ଭୁବନେଶ୍ୱର,୨୫/୦୧: ଜଣେ ହୋଟେଲ୍‌ ମାଲିକଙ୍କୁ ହାଣି  ହତ୍ୟା ଉଦ୍ୟମ କରିବା ଅଭିଯୋଗରେ କ୍ୟାପିଟାଲ ଥାନା ପୁଲିସ  ଅନ୍ୟ ଏକ ହୋଟେଲ୍‌ କର୍ମଚାରୀଙ୍କୁ ଗିରଫ କରିଛି । ଅଭିଯୁକ୍ତ ଷ୍ଟେସନ ରୋଡ୍‌ରେ ଥିବା ଡେଲାଙ୍ଗ ହୋଟେଲର କର୍ମଚାରୀ  ବୀରେନ୍‌ ଓରଫ ବୀରେନ୍ଦ୍ର ପ୍ରଧାନ(୪୨) । ଘର ଡେଲାଙ୍ଗ ଥାନା  ବଡ଼ଙ୍କୁଳ । 

ପୁଲିସ ସୂଚନା ଅନୁଯାୟୀ, ଡେଲାଙ୍ଗ ହୋଟେଲକୁ ଲାଗି ରବୀନ୍ଦ୍ର କୁମାର ଜୟସିଂହ ‘ଖାନା ବିରିୟାନୀ ସେଣ୍ଟର’  ଖୋଲିଛନ୍ତି । ଗତକାଲି ରାତିରେ ତାଙ୍କ ଦୋକାନରେ ଗ୍ରାହକମାନେ ଖାଇ ବସିଥିବା ବେଳେ ବୀରେନ୍‌ କିଛି ମଇଳା ପାଣି ସେଠାରେ  ଢାଳି ଦେଇଥିଲେ । ଏହାକୁ ରବୀନ୍ଦ୍ର ବିରୋଧ କରିବାରୁ ବୀରେନ୍‌ ତାଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳି କରିବା ସହ ଏକ ଧାରୁଆ ଅସ୍ତ୍ରରେ  ହାଣି ପକାଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ କ୍ୟାପିଟାଲ  ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏ ନେଇ ଥାନାରେ ଅଭିଯୋଗ  ହେବା ପରେ ପୁଲିସ ଏକ ମାମଲା ରୁଜୁ କରି ରାତାରାତି  ବୀରେନ୍‌ଙ୍କୁ ଉଠାଇ ଆଣିଥିଲା । ବୀରେନଙ୍କ ନାମରେ ପୂର୍ବରୁ ମଧ୍ୟ ଡେଲାଙ୍ଗ ଥାନାରେ ଏକ ମାମଲା ଥିବା ଜଣା ପଡ଼ିଥିଲା। ଶୁକ୍ରବାର ବୀରେନଙ୍କୁ କୋର୍ଟଚାଲାଣ କରାଯାଇଥିଲା । ଜାମିନ ନାମଞ୍ଜୁର  ହେବାରୁ ତାଙ୍କୁ ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି ।