ଦଶରଥପୁର,୬/୬ : ଦଶରଥପୁର ବ୍ଲକ ଜାଫରପୁର ପଞ୍ଚାୟତ ଜାଫରପୁର ଗ୍ରାମରେ ଅଭାବନୀୟ ଘଟଣା । ଗାଁର ଭଜହରୀ ମଲ୍ଲିକଙ୍କ ଘର ଏବଂ ଗୁହାଳ ଉପରେ ବଜ୍ରପାତ ଘଟି ଘରଟି ପୋଡ଼ି ପାଉଁଶ ହୋଇଯିବା ସହ ଗୁହାଳରେ ବନ୍ଧା ହୋଇଥିବା ଗୋଟିଏ ଗାଈ ଜୀବନ୍ତଦଗ୍ଧ ହୋଇଥିବା ଜଣାପଡ଼ିଛି । ଭଜହରୀ କୌଣସି କାର୍ଯ୍ୟରେ କଟକ ଯାଇଥିବାବେଳେ ଶୁକ୍ରବାର ଅପରାହ୍ନ ପ୍ରାୟ ୪ଟା ସମୟରେ ହଠାତ ବଜ୍ରପାତ ହେବାରୁ ପରିବାରର ୨ଜଣ ସାମାନ୍ୟ ଆହତ ହୋଇଥିବା ସୂଚନା ମିଳିଛି।
ବଜ୍ରପାତ ନିଆଁରେ ଘର ଏବଂ ଗୁହାଳ ହୁତୁହୁତୁ ହୋଇ ଜଳୁଥୁବା ଦେଖି ଗ୍ରାମବାସୀ ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲେ । ପରେ ଦଶରଥପୁର ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ମଧ୍ୟ ଭଜହରୀଙ୍କ ୨ବଖରା ଘର ଏବଂ ଗୁହାଳ ପୋଡ଼ି ଛାରଖାର ହୋଇଯାଇଥିଲା । ଘରେ ଥିବା ସବୁ ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଥିବାବେଳେ କ୍ଷୀର ବ୍ୟବସାୟ କରି ପରିବାର ଚଳାଉଥିବା ଭଜହରୀଙ୍କ ପାଳିତ ଗାଈର ମୃତ୍ୟୁ ହେବା ଯୋଗୁଁ ଭଜହରୀଙ୍କ ମୁଣ୍ଡରେ ବଜ୍ର ପଡ଼ିଛି । ତୁରନ୍ତ ଭଜହରିଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି ।