୍ୟ, ସ୍ୱଜନରେ ବିବାଦ ଓ ପଡ଼ୋଶୀଙ୍କ ସହ ତିକ୍ତତା ଏବଂ ନିଜର ପ୍ରିୟ ବନ୍ଧୁ କିମ୍ବା ପୁରାତନ ବନ୍ଧୁଙ୍କଠାରୁ ଅପମାନ ମିଳିପାରେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ କ୍ଷତି ପହଞ୍ଚିବ ଏବଂ କର୍ମରେ ବିଫଳତା ଓ ସହକର୍ମୀଙ୍କ ଉପହାସର ପାତ୍ର ହେବେ । ଯେଉଁମାନଙ୍କର ଦ୍ୱିଜା ମେଷ ସେମାନେ ସତର୍କ ହେବେ ।
ଶୁଭରଙ୍ଗ : ଲାଲ, ସଂଖ୍ୟା : ୬, ଆରାଧନା : ପ୍ରଭୁସ୍କନ୍ଦ ।
ବୃଷ :ଘାତବାର, ଅଷ୍ଟମ ଚନ୍ଦ୍ର ଯୋଗୁ ମନରେ ବିରକ୍ତି ଭାବ ଓ ଚିଡ଼ିଚିଡ଼ା ପଣ ପ୍ରକାଶ ପାଇବ ଏବଂ ଶାରୀରିକ ପୀଡ଼ା ଭୋଗିବେ । ଉଚିତ୍ କର୍ମରୁ ବିଚ୍ୟୁତ ହୋଇ ଅନୁଚିତ୍ କର୍ମରେ ଆଗ୍ରହ ରଖିବେ ଏବଂ ସମସ୍ତକର୍ମରେ ଭୁଲ୍ ନିଷ୍ପତ୍ତି ନେବେ । ଅଯଥା ଖର୍ଚ୍ଚ, ବଦ୍ ଖର୍ଚ୍ଚ ବୃଦ୍ଧି ପାଇବ ଏବଂ ଆର୍ଥିକ ସ୍ଥିତି ବିଗିଡ଼ିଯିବ । ମନ ଅସ୍ଥିର, ବିଷାଦଗ୍ରସ୍ତ ରହିବ ଏବଂ ପରିବାରରେ ଅଶାନ୍ତିର ବାତାବରଣ ସୃଷ୍ଟି ହେବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ କ୍ଷତି ପହଞ୍ଚିବ ଏବଂ କର୍ମରେ ବିଫଳତା ଓ ବାଧା ବିଘ୍ନ ଲାଗି ରହିବ । ଯେଉଁମାନଙ୍କର ମୃଗ ଶିରା ବୃଷ ସେମାନେ ସତର୍କ ହେବେ ।
ଶୁଭରଙ୍ଗ : ଧଳା, ସଂଖ୍ୟା : ୨, ଆରାଧନା : ପ୍ରଭୁଶ୍ରୀରାମ ।
ମିଥୁନ :ସପ୍ତମ ଚନ୍ଦ୍ର, ଶନିବାର ଓ ଶୁକ୍ରଙ୍କ ନକ୍ଷତ୍ର ଭୋଗ ହେଉଥିବାରୁ ମନରେ ପ୍ରସନ୍ନତା, ଶରୀରରେ ସୁସ୍ଥତା, ପରିବାରରେ ମିତ୍ରତା, ସମସ୍ତଙ୍କ ସହ ବନ୍ଧୁତା, ଦାମ୍ପତ୍ୟ ଜୀବନରେ ମଧୁରତା ଏବଂ ସ୍ୱଜନ, ପରିଜନ, ବନ୍ଧୁବାନ୍ଧବ, ପଡ଼ୋଶୀଙ୍କ ସାହାଯ୍ୟ, ସହଯୋଗ ମିଳିବ । ପୁତ୍ର କନ୍ୟା, ଭାତୃ ଭଗ୍ନିଙ୍କ ବୈବାହିକ କର୍ମର ଆୟୋଜନ କରିବେ ଏବଂ ଆମୋଦ ପ୍ରମୋଦ, ମଉଜ ମଜଲିସ୍ ପ୍ରତି ଅଧିକ ଧ୍ୟାନ ଦେବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ କର୍ମରେ ସଫଳତା ଓ ମହିଳା ସହ କର୍ମୀଙ୍କ ସାହାଯ୍ୟ, ସହଯୋଗ ମିଳିବ । ଯେଉଁମାନଙ୍କର ଆର୍ଦ୍ରା ମିଥୁନ ସେମାନେ ଉପକୃତ ହେବେ ।
