ପୁରୀ, ୦୭/୧୦: କୁମାର ପୂର୍ଣ୍ଣିମା ପାଇଁ ଗାଁକୁ ଯିବେ ବୋଲି ମାଲିକଙ୍କୁ  ବାକି ଟଙ୍କା ମାଗିଲେ । ହେଲେ ହୋଟେଲ ମାଲିକଙ୍କ ମୁଣ୍ଡକୁ ଚଢ଼ିଗଲା ପିତ୍ତ । କର୍ମଚାରୀକୁ ଶାବଳରେ ନିସ୍ତୁକ ପିଟିଲେ । ମାଡ଼ରେ କର୍ମଚାରୀଙ୍କ ମୁଣ୍ଡ ଫାଟିବା ସହ  ଶରୀର ସାରା ମାଡ଼ର ଦାଗ ଚିହ୍ନ ରହିଛି ।  ଏପରିକି ଶରୀର ସମ୍ପୂର୍ଣ୍ଣ ଫୁଲିଯାଇଛି ।  ମୁମୂର୍ଷୁ ଅବସ୍ଥାରେ କର୍ମଚାରୀକୁ ଜିଲ୍ଲା  ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛି ସଦର ଥାନା ପୁଲିସ । ଆହତ କର୍ମଚାରୀ  ହେଲେ ଗଞ୍ଜାମ ଜିଲ୍ଲା କେ. ନୂଆଗାଁ ଥାନା  ଅନ୍ତର୍ଗତ ଦେଓଖାଇର ବିଜୟ କୁମାର ସାହୁ  (୩୫) । ଏନେଇ ବିଜୟ ଥାନାରେ ଲିଖିତ  ଅଭିଯୋଗ କରିଛନ୍ତି । ହୋଟେଲ ମାଲିକ  ଲକ୍ଷ୍ମୀଧର ବରାଳ ଫେରାର ହୋଇଯାଇଛି ।

ସଦର ଥାନା ଅଧୀନ ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥ  ମାଳତୀପାଟପୁର ଓଭରବ୍ରିଜ୍‌ଠାରେ  ଲକ୍ଷ୍ମୀଧର ବରାଳଙ୍କ ‘ବୋଉ’ ନାମରେ  ଏକ ହୋଟେଲ୍‌ ରହିଛି । ବିଜୟ ୧୫ ଦିନ  ହେବ ହୋଟେଲରେ ଦୋସା ମିସ୍ତ୍ରି ଭାବେ  କାମ କରୁଥିଲା । ବିଜୟ ପ୍ରତିଦିନ ସକାଳ  ୬ରୁ ୧୧ଟା ଓ ଅପରାହ୍ଣ ୫ଟାରୁ ରାତ୍ର ୧୨ଟା  ପର୍ଯ୍ୟନ୍ତ କାମ କରେ । ଏଥିଲାଗି ଦିନକୁ  ୮୦୦ ଟଙ୍କା ପାଉଣା ସ୍ଥିର ହୋଇଥିଲା । ଗାଁକୁ  ଯିବାର ଥିବାରୁ ବିଜୟ ରବିବାର ରାତିରେ  ଲକ୍ଷ୍ମୀଧରକୁ ବାକି ରହିଥିବା ୫ ଦିନର ଟଙ୍କା  ମାଗିଥିଲା । ସକାଳେ ଟଙ୍କା ଦେବି ବୋଲି  କହି ଲକ୍ଷ୍ମୀଧର ଘରକୁ ଯାଇଥିଲା । ହଠାତ୍‌  ସକାଳ ୬ଟାରେ ଲକ୍ଷ୍ମୀଧର ହୋଟେଲରେ  ପହଞ୍ଚି କ’ଣ ପାଇଁ ଟଙ୍କା ମାଗିଲୁ କହି ଏକ  ଘରେ ପୂରାଇ ଶାବଳରେ ବିଜୟକୁ ପିଟିବାକୁ  ଲାଗିଲା । ବିଜୟ ଚିତ୍କାର କରିଥିଲେ ମଧ୍ୟ  ଲକ୍ଷ୍ମୀଧର ଶୁଣିନଥିଲା । ସକାଳ ୧୦ଟା  ପର୍ଯ୍ୟନ୍ତ ସେ ଘରୁ ବାହାରକୁ ଛାଡ଼ିନଥିଲା ।  କାଳେ କାହାକୁ ଜଣାଇଦେବ ଭାବି ବିଜୟର  ମୋବାଇଲ୍‌କୁ ଛଡ଼ାଇ ରଖିଥିଲା । ବିଜୟ  ଉପରେ ମାଡ଼ ଦେଖି ଅନ୍ୟ କର୍ମଚାରୀ  ହୋଟେଲ ଛାଡ଼ି ଦୌଡ଼ି ପଳାଇଥିଲେ ।  କୌଣସି ମତେ ବିଜୟ ସଦର ଥାନାରେ  ପହଞ୍ଚି ପୁଲିସ ସହାୟତାରେ ହସ୍ପିଟାଲ୍‌ରେ  ପହଞ୍ଚିଥିଲା । ଏ ସମ୍ପର୍କରେ ଥାନା ଅଧିକାରୀ  ସୁନିଲ କୁମାର ପ୍ରଧାନ କୁହନ୍ତି, ଅଭିଯୋଗକୁ  ଗୁରୁତ୍ୱର ସହ ଗ୍ରହଣ କରାଯାଇଛି ।  ତୁରନ୍ତ ଅଭିଯୁକ୍ତକୁ ଗିରଫ କରାଯିବ ।

ସୂଚନାଯୋଗ୍ୟ, ଗତ ଦଶହରା ଦିନ  କୁମ୍ଭାରପଡ଼ା ଥାନା ଅଧୀନ ଭିଆଇପି ରୋଡର  ଏକ ତାରକା ହୋଟେଲକୁ ଖାଇବାକୁ ଯାଇ  ହୋଟେଲ ମାଲିକ ଓ କର୍ମଚାରୀଙ୍କଠାରୁ  ନିସ୍ତୁକ ମାଡ଼ ଖାଇ ଫେରିଥିଲେ  ଦମ୍ପତି । ଏହାକୁ ନେଇ ସହରରେ  ଆଲୋଚନା ଜାରି ରହିଥିବାବେଳେ ପୁଣି  ଜଣେ ହୋଟେଲ ମାଲିକଙ୍କ ନିର୍ଯାତନା  ସହରରେ ଚର୍ଚ୍ଚାର ବିଷୟ ପାଲଟିଛି ା