ସାଲେପୁର, ୧୧/୧୧ : କଟକ ଜିଲ୍ଲା ସାଲେପୁର ବ୍ଲକ ରାମେଶ୍ବର ଗ୍ରାମ ପଞ୍ଚାୟତ ଉଚ୍ଚଢିଅ ଗ୍ରାମରେ ଅଗ୍ନିକାଣ୍ଡ। ବିଳମ୍ବିତ ରାତିରେ ଜଳିଗଲା ଦୁଇ ବଖରା ଘର। ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ। ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କଲା ସାଲେପୁର ଅଗ୍ନିଶମ ବାହିନୀ।
ସୂଚନାନୁଯାୟୀ, ସୋମବାର ବିଳମ୍ଵିତ ରାତିରେ ସାଲେପୁର ବ୍ଲକ ଉଚ୍ଚଢିଅ ଗ୍ରାମର ହରେକୃଷ୍ଣ ସାମଲଙ୍କ ଘରେ ନିଆଁ ଲାଗିଯାଇଥିଲା। ଦେଖୁ ଦେଖୁ ନିଆଁ ବ୍ୟାପି ଯାଇଥିଲା। ଦୁଇ ବଖରା ଘର ସମ୍ପୂର୍ଣ୍ଣ ଜଳିପୋଡ଼ି ଛାରଖାର ହୋଇଯାଇଥିଲା। ଖବର ପାଇ ସାଲେପୁର ଅଗ୍ନିଶମ ବାହିନୀର ଦୁଇଟି ଗାଡି ପହଞ୍ଚି ନିଆଁକୁ ଆୟତ୍ତ କରିଛି। ଘରର ଧାନ, ଚାଉଳ, ଆସବାବପତ୍ର ସହିତ ସମସ୍ତ କାଗଜପତ୍ର ପୋଡ଼ି ପାଉଁଶ ହୋଇଯାଇଛି। ଗୁହାଳ ଘରେ ଦିଆହୋଇଥିବା ଧୂଆଁରୁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି। ଅଗ୍ନିବିପନ୍ନ ପରିବାରକୁ ତୁରନ୍ତ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।