ଶୁଭରଙ୍ଗ : ସବୁଜ, ସଂଖ୍ୟା: ୧୨, ଆରାଧନା : ମା’ ଷୋଡ଼ଶୀ ।
କର୍କଟ :ଷଷ୍ଠଚନ୍ଦ୍ର ଯୋଗୁ ଯଶ, ସମ୍ମାନ, ସାମାଜିକ ପ୍ରତିଷ୍ଠା, ଜନ ସମ୍ପର୍କ ବୃଦ୍ଧି ପାଇବ ଏବଂ ମହତ୍ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରିବେ । ପୁରାତନ ରୋଗରୁ ଆରୋଗ୍ୟ ଲାଭ କରିବେ ଏବଂ ଦେହ, ମନ ସୁସ୍ଥ ରହିବ । ଶତ୍ରୁମାନେ ମିତ୍ରତାର ହାତ ବଢ଼ାଇବେ ଏବଂ ଋଣ ମୁକ୍ତ ହେବାର ସୁଯୋଗ ଜୁଟିବ । ନୂତନ କର୍ମାରମ୍ଭ, ବ୍ୟବସାୟ ଆରମ୍ଭ, ବିଦେଶ ଯାତ୍ରାର ସୁଯୋଗ ଜୁଟିବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ କର୍ମରେ ସଫଳତା ଏବଂ ଉଚ୍ଚ ସମ୍ମାନ, ଉଚ୍ଚ ପଦବୀ ପ୍ରାପ୍ତ ହେବ । ଯେଉଁମାନଙ୍କର ପୁଷ୍ୟା କର୍କଟ ସେମାନେ ସୁଫଳ ପାଇବେ ।
ଶୁଭରଙ୍ଗ : ଲାଲ, ସଂଖ୍ୟା : ୩, ଆରାଧନା : ମା’ ସମଲେଶ୍ୱରୀ ।
ସିଂହ :ଘାତବାର, କୃଷ୍ଣପକ୍ଷର ପଞ୍ଚମ ଚନ୍ଦ୍ର ଯୋଗୁ ବିଦ୍ୟା, ବୁଦ୍ଧି, ଜ୍ଞାନ, ଗରିମା, ପ୍ରତ୍ୟୁ ତ୍ପନ୍ନ ମତି, ଦୂରଦୃଷ୍ଟି, ଧୀଶକ୍ତି, ସ୍ମରଣ ଶକ୍ତି ଲୋପ୍ ପାଇବ ଏବଂ ମନ ଅସ୍ଥିର, ବିଷାଦଗ୍ରସ୍ତ ଓ ଚାପଗ୍ରସ୍ତ ରହିବ । ସନ୍ତାନମାନେ ବିଶୃଙ୍ଖଳିତ ହେବେ ଏବଂ ପିତାମାତାଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେବ । ମନରେ ଦୁଶ୍ଚିନ୍ତା, ଦୁର୍ଭାବନା, ହତୋତ୍ସାହ ଭାବ ପ୍ରକାଶ ପାଇବ ଏବଂ ପାରିବାରିକ ବିବାଦ ଉଗ୍ର ରୂପ ଧାରଣ କରିବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ କ୍ଷତି ପହଞ୍ଚିବ ଏବଂ କର୍ମରେ ବିଫଳତା ଓ ମାନ, ସମ୍ମାନ ହାନି ଘଟିବ । ଯେଉଁମାନଙ୍କର ପୂର୍ବା ଫାଲ୍ଗୁନୀ ସିଂହ ସେମାନେ ସତର୍କ ହେବେ ।
ଶୁଭରଙ୍ଗ : ଧଳା, ସଂଖ୍ୟା: ୩, ଆରାଧନା : ପ୍ରଭୁଶ୍ରୀଜଗନ୍ନାଥ ।
କନ୍ୟା :ଘାତବାର ଓ ଚତୁର୍ଥ ଚନ୍ଦ୍ର ଯୋଗୁ ସମସ୍ତ କର୍ମରେ ଶୁଭ ଫଳ ମିଳିଲେ ମଧ୍ୟ ମନରେ ଆତ୍ମ ସନ୍ତୋଷ, ଆତ୍ମତୃପ୍ତି ମିଳିବ ନାହିଁ । ଗୁରୁଜନଙ୍କ କୃପା, କ୍ଷମତାଶାଳୀ ବ୍ୟକ୍ତିଙ୍କ ସହାୟତା, ରାଜନୈତିକ ବ୍ୟକ୍ତିଙ୍କ ଶୁଭ ଦୃଷ୍ଟିରେ ରହିବେ ଏବଂ କୌଣସି ସଭା କିମ୍ବା ସଙ୍ଗଠନର ନେତୃତ୍ୱ ମିଳିବ । ପାରିବାରିକ ବିବାଦ, ଜମି ଜମା ବିବାଦର ସମାଧାନ ହେବ ଏବଂ ମାଲି ମକଦ୍ଦମାରେ ବିଜୟ ହାସଲ କରିବେ । ଗୁରୁଜନଙ୍କ ପ୍ରତି ସମ୍ମାନ, ଲଘୁଜନଙ୍କ ପ୍ରତି ସ୍ନେହ, ଶ୍ରଦ୍ଧା ଓ ଆନ୍ତରିକତା ଅଧିକ ରହିବ ଏବଂ ସ୍ୱଜନ, ପରିଜନ, ପଡ଼ୋଶୀଙ୍କ ସହ ସମ୍ପର୍କ ନିବିଡ଼ ହେବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ କର୍ମରେ ସଫଳତା ଓ ସମ୍ମାନ ମିଳିବ । ଯେଉଁମାନଙ୍କର ଉତ୍ତରା ଫାଲ୍ଗୁନୀ ଓ ହସ୍ତା କନ୍ୟା ସେମାନେ ସୁଫଳ ପାଇବେ ।
ଶୁଭରଙ୍ଗ : ସବୁଜ, ସଂଖ୍ୟା : ୮, ଆରାଧନା : ମା’ ତ୍ରିପୁରସୁନ୍ଦରୀ ।
ତୁଳା :ଘାତ ଚନ୍ଦ୍ର, ଘାତ ତିଥି ଯୋଗୁ ଅପବ୍ୟୟ, ଅପବାଦ, ଅପଯଶର ଶିକାର ହେବେ ଏବଂ ଅଯଥା ଖର୍ଚ୍ଚ, ବଦ୍ ଖର୍ଚ୍ଚ ଓ ପରିବାରର ଖର୍ଚ୍ଚ ଭାର ବୃଦ୍ଧି ପାଇବ । ମନ ବିଷାଦ ଗ୍ରସ୍ତ ରହିବ ଏବଂ ଭାଇଭଉଣୀଙ୍କ ସହ ବିବାଦ ଉଗ୍ର ରୂପ ଧାରଣ କରିବ । ନିଶ୍ଚିତତତାକୁ ପରିତ୍ୟାଗ କରି ଅନିଶ୍ଚିତତା ପଛରେ ପଶ୍ଚାତ୍ ଧାବନ କରିବେ ଏବଂ ସତ୍ସଙ୍ଗ ପରିତ୍ୟାଗ କରି କୁସଙ୍ଗରେ ପଡ଼ିବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟଠାରୁ ବ୍ୟୟ ଅଧିକ ହେବ ଏବଂ କର୍ମରେ ବିଫଳତା ଓ ସମସ୍ତ କର୍ମ କଣ୍ଟକ ସଦୃଶ ମନେ ହେବ । ଯେଉଁମାନଙ୍କର ଚିତ୍ରା ତୁଳା ସେମାନେ ସତର୍କ ହେବେ ।
ଶୁଭରଙ୍ଗ : କଫି, ସଂଖ୍ୟା : ୪, ଆରାଧନା : ମା’ କମଳା ।
ବିଛା :କୃଷ୍ଣପକ୍ଷର ଦ୍ୱିତୀୟ ଚନ୍ଦ୍ର ଯୋଗୁ ଧନକୁ ନେଇ ବିବାଦ ଓ ମାଲି ମକଦ୍ଦମାରେ ପଡ଼ିପାରନ୍ତି । ମୂଲ୍ୟବାନ ପଦାର୍ଥ ନଷ୍ଟ କିମ୍ବା ହଜି ଯାଇପାରେ । ଅନ୍ୟଠାରୁ ଆଣିଥିବା ଧନ ଫେରାଇବାରେ ଅସମର୍ଥ ହେବେ ଏବଂ ଅନ୍ୟକୁ ଦେଇଥିବା ଧନ ପାଇବାରେ ବିଫଳ ହେବେ । ଶାରୀରିକ ପୀଡ଼ା, ଚୌର ଭୟ, ଆର୍ଥିକ ଠକାମିର ସମ୍ମୁଖୀନ ହେବେ ଏବଂ ପରିବାରରେ ଅଶାନ୍ତି ଲାଗି ରହିବ । ଅଯଥା ଖର୍ଚ୍ଚ, ବଦ୍ ଖର୍ଚ୍ଚ ବୃଦ୍ଧି ପାଇବ ଏବଂ ଆର୍ଥିକ ସ୍ଥିତି ବିଗିଡ଼ିଯିବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ କ୍ଷତି ପହଞ୍ଚିବ ଏବଂ କର୍ମରେ ବିଫଳତା ଓ ସମସ୍ତ କର୍ମରେ ଅଯଥା ବିଳମ୍ବ ଦେଖା ଦେବ । ଯେଉଁମାନଙ୍କର ଜ୍ୟେଷ୍ଠା ବିଛା ସେମାନେ ସତର୍କ ହେବେ ।
ଶୁଭରଙ୍ଗ : ଗୋଲାପି,ସଂଖ୍ୟା : ୩, ଆରାଧନା : ପ୍ରଭୁହନୁମାନ ।
ଧନୁ :ଶ୍ରୀଚନ୍ଦ୍ର ଓ ଘାତ ତିଥି ଯୋଗୁ ଘାତ ତିଥିର ପ୍ରଭାବ ରହିବ ନାହିଁ । ଧନ, ମାନ, ସମ୍ମାନ, ସ୍ୱଜନରେ ସୁସମ୍ପର୍କ, ପରିବାରରେ ସୁଖ ଶାନ୍ତି, ଲକ୍ଷ୍ମୀଙ୍କର କୃପା ଏବଂ ସୁଖବର, ସୁସମ୍ବାଦ ମିଳିବ । ଚାଲି ଚଳନ, ବ୍ୟବହାର, କଥାବାର୍ତ୍ତା ମାର୍ଜିତ ଓ ସର୍ବଜନ ଆଦୃତ ହେବ ଏବଂ ସୁ ଖାଦ୍ୟ, ସୁବସନ ପ୍ରାପ୍ତି ହେବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଯାହା ହେଲେ ମଧ୍ୟ ମନରେ ଆତ୍ମ ସନ୍ତୋଷ ରହିବ । କର୍ମରେ ସ୍ୱଳ୍ପ ପରିଶ୍ରମରେ ଅଧିକ ସଫଳତା, ସହକର୍ମୀଙ୍କ ସହଯୋଗ, ଉଚ୍ଚ ସମ୍ମାନ, ଉଚ୍ଚ ପଦବୀପ୍ରାପ୍ତ ହେବ । ଯେଉଁମାନଙ୍କର ମୂଳା ଓ ଉତ୍ତରାଷାଢ଼ା ଧନୁ ସେମାନେ ଉପକୃତ ହେବେ ।
ଶୁଭରଙ୍ଗ : ହଳଦିଆ, ସଂଖ୍ୟା : ୫, ଆରାଧନା : ପ୍ରଭୁଶ୍ରୀଜଗନ୍ନାଥ ।
ମକର :ଦ୍ୱାଦଶ ଚନ୍ଦ୍ର, ଘାତ ତିଥି ଯୋଗୁ ଘାତ ତିଥିର ପ୍ରଭାବ ରହିବ ନାହିଁ । ଅପବ୍ୟୟ, ଅପଯଶ, ଅପବାଦରୁ ସାମିୟକ ମୁକ୍ତି ମିଳିବ ଏବଂ ଅଯଥା ଖର୍ଚ୍ଚ, ବଦ୍ ଖର୍ଚ୍ଚ, ପରିବାରର ଖର୍ଚ୍ଚ ଭାର କମ୍ ରହିବ । ଖର୍ଚ୍ଚ ପ୍ରତି ଅନାଗ୍ରହ, ସଞ୍ଚୟ ପ୍ରତିମନରେ ଅଧିକ ଆଗ୍ରହ ରହିବ ଏବଂ ଆୟର କିଛି ଅଂଶ ସଞ୍ଚୟରେ ବିନି ଯୋଗ କରିବେ । ସମସ୍ତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାରେ ସମର୍ଥ ହେବେ ଏବଂ ସମସ୍ତ କର୍ମରେ ସୁଚିନ୍ତିତ ପଦକ୍ଷେପ ଗ୍ରହଣ କରିବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ ବ୍ୟବସାୟ କର୍ମରେ କୌଣସି ଦୂରସ୍ଥାନକୁ ଯାତ୍ରା କରିପାରନ୍ତି ।ଯେଉଁମାନଙ୍କର ଉତ୍ତରାଷାଢ଼ା ଓ ଶ୍ରବଣା ମକର ସେମାନେ ସୁଫଳ ପାଇବେ ।
