ରାୟଗଡ଼ା,୨୯/୦୭: ମ୍ୟାଲେରିଆରେ ଛାତ୍ରୀ ମୃତ  ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣି । ଏଥିଲାଗି ୩ ଜଣିଆ କମିଟି ଗଠନ କରାଯାଇଛି । ଏଥିରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଭି. ସରୋଜିନୀ ଦେବୀ, ଜିଲ୍ଲା ମଙ୍ଗଳ ଅଧିକାରୀ ଅଶୀମା ରାଓ ଓ ଜିଲ୍ଲା ଶିକ୍ଷାଧିକାରୀ  ରାମଚନ୍ଦ୍ର ନାହାକ ରହିଛନ୍ତି । ଏହି ଅଧିକାରୀମାନେ ବିଦ୍ୟାଳୟ ଓ ହଷ୍ଟେଲ୍‌କୁ ଯାଇ ତଦନ୍ତ କରିବେ । ମୃତ ଛାତ୍ରୀର ପରିବାରକୁ  ଭେଟିବେ । ୩ ଦିନ ମଧ୍ୟରେ ରିପୋର୍ଟ ଦେବାକୁ କୁହାଯାଇଛି ।  

ସୂଚନା ଅନୁଯାୟୀ, କୋଲନରା ବ୍ଲକ୍‌ ଆଳୁବାଡ଼ି ଗାଁର ଦିବ୍ୟା ମାଣ୍ଡାଙ୍ଗି । ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଦ୍ୱାରା ପରିଚାଳିତ କୁଲି ଗାଁ ହଷ୍ଟେଲରେ ରହି ନିକଟ  ଶିକ୍ଷା ବିଭାଗ ସ୍କୁଲ୍‌ରେ ଚତୁର୍ଥ ଶ୍ରେଣୀରେ ପଢ଼ୁଥିଲା ।  କିଛିଦିନ ତଳେ ଜ୍ୱର ହୋଇଥିଲା । ହଷ୍ଟେଲରେ ୩  ଦିନ ଏଏନ୍‌ଏମ୍‌ ଚିକିତ୍ସା କରିଥିଲେ । ସ୍ଥିତିରେ ସୁଧାର  ଆସିନଥିଲା । 

ଗତ ୨୪ ତାରିଖରେ ରାୟଗଡ଼ା ଜିଲ୍ଲା ମୁଖ୍ୟ  ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ଗୁରୁତ୍ତର  ହେବାରୁ କୋରାପୁଟ ସହିଦ୍‌ ଲକ୍ଷ୍ମଣ ନାୟକ ମେଡିକାଲ  କଲେଜ ଓ ହସ୍‌ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ରବିବାର ସକାଳେ  ଦିବ୍ୟାର ମୃତ୍ୟୁ ହୋଇଥିଲା । ପରିବାର ଲୋକ ମୃତଦେହକୁ  ନେଇ  ସୋମବାର  କୁଲି ଗାଁରେ ପହଞ୍ଚିଥିଲେ । ସ୍କୁଲ୍‌ ଆଗରେ  ଶବ ରଖି କ୍ଷତିପୂରଣ ଦାବିରେ ଧାରଣାରେ ବସିଥିଲେ ।  ଏ ସମ୍ପର୍କରେ ଖବର ପ୍ରକାଶ ପରେ ନୂଆ ଜିଲ୍ଲାପାଳ  ଶ୍ରୀ କୁଲକର୍ଣ୍ଣି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।