ଶୁଭରଙ୍ଗ :କଳା, ସଂଖ୍ୟା : ୧୧, ଆରାଧନା : ମା’ କାଳୀ ।
କୁମ୍ଭ :ଘାତଚନ୍ଦ୍ର ଯୋଗୁ ଆୟ ପାଞ୍ଚ ଟଙ୍କା ହେଲେ ବ୍ୟୟ ପଚିଶ ଟଙ୍କା ହେବ ଏବଂ ଆର୍ଥିକ ସ୍ଥିତି ବିଗିଡ଼ିଯିବ । ଧନ କ୍ଷତି, ମାନସିକ ଅସ୍ଥିରତା, ପରିବାରରେ ମନୋମାଳିନ୍ୟ, ସ୍ୱଜନରେ ବିବାଦ ଏବଂ ଆର୍ଥିକ ଠକାମିରେ ପଡ଼ି ପାରନ୍ତି । ଅପବ୍ୟୟ, ଅପବାଦ, ଅପଯଶର ଶିକାର ହେବେ ଏବଂ ସମସ୍ତ କର୍ମରେ ଭୁଲ୍ ନିଷ୍ପତ୍ତି ଗ୍ରହଣ କରିବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ବିପର୍ଯ୍ୟୟ ଘଟିବ ଏବଂ କର୍ମରେ ବିଫଳତା ଓ ସମସ୍ତ କର୍ମ ବିବାଦୀୟ ହେବ । ଯେଉଁମାନଙ୍କର ଧନିଷ୍ଠା କୁମ୍ଭ ସେମାନେ ସତର୍କ ହେବେ ।
ଶୁଭରଙ୍ଗ :ମାଟିଆ, ସଂଖ୍ୟା :୩, ଆରାଧନା : ମା’ ଭୈରବୀ ।
ମୀନ :ଦଶମ ଚନ୍ଦ୍ର ଯୋଗୁ କର୍ମରେ ଉନ୍ନତି, କର୍ମ ପ୍ରତି ଏକାଗ୍ରତା ଓ ଆନ୍ତରିକତା ଅଧିକ ରହିବ ଏବଂ ବ୍ୟବସାୟ ଅପେକ୍ଷା କର୍ମରେ ଅଧିକ ଧ୍ୟାନ ଦେବେ । ଆଜି ଯେ କୌଣସି କର୍ମ ଆରମ୍ଭ କରିବେ ସେଥିରେ ଶତ ପ୍ରତିଶତ ସଫଳତା ମିଳିବ ଏବଂ ସମସ୍ତ କର୍ମରେ ଆପଣଙ୍କର କର୍ମ କୁଶଳତା ଓ କାର୍ଯ୍ୟ ଦକ୍ଷତା ପ୍ରକାଶ ପାଇବ । ମନରେ ପ୍ରସନ୍ନତା, ଚାଲିଚଳନରେ ସଂଯମତା, ବଚନରେ ମଧୁରତା ଏବଂ ସମସ୍ତ କର୍ମରେ ସ୍ୱଚ୍ଛତା ଓ ସମୟାନୁବର୍ତ୍ତିତା ଆପଣାଇବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଯାହା ହେଲେ ମଧ୍ୟ ମନରେ ଆତ୍ମ ସନ୍ତୋଷ ଓ ଆତ୍ମ ତୃପ୍ତି ରହିବ । ଯେଉଁମାନଙ୍କର ଉତ୍ତର ଭାଦ୍ରମୀନ ସେମାନେ ସୁଫଳ ପାଇବେ ।
ଶୁଭରଙ୍ଗ : ଲାଲ, ସଂଖ୍ୟା : ୯, ଆରାଧନା : ମା’ ତାରା ।
ଜ୍ୟୋତିର୍ବିଦ୍ : କୈଳାସ ଦାଶ
ଯୋଗାଯୋଗ : ୯୪୩୭୧୩୩୪୭୩